ଲସ୍ଆଞ୍ଜେଲସ୍ରେ ଏୟାର ଟ୍ରାମ୍ସ ସୁବିଧା
ପ୍ରତି ବର୍ଷର ସର୍ବେକ୍ଷଣ ଅନୁସାରେ ଲସଆଞ୍ଜଲସରେ ପର୍ୟ୍ୟଟକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଣୁ ସେମାନଙ୍କୁ ଅଧିକ ପରିମାଣରେ ଆକୃଷ୍ଟ କରିବା ନିମନ୍ତେ ସ୍ଥାନୀୟ ମେୟର ଏକ ପଦକ୍ଷେପ ନେଇଛନ୍ତି। ସହରର ବିଭିନ୍ନ ଦିଗରେ ଉନ୍ନତୀକରଣ ସହ ଯଥା ଶୀଘ୍ର ସେଠାରେ ଏୟାର ଟ୍ରାମ୍ ସୁବିଧା ଆରମ୍ଭ ହେବ ବୋଲି ପ୍ରକାଶ। ସେଠାରେ ଥିବା ଏକ ଫୁଟବଲ୍ ଷ୍ଟାଡିୟମ୍ ନିମନ୍ତେ ଉଭୟ ସ୍ଥାନୀୟ ଲୋକ ଓ ପର୍ୟ୍ୟଟକଙ୍କ ଭିଡ଼ ଜମିଥାଏ। ତେବେ ଗନ୍ତବ୍ୟସ୍ଥଳକୁ ଯିବା ନିମନ୍ତେ ସଡ଼କପଥ ସୁରକ୍ଷିତ ନୁହେଁ। ଏଣୁ ଏବେ ଏୟାର ଟ୍ରାମ୍ ଆକାଶମାର୍ଗରେ ଚାଳିତ ହୋଇ କିଛି ମୁହୂର୍ତ୍ତରେ ଯାତ୍ରୀଙ୍କୁ ଷ୍ଟାଡିୟମ୍ ନିକଟରେ ପହଞ୍ଚାଇ ଦେବ। ଟ୍ରାଫିକ୍ ଜାମ୍ ସମସ୍ୟାଠାରୁ ଦୂରରେ ଥିବା ଏହି ଟ୍ରାମ୍ ପରିବେଶକୁ ମଧ୍ୟ କୌଣସି କ୍ଷତି ପହଞ୍ଚାଇବ ନାହିଁ। ୧୨.୫ କୋଟି ଡଲାର ଏହି ଏୟାର ଟ୍ରାମ୍ ନିର୍ମାଣରେ ଖର୍ଚ୍ଚ ହେବାର ବ୍ୟୟ ଅଟକଳ ପ୍ରସ୍ତୁତ ହୋଇଛି। ଜାପାନର ଯନ୍ତ୍ରୀଦଳ ଏହି କାମର ଦାୟିତ୍ବ ନେଇଥିବାର ପ୍ରକାଶ।