ଏମ୍‌ସ ଭୁବନେଶ୍ୱରରେ ଫାଇଲେରିଆ ନିରାକରଣ ଅଭିଯାନ : ସାର୍ବଜନୀନ ବାତଜ୍ବର ଔଷଧ ସେବନ କାର୍ଯ୍ୟକ୍ରମ

ଡିଇସି ଏବଂ ଆଲବେଣ୍ଡାଜୋଲ୍ ଟାବଲେଟ୍ ସେବନ ନିମନ୍ତେ ସମସ୍ତଙ୍କୁ ଆହ୍ବାନ, ଗୋଟିଏ ଦିନରେ ୫୪୪ ଜଣ ବ୍ୟକ୍ତି ସେବନ କଲେ ବାତଜ୍ବର ଔଷଧ

ପ୍ରଥମେ ଔଷଧ ସେବନ କରି ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟିକଲେ ଏମ୍‌ସ ଭୁବନେଶ୍ୱର କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ

ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ପାଇଁ ମାଗଣା ବାତଜ୍ବର ବଣ୍ଟନ ନିମନ୍ତେ ଏମ୍‌ସ ଓପିଡି ପରିସରରେ ସ୍ବତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର : ଫାଇଲେରିଆ ନିରାକରଣ ଅଭିଯାନ ଅନ୍ତର୍ଗତ ସାର୍ବଜନୀନ ବାତଜ୍ବର ଔଷଧ ସେବନ କାର୍ଯ୍ୟକ୍ରମକୁ ତ୍ବରିତ କରିବା ଉଦ୍ଦେଶ୍ୟରେ ବୁଧବାର ଏମ୍‌ସ ଭୁବନେଶ୍ୱର ପରିସରରେ ଖୋର୍ଦ୍ଧା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ମିଳିତ ସହଯୋଗରେ ସାର୍ବଜନୀନ ବାତଜ୍ବର ଔଷଧ ସେବନ ଆରମ୍ଭ ହୋଇଛି । ଏହାକୁ ସଫଳ ତଥା ସର୍ବବ୍ୟାପି କରିବା ନିମନ୍ତେ ଏମ୍‌ସ ଭୁବନେଶ୍ୱର କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ସର୍ବପ୍ରଥମେ ଡିଇସି ଏବଂ ଆଲବେଣ୍ଡାଜୋଲ୍‌ ଟାବଲେଟ୍‌ ସେବନ କରିଥିଲେ । ଏଥିସହିତ ସମସ୍ତେ ଫାଇଲେରିଆ ନିରାକରଣ ଅଭିଯାନରେ ସାମିଲ ହୋଇ ଡିଇସି ଏବଂ ଆଲବେଣ୍ଡାଜୋଲ୍‌ ଟାବଲେଟ୍‌ ସେବନ କରିବାକୁ ଡ. ବିଶ୍ବାସ ଆହ୍ବାନ ଦେଇଥିଲେ। ନିଜେ ପ୍ରଥମେ ଏହି ଔଷଧ ସେବନ କରି ସମସ୍ତଙ୍କୁ ପାଇଁ ଉଦାହରଣ ସୃଷ୍ଟି କରିଥିଲେ ଡ. ବିଶ୍ବାସ।

ଭାରତ ସରକାରଙ୍କ ନ୍ୟାସନାଲ ସେଣ୍ଟର ଫର ଭେକ୍ଟର ବୋର୍ନ ରୋଗ ନିୟନ୍ତ୍ରଣ ଅଧୀନରେ, ଦେଶର ୨୫୬ ଫାଇଲେରିଆ ପ୍ରବଣ ଜିଲ୍ଲାରେ ସାର୍ବଜନୀନ ବାତଜ୍ବର ଔଷଧ ସେବନ କାର୍ଯ୍ୟକ୍ରମ ମାଧ୍ୟମରେ ବାର୍ଷିକ ଡିଇସି ଏବଂ ଆଲବେଣ୍ଡାଜୋଲ୍‌ର ଆବଶ୍ୟକ ମାତ୍ରା ଦିଆଯାଇଥାଏ । ଉପରୋକ୍ତ ୨୫୬ ଫାଇଲେରିଆ ପ୍ରବଣ ଜିଲ୍ଲାଗୁଡ଼ିକ ମଧ୍ୟରୁ ଓଡ଼ିଶାରେ ଖୋର୍ଦ୍ଧା ସମେତ ୨୦ଟି ଏଣ୍ଡେମିକ୍ ଜିଲ୍ଲା ରହିଥିବା ଡ. ବିଶ୍ବାସ ପ୍ରକାଶ କରିଛନ୍ତି।

ଏମ୍‌ସ ଭୁବନେଶ୍ୱରରେ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କୁ ଡିଇସି ଏବଂ ଆଲବେଣ୍ଡାଜୋଲ୍‌ ଟ୍ୟାବଲେଟ୍‌ର ମାଗଣା ବଣ୍ଟନ ପାଇଁ ଓପିଡି ପରିସରରେ ଏକ ସ୍ବତନ୍ତ୍ର ସାର୍ବଜନୀନ ବାତଜ୍ବର ସେବନ କେନ୍ଦ୍ର (ଏମ୍‌ଡିଏ କର୍ଣ୍ଣର) ସ୍ଥାପନ କରାଯାଇଛି । ଏଥିସହିତ ଏମ୍‌ସର ସମସ୍ତ ଅଧ୍ୟାପକ/ଅଧ୍ୟାପିକା, ଛାତ୍ରଛାତ୍ରୀ, କର୍ମଚାରୀ ଏବଂ ଏହାର ପରିସରରେ ରହୁଥିବା ସମସ୍ତ ପରିବାରକୁ ଏକ ଉତ୍ସର୍ଗୀକୃତ ସ୍ୱାସ୍ଥ୍ୟ ଦଳ ଦ୍ୱାରା ଏହି ଔଷଧ ବିତରଣ କରାଯାଉଛି। ଆଜି ଗୋଟିଏ ଦିନରେ ଏମ୍‌ସ ଭୁବନେଶ୍ୱରରେ ୫୪୪ରୁ ଅଧିକ ବ୍ୟକ୍ତି ମାଗଣା ବାତଜ୍ବର ଔଷଧ ସେବନ କରିଛନ୍ତି।

ଆଜି ଅନୁଷ୍ଠିତ ବାତଜ୍ବର ଔଷଧ ସେବନ କାର୍ୟ୍ୟକ୍ରମରେ ଡିନ୍‌ (ଏକାଡେମିକ୍) ଡ. ପି ଆର ମହାପାତ୍ର, ଡିନ୍‌ (ଗବେଷଣା) ଡ. ବିନୋଦ ପାତ୍ର, ସିଏମ୍ଏଫ୍‌ଏମ୍‌ ବିଭାଗର ଅଧ୍ୟାପକ ଡ. ବିନୋଦ ବେହେରା ପ୍ରମୁଖ ଏହି ପ୍ରକ୍ରିୟାରେ ସକ୍ରିୟ ଅଂଶଗ୍ରହଣ କରିବା ସହିତ ଡିଇସି ଏବଂ ଆଲବେଣ୍ଡାଜୋଲ୍‌ ଔଷଧ ଖାଇଥିଲେ। ଏହି କାର୍ୟ୍ୟକ୍ରମରେ ଖୋର୍ଦ୍ଧା ସିଡିଏମ୍‌ଓ ଡ. ଆର୍ତ୍ତବନ୍ଧୁ ନାୟକ, ଡିଏମ୍‌ଓ ଡ. ଜୀବନ୍ତ କୁମାର ଆଚାରି, ଭିବିଡିଟି ଦୀପକ କୁମାର ନାୟକ, ସୁସ୍ମିତା ସାମନ୍ତରାୟ, ଜିଲ୍ଲା ଅଧିକାରୀ ପିସି ଜୋବକମସନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟଯେ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର ୨୦୦୪ରେ ଲିମ୍ଫାଟିକ୍ ଫାଇଲେରିଆସିସ୍ ଦୂର କରିବା ପାଇଁ ଏହି ଜାତୀୟ କାର୍ୟ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏନେଇ ନିକଟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମନସୁଖ ମାଣ୍ଡଭ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଫାଇଲେରିଆ ନିରାକରଣ ନେଇ ଅନ୍ତର୍ଜାତୀୟ ସ୍ତରରେ ରଖାଯାଇଥିବା ଲକ୍ଷ୍ୟର ତିନିବର୍ଷ ପୂର୍ବ ୨୦୨୭ ସୁଦ୍ଧା ଭାରତକୁ ଲିମ୍ଫାଟିକ୍ ଫାଇଲେରିଆସିସ୍ ମୁକ୍ତ କରିବାକୁ ଆହ୍ବାନ କରିଛନ୍ତି। ସୂଚନାଯୋଗ୍ୟଯେ, ଗର୍ଭବତୀ ମହିଳା, ଦୁଇ ବର୍ଷରୁ କମ୍ ଶିଶୁ ଏବଂ ଗୁରୁତର ଅସୁସ୍ଥ ରୋଗୀ ଏହି ଔଷଧ ସେବନ ନକରିବାକୁ ପରାମର୍ଶ ଦିଆଯାଇଛି।

Comments are closed.