www.samajalive.in
Sunday, December 7, 2025
26.1 C
Bhubaneswar

ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଡ୍ରୋନ୍‌ର ଉପଯୋଗ, ଏମ୍‌ସ ଭୁବନେଶ୍ୱର ପକ୍ଷରୁ ସଫଳ ପରୀକ୍ଷଣ

ଭୁବନେଶ୍ୱର: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ଏମ୍‌ସ ଭୁବନେଶ୍ୱର ପୁନର୍ବାର କରିଛି ଅଭିନବ ପ୍ରୟୋଗ। ମେଡିକାଲ୍‌ ସାଇନ୍ସ୍‌ ସହିତ ପ୍ରଯୁକ୍ତି ବିଦ୍ୟାର ସମ୍ମିଶ୍ରଣରେ ପ୍ରୟୋଗ ପୂର୍ବକ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଡ୍ରୋନ୍‌ର ଉପଯୋଗ ନିମନ୍ତେ ଆଜି କରିଥିବା ପରୀକ୍ଷଣ ସଫଳତାର ସହିତ ସମ୍ପନ୍ନ ହୋଇଛି। ଡ୍ରୋନ୍‌ ମାଧ୍ୟମରେ ଔଷଧ ତଥା ଅନ୍ୟାନ୍ୟ ଅତ୍ୟାବଶ୍ୟକ ମେଡିକାଲ୍‌ ସାମଗ୍ରୀ ଯୋଗାଣ ନେଇ ଆଜି ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ପକ୍ଷରୁ ହୋଇଥିବା ପରୀକ୍ଷଣ ବିନା କୌଣସି ବାଧାରେ ସମାପ୍ତ ହୋଇଛି।

ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ହୋଇଥିବା ଏହି ପରୀକ୍ଷାମୂଳକ ଡ୍ରୋନ୍‌ ଉଡ଼ାଣ ଏମ୍‌ସ ପରିସରରୁ ଆରମ୍ଭ ହୋଇ ଟାଙ୍ଗି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପର୍ଯ୍ୟନ୍ତ ଯାଇଥିଲା। ମାତ୍ର ୩୫ ମିନିଟ୍‌ ମଧ୍ୟରେ ଏହି ଡ୍ରୋନ୍‌ ୬୦ କିଲୋମିଟର ଅତିକ୍ରମ କରିଥିଲା। ପୁନର୍ବାର ଟାଙ୍ଗିରୁ ଉଡ଼ାଣ ଆରମ୍ଭ କରି ଏମ୍‌ସକୁ ପ୍ରତ୍ୟାବର୍ତ୍ତନ କରିଥିଲା। ମୋଟ ୧୨୦ କିଲୋମିଟରର ସଫଳ ଯାତ୍ରାକୁ ମାତ୍ର ଏକ ଘଣ୍ଟା ୧୦ ମିନିଟ୍‌ ମଧ୍ୟରେ ସମାପ୍ତ କରି ସଫଳତା ହାସଲ କରିଛି। ଏହି ଯାତ୍ରା କାଳରେ ଡ୍ରୋନ୍‌ରେ ଯୋଗାଣ ନିମନ୍ତେ ପ୍ରାୟ ୨ କିଲୋଗ୍ରାମ୍‌ ଓଜନର ରକ୍ତ ଏବଂ ଅନ୍ୟାନ୍ୟ ଔଷଧୀୟ ସାମଗ୍ରୀ ରଖାଯାଇଥିଲା।

- Advertisement -

ଡ୍ରୋନ୍ ମାଧ୍ୟମରେ ଔଷଧ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ବିତରଣ ଗ୍ରାମାଞ୍ଚଳ, ଆଦିବାସୀ ଏବଂ ଅର୍ଦ୍ଧ ସହରାଞ୍ଚଳରେ ସ୍ୱାସ୍ଥ୍ୟ ସେବାକୁ ବୃଦ୍ଧି କରିବ। ଏହି ଡ୍ରୋନ୍ ମାଧ୍ୟମରେ ଟିକା, ଅତ୍ୟାବଶ୍ୟକ ଔଷଧ, ରକ୍ତ ସହିତ ଅନ୍ୟାନ୍ୟ ଏକାଧିକ ପରୀକ୍ଷଣ ସାମଗ୍ରୀ ବହନ କରାଯାଇପାରିବ। ଗୁଣବତ୍ତାପୂର୍ଣ୍ଣ ସ୍ବାସ୍ଥ୍ୟସେବା ଯୋଗାଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଏମ୍‌ସ ଭୁବନେଶ୍ୱର ଓଡ଼ିଶାବାସୀଙ୍କ ଆବଶ୍ୟକ ସମୟରେ ତ୍ବରିତ ସେବା ଯୋଗାଇଦେବା ନିମନ୍ତେ ଏପରି ପଦକ୍ଷେପ ଗ୍ରହଣ କରିଥିବା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ମତବ୍ୟକ୍ତ କରିଛନ୍ତି।
ଯେକୌଣସି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଡ୍ରୋନ୍ ସେବା ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ। ଭୌଗୋଳିକ ପ୍ରତିବନ୍ଧକକୁ ଦୂର କରିବା ସହିତ ଜରୁରୀକାଳୀନ ଔଷଧ, ରକ୍ତ ନମୁନା, ରକ୍ତ ଆଦିକୁ ଦୁର୍ଗମ ଅଞ୍ଚଳରେ ଚିକିତ୍ସା ଯୋଗାଣକୁ ସୁନିଶ୍ଚିତ କରିବ |

ଆଜି ଅନୁଷ୍ଠିତ ଏହି ପରୀକ୍ଷଣରେ ବ୍ୟବହୃତ ଡ୍ରୋନ୍‌ ପ୍ରାୟ ୫କେଜି ପର୍ଯ୍ୟନ୍ତ ସାମଗ୍ରୀ ବହନ କରିବା କ୍ଷମତାସମ୍ପନ୍ନ। ଏଥିସହିତ ଏହା ପ୍ରାୟ ୧୬୦ କିମି ପର୍ଯ୍ୟନ୍ତ ଯାତ୍ରା କରିପାରିବ। ପ୍ରଧାନମନ୍ତ୍ରୀ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ପଦକ୍ଷେପ ଅନୁଯାୟୀ, ଦୁର୍ଗମ ଅଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ଉପଲବ୍ଧତାକୁ ସୁଦୃଢ଼ କରିବା ନିମନ୍ତେ ଏହି ପ୍ରୟୋଗ କରାଯାଉଛି।

ଅନ୍ୟମାନଙ୍କ ମଧ୍ୟରେ ଡ. ସୋନୁ ଏଚ୍‌ ସୁବା, ଡ. ପ୍ରିୟମାଧବ ବେହେରା, ଡ. ଅଭିଷେକ ମିଶ୍ର, ଡ. ସତ୍ୟପ୍ରକାଶ, ଡ. ଅଂଶୁମାନ ସାହୁ, ଭାରପ୍ରାପ୍ତ ଡିଡିଏ ରଶ୍ମିରଂଜନ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories