ନୂଆ ଆଫଗାନ ସେନାର ନାଁ ‘ପାନିପତ୍‌’

କାବୁଲ: ଆଫଗାନିସ୍ତାନର ନାଗରହାର ପ୍ରଦେଶର ଐତିହାସିକ ମହତ୍ତ୍ବ ରହିଛି। ଅଷ୍ଟାଦଶ ଶତାବ୍ଦୀରେ ଏଠାରେ ହୋଇଥିଲା ତୃତୀୟ ପାନିପତ୍‌ ଯୁଦ୍ଧ। ଏହି ଯୁଦ୍ଧରେ ଆଫଗାନ୍‌ ଶାସକ ଅହମ୍ମଦ ଶାହ ଅବଦାଲି ମରାଠା ସେନାକୁ ପରାସ୍ତ କରି ଭାରତରେ ନିଜର ସ୍ଥିତି ସୁଦୃଢ଼ କରିଥିଲେ। ୧୭୬୧ରେ ହୋଇଥିବା ଏହି ଭୟଙ୍କର ଲଢ଼େଇରେ ୬୦ରୁ ୭୦ ହଜାର ସୈନିକଙ୍କ ପ୍ରାଣହାନି ଘଟିଥିଲା ଓ ଅନେକ ବନ୍ଦୀ ହୋଇଥିଲେ। ୨୦୧୯ରେ ଏହି ଲଢ଼େଇ ଆଧାରରେ ନିର୍ମିତ ହୋଇଥିଲା ବଲିଉଡ୍‌ ଚଳଚ୍ଚିତ୍ର ‘ପାନିପତ୍‌’; ଯେଉଁଥିରେ ମରାଠା ସେନାର ବୀରତ୍ବ ଓ ଦେଶପ୍ରେମ ପ୍ରଦର୍ଶନ କରାଯାଇଥିଲା। ଏହି ଚଳଚ୍ଚିତ୍ରକୁ ନେଇ ତତ୍କାଳୀନ ଆଫଗାନିସ୍ତାନ ଦୂତାବାସ ପକ୍ଷରୁ ଭାରତ ସରକାରଙ୍କ ନିକଟକୁ ଲିଖିତ ଚିଠିରେ ଚିନ୍ତା ପ୍ରକଟ କରାଯାଇଥିଲା। ଏହା ଆଫଗାନ୍‌ଙ୍କ ଭାବନାକୁ ଆଘାତ ଦେଉଥିବା ରାଷ୍ଟ୍ରଦୂତ ଦର୍ଶାଇଥିଲେ। ଏବେ ଆଫଗାନିସ୍ତାନର ତାଲିବାନ ଶାସକ ଏହି ଇତିହାସକୁ ପୁନର୍ଜୀବନ ଦେବା ସହ ପ୍ରତିଶୋଧ ନେବା ଭଳି ପଦକ୍ଷେପ ନେଇଛନ୍ତି। ତାଲିବାନ ଶାସକ ଶୁକ୍ରବାର ଦେଶ ପାଇଁ ଗଠନ କରିଛନ୍ତି ସ୍ବତନ୍ତ୍ର ସେନା ଏବଂ ନାଗରହାର ପ୍ରଦେଶରେ ଗଠିତ ଏହି ସେନାର ନାମ ରଖିଛନ୍ତି ‘ପାନିପତ୍‌’। ତାଲିବାନ ଶାସକଙ୍କ ଏହି ପଦକ୍ଷେପ କେବଳ ଇତିହାସକୁ ସ୍ମରଣ କରାଇ ନାହିଁ; ବରଂ ଭାରତ ପାଇଁ କଟା ଘା’ରେ ଚୂନ ଲଗାଇବା ପରି ହୋଇଛି।

ସମ୍ପ୍ରତି କର୍ଣ୍ଣାଟକରେ ଚାଲିଥିବା ହିଜାବ ବିବାଦକୁ ନେଇ ତିନି ଦିନ ପୂର୍ବେ ତାଲିବାନ୍‌ର ଜଣେ ମୁଖପାତ୍ର ଇନାମୁଲ୍ଲା ସମାଙ୍ଗାନି ପ୍ରତିକ୍ରିୟା ପ୍ରକାଶ କରିବା ସହ ମୁସଲମାନ ଛାତ୍ରୀଙ୍କୁ ସମର୍ଥନ କରି ବିବୃତି ଦେଇଥିଲେ। ହିଜାବ କେବଳ ଆଫକାନିସ୍ତାନ, ଇରାନ, ଆରବ, ଇଜିପ୍ଟ କିମ୍ବା ପାକିସ୍ତାନର ସଂସ୍କୃତି ନୁହେଁ; ସମଗ୍ର ବିଶ୍ବରେ ବସବାସ କରୁଥିବା ମୁସଲମାନ ଝିଅଙ୍କ ଇସ୍‌ଲାମିକ୍‌ ମୂଲ୍ୟବୋଧର ପ୍ରତୀକ ବୋଲି ସାବ୍ୟସ୍ତ ହୋଇଛି। ବିଶେଷ ଭାବେ ଧାର୍ମିକ ଭାବନା ଓ ମୂଲ୍ୟବୋଧକୁ ଭିନ୍ନ ଭାବେ ଉପସ୍ଥାପନ କରୁଥିବା ତଥାକଥିତ ଧର୍ମନିରପେକ୍ଷ ରାଷ୍ଟ୍ରରେ ଏହା ପ୍ରତିପାଦିତ ହୋଇଛି ବୋଲି ସମାଙ୍ଗାନି କହିଥିଲେ। ସଂଯୋଗକୁ ‘ପାନିପତ୍‌’ ସେନା ଗଠନ ଦ୍ବାରା ଏବେ ଭାରତର ହିନ୍ଦୁଙ୍କ ପ୍ରତି ପ୍ରତ୍ୟକ୍ଷ ଆହ୍ବାନ ଦିଆଯାଇଛି। ‘ପାନିପତ୍‌’ ଚଳଚ୍ଚିତ୍ରକୁ ନେଇ ସେତେବେଳେ ରାଜସ୍ଥାନର ଜାଠ୍‌ମାନେ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଏବେ ତାଲିବାନ ଦେଇଥିବା ଆହ୍ବାନ କେବଳ ଜାଠ୍‌ ନୁହନ୍ତି; ସମଗ୍ର ଭାରତୀୟ ହିନ୍ଦୁଙ୍କ ପ୍ରତି ତାଚ୍ଛଲ୍ୟ ହୋଇଛି ବୋଲି ବିଶେଷଜ୍ଞମାନେ କହୁଛନ୍ତି।

ଆଫଗାନିସ୍ତାନର ନୂଆ ସୈନ୍ୟବାହିନୀ ‘ପାନିପତ୍‌’ର ନାମକରଣକୁ ନେଇ ସାମାଜିକ ଗଣମାଧ୍ୟମରେ ବେଶ୍‌ ଚର୍ଚ୍ଚା ଆରମ୍ଭ ହୋଇଛି। ଏହା ଭାରତୀୟ ତଥା ହିନ୍ଦୁଙ୍କ ପ୍ରତି ଆହ୍ବାନ ବୋଲି ବହୁ ଇସ୍‌ଲାମ୍‌ ସମର୍ଥକ ମତ ରଖିଛନ୍ତି। କର୍ଣ୍ଣାଟକରେ ହିଜାବର ‘ପୋଷ୍ଟର ଗାର୍ଲ’ ହୋଇଥିବା ମୁସ୍କାନଙ୍କୁ ଶୁଭେଚ୍ଛା ଜଣାଇ ଜଣେ ଲେଖିଛନ୍ତି, ‘ହିନ୍ଦୁମାନେ ଏହାକୁ ଗୁରୁତ୍ବର ସହ ଗ୍ରହଣ କରିବା ଉଚିତ। ଆମେ ଆମର ପୂର୍ବସୂରୀଙ୍କୁ ଭୁଲିଯାଇ ନାହୁଁ। ମୁସ୍କାନ ଭଉଣୀ ଆମେ ତୁମର ଚିତ୍କାର ଶୁଣିପାରୁଛ।’ ଗତ ବର୍ଷ ଅଗଷ୍ଟରେ ତାଲିବାନ ଆଫଗାନିସ୍ତାନରେ କ୍ଷମତା ଦଖଲ କରିଥିଲେ ମଧ୍ୟ ଭାରତ ସରକାର ଏହାକୁ ଅଦ୍ୟାବଧି ସ୍ବୀକୃତି ଦେଇ ନାହାନ୍ତି। ଗତ ଅକ୍ଟୋବରରେ ତାଲିବାନ ନେତା ଆନସ୍‌ ହକାନି ଭାରତ ଆକ୍ରମଣ ସହ ସୋମନାଥ ମନ୍ଦିର ଲୁଣ୍ଠନ କରିଥିବା ତୁର୍କୀ ଶାସକ ସୁଲତାନ ମହମ୍ମଦ ଗଜ୍‌ନିଙ୍କ ସମାଧିସ୍ଥଳ ପରିଦର୍ଶନ କରିବା ସହ ତାଙ୍କୁ ‘ପ୍ରସିଦ୍ଧ ମୁସଲମାନ ଯୋଦ୍ଧା’ ଭାବେ ଅଭିହିତ କରିଥିଲେ। ଗଜନିଙ୍କୁ ସେ ଦଶମ ଶତାବ୍ଦୀର ମୁଜାହିଦ୍‌ ଭାବେ ବର୍ଣ୍ଣନା କରିବା ସହ ବିଶ୍ବରେ ଦୃଢ଼ ଇସ୍‌ଲାମିକ ସାମ୍ରାଜ୍ୟ ନିର୍ମାଣ କରିଥିଲେ ଏବଂ ସୋମନାଥଙ୍କ ମୂର୍ତ୍ତି ଧ୍ବଂସ କରିଥିଲେ ବୋଲି କହି ପ୍ରଣାମ ଜଣାଇଥିଲେ। ଭାରତ ପକ୍ଷରୁ ଯୁଦ୍ଧବିଧ୍ବସ୍ତ

ଆଫଗାନିସ୍ତାନବାସୀଙ୍କ ପାଇଁ ବହୁବିଧ ମାନବୀୟ ସାହାଯ୍ୟ ଯୋଗାଇ ଦେଉଥିଲେ ମଧ୍ୟ ଏହା ତାଲିବାନ ଶାସକଙ୍କ ମନୋଭାବ ପରିବର୍ତ୍ତନରେ ସହାୟକ ହୋଇ ନ ଥିବା ସ୍ପଷ୍ଟ ହୋଇଛି। ଏପରି ସ୍ଥଳେ ଉକ୍ତ ପ୍ରତିକ୍ରିୟା ଭାରତ-ଆଫଗାନିସ୍ତାନ ମଧ୍ୟରେ ସମ୍ପର୍କ ଅଧିକ ବିଗିଡ଼ିଯିବାର ଆଶଙ୍କା ସୃଷ୍ଟି କରିଛି।

Comments are closed.