ଆଫଗାନିସ୍ତାନ ଡାକ୍ତରଖାନା ନିକଟରେ ବିସ୍ଫୋରଣ- ୨୦ମୃତ
କାବୁଲ : ରାଷ୍ଟ୍ରପତି ନିର୍ବାଚନ ଆଉ ମାତ୍ର ସପ୍ତାହେ ବାକି ଥିଲାବେଳେ ଗୁରୁବାର ଆଫଗାନିସ୍ତାନର ଦକ୍ଷିଣାଞ୍ଚଳରେ ପୁନର୍ବାର ଭୟଙ୍କର ବିସ୍ଫୋରଣ ଘଟି ୨୦ଜଣ ପ୍ରାଣ ହରାଇଛନ୍ତି। ଏହି ଆତ୍ମଘାତୀ ବିସ୍ଫୋରଣରେ ୯୫ ଆହତ ହୋଇଛନ୍ତି। ଜାବୁଲ ପ୍ରଦେଶର କ୍ବାଲାଟସ୍ଥିତ ଡାକ୍ତରଖାନା ନିକଟରେ ଭୋର୍ ସମୟରେ ଏକ ଟ୍ରକ୍ରେ ଖଞ୍ଜାଯାଇଥିବା ବୋମା ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣ ପାଇଁ ତାଲିବାନ ନିଜକୁ ଦାୟୀ କରିଛି। ନିକଟବର୍ତ୍ତୀ ଗୁଇନ୍ଦା ବିଭାଗ କାର୍ୟ୍ୟାଳୟରେ ଚାଲିଥିବା ତାଲିମ ଶିବରକୁ ନିଶାଣ କରାଯାଇଥିଲେ ସୁଦ୍ଧା ଏହା ଡାକ୍ତରଖାନା ନିକଟରେ ବିସ୍ଫୋରିତ ହୋଇଥିବା ତାଲିବାନ ପକ୍ଷରୁ ଏକ ବିବୃତିରେ କୁହାଯାଇଛି।
ସରକାରୀ ଅଧିକାରୀଙ୍କ ସୂଚନାନୁଯାୟୀ, ଏକ ମିନି ଟ୍ରକ୍ରେ ଘଟଣାସ୍ଥଳକୁ ବୋମା ନିଆଯାଇଥିଲା। ବିସ୍ଫୋରଣ ସ୍ଥଳରେ ଉଦ୍ଧାର କାର୍ୟ୍ୟ ଜାରି ରହିଛି। ମୃତାହତଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁଙ୍କ ସହ ବହୁସଂଖ୍ୟକ ରୋଗୀ, ଡାକ୍ତରଖାନା କର୍ମଚାରୀ ଅଛନ୍ତି। ମଙ୍ଗଳବାର ଦୁଇଟି ଆତ୍ମଘାତୀ ବିସ୍ଫୋରଣରେ ପ୍ରାୟ ୫୦ଜଣ ପ୍ରାଣ ହରାଇଥିଲେ। ଗୋଟିଏ ସ୍ଥାନରେ ଦେଶର ରାଷ୍ଟ୍ରପତି ଅଳ୍ପକେ ବର୍ତ୍ତି ଯାଇଥିଲେ।