ଅତିରିକ୍ତ ଏସପି ଶ୍ରୀହର୍ଷ ମିଶ୍ରଙ୍କ ପରଲୋକ, ରାଜ୍ୟ ପୁଲିସ ମୁଖ୍ୟ କାର୍ଯ୍ୟାଳୟରେ ଶୋକସଭା
କଟକ: ରାଜ୍ୟ ପୁଲିସ ମୁଖ୍ୟ କାର୍ଯ୍ୟାଳୟରେ କାର୍ୟ୍ୟରତ ଥିବା ଅତିରିକ୍ତ ଏସପି ଶ୍ରୀହର୍ଷ ମିଶ୍ରଙ୍କ ଆଜି ସକାଳେ ଅକାଳ ବିୟୋଗ ଘଟିଛି । ଦୀର୍ଘଦିନ ଧରି ସେ ଦୂରାରୋଗ୍ୟରେ ପୀଡିତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ଦେହାନ୍ତ ଘଟିଛି।
ଏହି ଅବସରରେ ଆଜି ରାଜ୍ୟ ପୁଲିସ ମୁଖ୍ୟ କାର୍ୟ୍ୟକ୍ଷଳୟ ପରିସରରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ଆର. କେ. ଶର୍ମାଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଏବଂ କର୍ମଚାରୀ ଏହି ଶୋକ ସଭାରେ ଯୋଗଦେଇ ସ୍ଵର୍ଗତ ମିଶ୍ରଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରିଥିଲେ।
ସ୍ଵର୍ଗତ ମିଶ୍ର ଜଣେ ଦକ୍ଷ ପୁଲିସ ଅଧିକାରୀ ଭାବେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ବୋଲି ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ଆର. କେ. ଶର୍ମା ମତବ୍ୟକ୍ତ କରିଥିଲେ । ନିଜ ଚାକିରି କାର୍ଯ୍ୟକାଳ ସମୟରେ ବିଭିନ୍ନ ଜିଲାରେ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହି ଦକ୍ଷତାର ସହ କାର୍ଯ୍ୟନିର୍ବାହ କରିଥିଲେ ବୋଲି ସେ କହିଥିଲେ । ଏହା ସହ ସ୍ଵର୍ଗତ ମିଶ୍ରଙ୍କ ପରିବାର ବର୍ଗଙ୍କ ପ୍ରତି ମଧ୍ୟ ସେ ସମବେଦନା ଜ୍ଞାପନ କରିଥିଲେ। ତାଙ୍କ ବିୟୋଗ ସମାଜ ତଥା ପୋଲିସ ବିଭାଗ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ନିଜ ପ୍ରତିକ୍ରିୟାରେ କହିଥିଲେ।
ଏହି ଶୋକସଭାରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା ) ସଞ୍ଜୟ କୁମାର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନୀକିକରଣ) ଦୟାଲ ଗଙ୍ଗୱାର, ଆଇଜିପି (ପ୍ରୋଭିଜନିଙ୍ଗ) ଯତୀନ୍ଦ୍ର କୋୟଲ, ଆଇଜିପି (ପର୍ସୋନେଲ) ପ୍ରବୀଣ କୁମାର ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.