‘କିଟ୍‌ ପ୍ରସଙ୍ଗରେ ଆଇନ ଅନୁଯାୟୀ ହେବ କାର୍ଯ୍ୟାନୁଷ୍ଠାନ’

ଭୁବନେଶ୍ବର: କିଟ୍‌ ପ୍ରସଙ୍ଗରେ ପୁଲିସ ଅପରାଧ ଦିଗରେ ତଦନ୍ତ କରୁଥିବାବେଳେ ଉଚ୍ଚସ୍ତରୀୟ କମିଟି ଘଟଣା କାହିଁକି ଘଟିଲା ତା’ଉପରେ ତଦନ୍ତ କରୁଛି। ଯିଏ ଯେତେବଡ଼ ଲୋକ ହୁଅନ୍ତୁ ନା କାହିଁକି ଆଇନଠାରୁ କେହି ଊର୍ଦ୍ଧ୍ବରେ ନୁହନ୍ତି। ଯିଏ ଯେତେ ଶକ୍ତିଶାଳୀ ହେଲେ ବି ଏ ସରକାର ତଦନ୍ତ କରି ନିଶ୍ଚିତ ଭାବେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ବିଧାନସଭାରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି। ନେପାଳ ଛାତ୍ରୀ ଆତ୍ମହତ୍ୟା ଘଟଣାରେ କିଟ୍‌ ପ୍ରତିଷ୍ଠାତାଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ କାହିଁକି ପଛଘୁଞ୍ଚା ଦେଉଛନ୍ତି ବୋଲି ବିଜେଡି ପ୍ରଶ୍ନ କରିଥିବାବେଳେ କଂଗ୍ରେସ ନ୍ୟାୟିକ ତଦନ୍ତ ସହ କିଟ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଗିରଫ କରିବାକୁ ଦାବି କରିଥିଲା। ଅନ୍ୟପକ୍ଷରେ କିଟ୍‌ ସାମ୍ରାଜ୍ୟ ବିସ୍ତାର ପାଇଁ ଶାସକ ବିଜେପି ବିଜେଡିକୁ ଦାୟୀ କରିଥିଲା।
ବିରୋଧୀ ବିଜେଡି ଓ କଂଗ୍ରେସ ପକ୍ଷରୁ ଆଗତ ମୁଲତବୀ ପ୍ରସ୍ତାବ ଆଲୋଚନାର ଉତ୍ତର ରଖି ଉଚ୍ଚଶିକ୍ଷା ମନ୍ତ୍ରୀ କହିଥିଲେ, ପୂର୍ବ ସରକାରରେ କୌଣସି ଘଟଣା ଘଟିଲେ ନବୀନ ବାବୁ କହୁଥିଲେ ଆଇନ ତା’ ବାଟରେ ଯିବ। କିନ୍ତୁ ଆଇନ ତା’ ବାଟରେ ଯାଉ ନ ଥିଲା। କିନ୍ତୁ ଏ ସରକାରରେ ଆଇନଠାରୁ କେହି ଊର୍ଦ୍ଧ୍ବରେ ନୁହନ୍ତି। ଉଚ୍ଚସ୍ତରୀୟ କମିଟି କିଟ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସହିତ ୮କର୍ମଚାରୀଙ୍କୁ ଜେରା କରିଛନ୍ତି। ଆତ୍ମହତ୍ୟା କରିଥିବା ଛାତ୍ରୀଙ୍କ ଅଭିଯୋଗ କ’ଣ ପାଇଁ କିଟ୍‌ କର୍ତ୍ତୃପକ୍ଷ ବିଚାର କଲେନାହିଁ, କ’ଣ ପାଇଁ ନେପାଳ ଛାତ୍ରଛାତ୍ରୀଙ୍କୁ ଗୁଣ୍ଡା ଲଗାଇ ମାଡ଼ ମାରି କଟକ ଓ ଭୁବନେଶ୍ବର ରେଳ ଷ୍ଟେସନରେ ଛାଡ଼ି ଦିଆଗଲା। ବିଶ୍ବବିଦ୍ୟାଳୟରେ କ’ଣ ପାଇଁ କେବଳ ନେପାଳ ଛାତ୍ରଛାତ୍ରୀଙ୍କ ପାଇଁ ସାଇନ୍-ଏ-ଡାଏ ଘୋଷଣା କରାଗଲା? ସେ ଦିଗ ଉପରେ ତଦନ୍ତ କରିବ ଉଚ୍ଚସ୍ତରୀୟ କମିଟି। ବିରୋଧୀ ସରକାରଙ୍କ ଉପରେ ଯେଉଁ ରାଜନୈତିକ ଚାପ ରହିଛି ବୋଲି ଅଙ୍ଗୁଳି ନିର୍ଦେଶ କରୁଛନ୍ତି ତା’ର କୌଣସି ସତ୍ୟତା ନାହିଁ। ବରଂ ରାଜନୈତିକ ଚାପ ବିରୋଧୀ ଦଳ ଉପରେ ରହିଛି। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ବାପା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହିତ ଫଟୋ ନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଛି। କିନ୍ତୁ ଏଥିରେ କୌଣସି ସତ୍ୟତା ନାହିଁ। ଉକ୍ତ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ସହିତ କେନ୍ଦ୍ର ସରକାର ଯୋଗାଯୋଗରେ ରହିଛନ୍ତି। ଅଭିଯୁକ୍ତ ଛାତ୍ରକୁ ପୁଲିସ ରିମାଣ୍ଡରେ ଆଣି ପଚରାଉଚରା କରୁଛି। କିଟ୍‌ର ସିକ୍ୟୁରିଟି ଗାର୍ଡ, ଗୁଣ୍ଡା ଏବଂ କର୍ମଚାରୀଙ୍କୁ ମିଶାଇ ମୋଟ ୧୦ଜଣଙ୍କୁ ଗିରଫ କରାଯାଇଛି। ପୁଲିସ ଆଧୁନିକ ବୈଷୟିକ ପ୍ରଯୁକ୍ତିବିଦ୍ୟା ଉପଯୋଗ କରି ତଦନ୍ତ କରୁଛି।
ମୁଲତବୀ ପ୍ରସଙ୍ଗରେ ଆଲୋଚନା ଆରମ୍ଭ କରି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଥିଲେ, ନେପାଳ ସହିତ ଭାରତ, ଓଡ଼ିଶା ଏବଂ ପଶୁପତିନାଥଙ୍କ ସହିତ ଜଗନ୍ନାଥଙ୍କ ନିବିଡ଼ ସମ୍ପର୍କ ରହିଛି। ହେଲେ କିଟ୍‌ରେ ଯେଉଁ ଘଟଣା ଘଟିଲା ମା’ ମାଟିର ସ୍ବାଭିମାନ ଦୃଷ୍ଟିରୁ ଘଟଣାର ନ୍ୟାୟିକ ତଦନ୍ତ ସହ କିଟ୍‌ ପ୍ରତିଷ୍ଠାତାଙ୍କୁ ଗିରଫ କରାଯାଉ। କିଟ୍‌ର କର୍ମଚାରୀ ନେପାଳ ଛାତ୍ରଛାତ୍ରୀଙ୍କୁ କହୁଛନ୍ତି, ତୁମ ଦେଶର ବଜେଟ ଯେତିକି ଟଙ୍କା ନୁହେଁ, କିଟ୍‌ ଛାତ୍ରଛାତ୍ରୀଙ୍କୁ ସେତିକି ଟଙ୍କା ଖାଇବାକୁ ଦିଆଯାଉଛି। ପୁଣି ଗୁଣ୍ଡା ଓ ବାଉନ୍‌ସର ଲଗାଇ ନେପାଳ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରି ଭୁବନେଶ୍ବର ଏବଂ କଟକ ରେଳ ‌େ‌ଷ୍ଟସନରେ ଛାଡ଼ିଥିଲେ। ରାଜ୍ୟର କେତେକ ଆଇଏଏସ୍‌ ଓ ଆଇପିଏସ୍‌ଙ୍କ ପରିବାର ସଦସ୍ୟ କିଟ୍‌ରେ ଚାକିରି କରିଛନ୍ତି, ସିସିଟିଭି ଯାଞ୍ଚ କରି ସତ୍ୟତା ପ୍ରକାଶ କରାଯାଉ। ଜଗନ୍ନାଥ, ଆଦିବାସୀଙ୍କ ନାଁରେ ଯିଏ ଖାଇବ ସେ ନିଶ୍ଚିତ ଭାବେ ଲୋକଲୋଚନକୁ ଆସିବ। ବିଶ୍ବବିଦ୍ୟାଳୟରେ କେବଳ ନେପାଳ ଛାତ୍ରଛାତ୍ରୀଙ୍କ ପାଇଁ ସାଇନ୍-ଏ-ଡାଏ ଘୋଷଣା କରାଯାଇଥିଲା। ରାଜ୍ୟରେ ଶିକ୍ଷକ ଭୁଲ୍‌ କଲେ ତାକୁ ନିଲମ୍ବିତ କରି ଜେଲ୍‌କୁ ପଠାଇ ଦିଆଯାଉଥିବାବେଳେ କାହିଁକି ଏପର‌୍ୟ୍ୟନ୍ତ ଅଚ୍ୟୁତଙ୍କ ଉପରେ କାର‌୍ୟ୍ୟାନୁଷ୍ଠାନ ନିଆଯାଇନି। ଅଶାଳୀନ ବ୍ୟବହାର କରିଥିବା ମହିଳାଙ୍କୁ କାହିଁକି ଗିରଫ କରାଯାଇନି ବୋଲି ତାରା ପ୍ରଶ୍ନ କରିଥିଲେ।
ବିଜେଡି ବିଧାୟକ ଗଣେଶ୍ବର ବେହେରା କହିଥିଲେ, ରାଜ୍ୟ ସରକାରଙ୍କ ଚରମ ଉଦାସୀନତାରୁ କିଟ୍‌ ଘଟଣା ଉଗ୍ର ରୂପ ନେଇଛି। ଆତ୍ମହତ୍ୟା କରିଥିବା ଛାତ୍ରୀ ଜଣକ ୫ସପ୍ତାହ ଧରି କର୍ତ୍ତୃପକ୍ଷଙ୍କ ପାଖରେ ନିର‌୍ୟାତନା ଅଭିଯୋଗ କରି ଆସୁଥିବା ବେଳେ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେନାହିଁ। ଉଚ୍ଚଶିକ୍ଷା ମନ୍ତ୍ରୀ ଘରୋଇ ବିଶ୍ବବିଦ୍ୟାଳୟ ଓ ଘରୋଇ ପ୍ରସଙ୍ଗ ବୋଲି ଗଣମାଧ୍ୟମରେ ମତାମତ ଦେଇ ଏହାକୁ ହାଲୁକା ଭାବେ ନେବାରୁ ଘଟଣା ଉଗ୍ରରୂପ ନେଲା। ନେପାଳ ପ୍ରଧାନମନ୍ତ୍ରୀ ଘଟଣାକୁ ନେଇ ‘ଏକ୍ସ’ରେ ନିନ୍ଦା କରିବାରୁ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଥିଲେ। କିଟ୍‌ରେ ନେପାଳର ୯ଶହ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବାବେଳେ ୮୦୦ବିଦ୍ୟାର୍ଥୀ ଫେରିନାହାନ୍ତି। ସରକାର ଉଚ୍ଚସ୍ତରୀୟ କମିଟି ଗଠନ କରିଥିବାବେଳେ ଏହି କମିଟି କେଉଁ ଦିଗରୁ ତଦନ୍ତ କରିବ ଏବଂ ତଦନ୍ତ ରିପୋର୍ଟ କେବେ ପ୍ରକାଶ କରାଯିବ ସେ ବିଷୟରେ ଉଚ୍ଚଶିକ୍ଷା ମନ୍ତ୍ରୀ ଗୃହରେ ସ୍ପଷ୍ଟୀକରଣ ରଖିବାକୁ ସେ ଦାବି କରିଥିଲେ।
ବିଜେପି ବିଧାୟକ ବାବୁ ସିଂ କହିଥିଲେ, ୧୯୯୧ରେ ମହର୍ଷିରେ ୮୦୦ ଟଙ୍କା ଦରମା ପାଇ ପାଠ ପଢ଼ାଉଥିବା ବ୍ୟକ୍ତି ୩୨ ବର୍ଷ ପରେ ୧୫ ହଜାର କୋଟି ଟଙ୍କାର ମାଲିକ ହୋଇଛନ୍ତି। ବିଗତ ଦିନରେ ସାରଥି ବାବା ଭଣ୍ଡାମି କରି ସମାଜକୁ କଳୁଷିତ କରିଥିବାବେଳେ ବର୍ତ୍ତମାନ ପରିସ୍ଥିତିରେ ସେହିଭଳି ଜଣେ ବ୍ୟକ୍ତି ଆଦିବାସୀ, ଡାକ୍ତର ଏବଂ ସମାଜ ନାଁରେ ଦେଶ ଓ ରାଜ୍ୟର ଛବିକୁ ମଳିନ କରିଛନ୍ତି। ଆଦିବାସୀ ଜମି ଦୁର୍ନୀତି, ଜଙ୍ଗଲ ଜମିରେ ଅଟ୍ଟାଳିକା କରିଛନ୍ତି। ଦୁର୍ନୀତି ପାଇଁ ବିଜେଡି ସରକାର ତାଙ୍କୁ ପ୍ରୋତ୍ସାହନ ଦେଲା ଏବଂ ସାଂସଦ କରିଥିଲା। ଜଙ୍ଗଲ ଜମି ଏବଂ ବିଡିଏର ବିନା ଅନୁମୋଦନରେ ବିଲ୍ଡିଂ ନିର୍ମାଣ କରାଯାଇଛି। ଏସ୍‌ସି/ଏସ୍‌ଟି ଲୋକଙ୍କୁ ଅଚ୍ୟୁତ ଆଣି ତାଙ୍କ ସଂସ୍ଥାରେ ଚାକିରି ଦେଉଛନ୍ତି। ଚାକିରି କରିବାର କିଛି ମାସ ପରେ ଆଦିବାସୀଙ୍କୁ କମ୍‌ ଟଙ୍କାରେ ତାଙ୍କ ଜମି ବିକ୍ରି କରିବାକୁ କହୁଛନ୍ତି। ସଂସ୍ଥାକୁ କେନ୍ଦ୍ର ସରକାର ବର୍ଷକୁ ୧୨କୋଟି ଟଙ୍କା ଦେଉଥିବାବେଳେ ବିଭିନ୍ନ ଏନ୍‌ଜିଓରୁ ୨୧ କୋଟି ୪୨ଲକ୍ଷ, ବିଦେଶୀ ସଂସ୍ଥାରୁ ୨୦କୋଟି, ରାଜ୍ୟ ସରକାର ୫କୋଟି ଏବଂ ଟଙ୍କିକିଆ ଚାଉଳ ବାବଦରେ ବାର୍ଷିକ ୨୨ କୋଟି ୫୦ଲକ୍ଷ ଟଙ୍କା ସଂସ୍ଥା ପାଉଛି।

Comments are closed.