ଗଣ, ଗଣତନ୍ତ୍ର ଓ ଗଣମାଧ୍ୟମ

ଭୁବନେଶ୍ଵର: ଗଣତନ୍ତ୍ରରେ ଗଣଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଗଣ ଅର୍ଥ ସାଧାରଣ ଲୋକ। ଗଣତନ୍ତ୍ରରେ ଏହି ସାଧାରଣ ଲୋକ ନିର୍ବାଚନରେ ଭୋଟ ଦେଇ ନିଜ ମନମୁତାବକ ତାଙ୍କର ନେତା ଓ ସରକାରକୁ ନିର୍ବାଚିତ କରନ୍ତି। ଗଣତନ୍ତ୍ରର ଅର୍ଥ ହେଉଛି ଲୋକଙ୍କର, ଲୋକଙ୍କ ଦ୍ୱାରା ଓ ଲୋକଙ୍କ ପାଇଁ ଗଠିତ ହେଉଥିବା ସରକାର। ତେଣୁ ଗଣତନ୍ତ୍ରରେ ଗଣ ହେଉଛନ୍ତି ସର୍ବେସର୍ବା; କିନ୍ତୁ ଅନେକ ସମୟରେ ନିର୍ବାଚିତ ହୋଇଯିବା ପରେ ସରକାର ଗଣଙ୍କୁ ଅବହେଳା ପ୍ରଦର୍ଶନ କରି ସେମାନଙ୍କ ମତକୁ ପ୍ରାଧାନ୍ୟ ଦିଏ ନାହିଁ। ଏଭଳି ନେତାମାନେ ନିଜକୁ ଅତି ଲୋକପ୍ରିୟ କହି କିମ୍ବା ତାଙ୍କର ଚାଟୁକାରଙ୍କ ଦ୍ୱାର କୁହାଇ ଦୁର୍ନୀତିରେ ବୁଡ଼ିଯାଆନ୍ତି ଓ ଅନେକ ଲୋକବିରୋଧୀ କାର୍ଯ୍ୟ କରିଚାଲନ୍ତି। ଅଜସ୍ର ଅର୍ଥ ବିନିମୟରେ ଶାସନକଳକୁ ନିୟନ୍ତ୍ରିତ କରି ଲୋକଙ୍କ ପାଖରେ ତାଙ୍କର, ରାଜ୍ୟ ବା ଦେଶର ବିକାଶର ଡିଣ୍ଡିମ ପିଟି ସେମାନଙ୍କୁ ବିଭ୍ରାନ୍ତ କରନ୍ତି। ପାଞ୍ଚବର୍ଷ ଅତିକ୍ରାନ୍ତ ହୋଇଯିବା ପରେ ପୁଣି ଯେତେବେଳେ ନିର୍ବାଚନ ଆସେ ତାଙ୍କର ସୁନେଲି ସ୍ୱପ୍ନ ଭାଙ୍ଗିଯାଏ ଓ ପରିସ୍ଥିତିର ନଗ୍ନ ବାସ୍ତବତାକୁ ଦେଖି ସେମାନେ ଚମକି ଉଠନ୍ତି।
ବିଶ୍ୱର ବୃହତ୍ତମ ଗଣତନ୍ତ୍ର ହେଉଛି ଭାରତବର୍ଷ। ନାଗରିକଙ୍କ ମୌଳିକ ଅଧିକାରଗୁଡ଼ିକ ସହିତ ସାଧାରଣ ଅଧିକାରକୁ ମଧ୍ୟ ସମ୍ବିଧାନରେ ସମସ୍ତ ସୁରକ୍ଷା ଦିଆଯାଇଛି। ସମ୍ବିଧାନର ୧୪ ଧାରାରେ ନାଗରିକଙ୍କୁ ଆଇନ ଆଗରେ ସମସ୍ତେ ସମାନ ଓ ସେମାନଙ୍କୁ ସମାନ ଭାବରେ ଆଇନର ସୁରକ୍ଷା ପ୍ରଦାନ କରିବା ରାଜ୍ୟର ଦାୟିତ୍ୱ ବୋଲି ଉଲ୍ଲିଖିତ ଅଛି। ଧାରା ୧୯ରେ ନାଗରିକର ବାକ୍ ସ୍ୱାଧୀନତା ରହିଛି ଓ ଗଣମାଧ୍ୟମ ସ୍ୱାଧୀନ ଭାବରେ, ବିନା ଭୟ ଓ ସଂକୋଚରେ ତା’ର ମତ ବ୍ୟକ୍ତ କରିପାରିବାର ଅଧିକାର ରହିଛି। ତେଣୁ ଶାସନରେ ଓ ସମାଜରେ ଯେ କୌଣସି ତ୍ରୁଟିବିଚ୍ୟୁତି ଉପରେ ଗଣମାଧ୍ୟମ ତାର ସ୍ୱାଧୀନ ମତବ୍ୟକ୍ତ କରିପାରିବ। ଏଥିରୁ ସ୍ପଷ୍ଟ ଅନୁମେୟ ଯେ ସମ୍ବିଧାନ ଗଣମାଧ୍ୟମ ଉପରେ କେତେ ବଡ଼ ଗୁରୁଦାୟିତ୍ୱ ନ୍ୟସ୍ତ କରିଛି। ସ୍ୱାଧୀନ ଭାବରେ ମତ ପ୍ରକାଶ କରି ସବୁ କ୍ଷେତ୍ରରେ ନ୍ୟାୟ ଦେବାରେ ସାହାଯ୍ୟ କରିବା ଗଣମାଧ୍ୟମର ଧର୍ମ ଓ ମହାନ କର୍ତ୍ତବ୍ୟ। ସମ୍ବିଧାନର ୧୯ ଧାରାରେ ନାଗରିକର ଜୀବନ ଓ ବ୍ୟକ୍ତିଗତ ସ୍ୱାଧୀନତାକୁ ସୁରକ୍ଷା ପ୍ରଦାନ କରାଯାଇଛି। ଗଣତନ୍ତ୍ର ଓ ସାଧାରଣ ଲୋକଙ୍କର ମୂଲ୍ୟବାନ ଅଧିକାରଗୁଡ଼ିକୁ ସୁରକ୍ଷା ଦେବାରେ ସମ୍ବିଧାନର ଏ ତିନି ଧାରାର ପ୍ରମୁଖ ଭୂମିକା ରହିଛି। ଏ ସବୁ ସତ୍ତ୍ବେ କେତେକ ସ୍ୱେଚ୍ଛାଚାରୀ ଶାସକ ସାଧାରଣ ଲୋକଙ୍କର ଏ ସବୁ ଗଣତାନ୍ତ୍ରିକ ଅଧିକାରକୁ ପଦଦଳିତ କରିବାର ଦୁଃସାହସ କରିଛନ୍ତି। ନିର୍ବାଚନ ଆସିଲେ ଜନସାଧାରଣ ତାଙ୍କୁ ଉପଯୁକ୍ତ ଶାସ୍ତି ଦିଅନ୍ତି। ଏ କ୍ଷେତ୍ରରେ ସବୁଠାରୁ ଜ୍ୱଳନ୍ତ ଉଦାହରଣ ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଗାନ୍ଧୀଙ୍କର ଦେଶରେ ଏକଛତ୍ରବାଦୀ ଶାସନ ପ୍ରତିଷ୍ଠା କରିବା ପାଇଁ ଗଣତନ୍ତ୍ରକୁ ହତ୍ୟା କରିବାର ଅଭିଯାନ ଓ ଦେଶରେ ଜରୁରୀ ଅବସ୍ଥା ଜାରି।
ଗଣତନ୍ତ୍ର ଓ ଗଣତାନ୍ତ୍ରିକ ପରମ୍ପରାକୁ ପଦଦଳିତ କରି ଦେଶରେ ଏକଛତ୍ରବାଦୀ ଶାସନ ଜାହିର କରିବାକୁ ହେଲେ ବିଚାର ବିଭାଗ ଏକ ବଡ଼ ପ୍ରତିବନ୍ଧକ ହୋଇ ଠିଆହେବ। ତେଣୁ ଶ୍ରୀମତୀ ଗାନ୍ଧୀଙ୍କର ପ୍ରଥମ ଆକ୍ରମଣ ହେଲା ବିଚାର ବିଭାଗ ଉପରେ। ସୁପ୍ରିମ୍କୋର୍ଟର ତିନିଜଣ ବିଜ୍ଞ ଓ ବରିଷ୍ଠ ବିଚାରପତି ଜଷ୍ଟିସ ସେଲାଟ, ଜଷ୍ଟିସ୍ ହେଗଡ଼େ ଓ ଜଷ୍ଟିସ୍ ଗ୍ରୋଭରଙ୍କୁ ଉପେକ୍ଷା କରି ସେମାନଙ୍କଠାରୁ କନିଷ୍ଠ ଜଷ୍ଟିସ୍ ଏ.ଏନ୍. ରାୟଙ୍କୁ ପ୍ରଧାନ ବିଚାରପତି ଭାବେ ନିଯୁକ୍ତି ଦିଆଗଲା। ଏହା ସମ୍ପୂର୍ଣ୍ଣ ଅନ୍ୟାୟ ଓ ଅପମାନଜନକ ହୋଇଥିବାରୁ ଏ ତିନି ସମ୍ମାନିତ ବିଚାରପତି ତାଙ୍କ ପଦରୁ ଇସ୍ତଫା ଦେଇଦେଲେ। ସର୍ବୋଚ୍ଚ ବିଚାରାଳୟର ସ୍ୱାଧୀନତା, ସମ୍ମାନ ଓ ମର୍ଯ୍ୟାଦାକୁ ଏ ଭଳି ଭାବରେ ଅପହରଣ କରିବା ଦେଖି ସମଗ୍ର ଦେଶ ସ୍ତବ୍ଧ ହୋଇଗଲା। ଏହାର ପ୍ରତିବାଦ କରି ଦେଶର ସ୍ୱାଧୀନଚେତା ଆଇନଜୀବୀମାନେ ରାଜରାସ୍ତାକୁ ଓହ୍ଲାଇ ଆସିଲେ ଓ ଚାଲିଲା ଆଇନଜୀବୀ ଆନ୍ଦୋଳନ। ମୁଁ ସେତେବେଳେ ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ କ୍ରିୟାନୁଷ୍ଠାନ କମିଟିର ଚେୟାରମ୍ୟାନ ଭାବେ ନିର୍ବାଚିତ ହୋଇ ରାଜ୍ୟରେ ଆଇନଜୀବୀମାନଙ୍କ ନେତୃତ୍ୱ ନେଇଥିଲି। ସେମାନଙ୍କୁ ନେଇ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ସାଧାରଣ ସଭାମାନ କରି ଜନସାଧାରଣଙ୍କୁ ଶ୍ରୀମତୀ ଗାନ୍ଧୀଙ୍କର ଏ ଏକଛତ୍ରବାଦୀ ଶାସନର ବିରୋଧରେ ଲଢ଼େଇ କରିବାକୁ ଆହ୍ୱାନ ଦେଇଥିଲୁ। ସେତେବେଳକୁ ଲୋକନାୟକ ଜୟପ୍ରକାଶ ଜୀଙ୍କ ସମ୍ପୂର୍ଣ୍ଣ କ୍ରାନ୍ତି ଆନ୍ଦୋଳନ ଆରମ୍ଭ ହୋଇଯାଇଥାଏ। ଗଣତନ୍ତ୍ରକୁ ହତ୍ୟାକରି ଲୋକମତକୁ ଦମନ କରିବା ପାଇଁ ଶ୍ରୀମତୀ ଗାନ୍ଧୀଙ୍କର ଅଭିଯାନକୁ ପ୍ରତିହତ କରିବାକୁ ଏହା ଗଣତନ୍ତ୍ର ସୁରକ୍ଷା ଆନ୍ଦୋଳନରେ ପରିଣତ ହେଲା। ଏଥିରେ ଭାରତୀୟ ଜନସଂଘ, ସଂଗଠନ କଂଗ୍ରେସ, ସମାଜବାଦୀ ପାର୍ଟି, ସ୍ୱୟଂ ସେବକ ସଂଘ, ସର୍ବୋଦୟ ସଂଗଠନ ସମେତ ସବୁ ବିରୋଧୀ ଶକ୍ତି ଯୋଗଦେବାରୁ ଏହା ଅତୀବ ଉଗ୍ର ହୋଇ ଉଠିଲା। ୧୯୭୫ ମସିହା ଜୁନ ୨୫ ତାରିଖ ଅର୍ଦ୍ଧ ରାତ୍ରିରେ ଶ୍ରୀମତୀ ଗାନ୍ଧୀ ଦେଶରେ ଜରୁରୀ ଅବସ୍ଥା ଜାରି କଲେ। ଜୟ ପ୍ରକାଶଜୀ, ମୋରାରଜୀ ଭାଇ ଦେଶାଇ, ଅଟଳ ବିହାରୀ ବାଜପେୟୀ, ଲାଲକୃଷ୍ଣ ଆଡୱାଣୀ, ବିଜୁ ପଟ୍ଟନାୟକଙ୍କ ସମେତ ଅନେକ ପ୍ରମୁଖ ନେତାଙ୍କୁ ଗିରଫ କରି ଜେଲ୍ଖାନାରେ ରଖାଗଲା। ଓଡ଼ିଶାରେ ଡ. ହରେକୃଷ୍ଣ ମହତାବ ଓ ନବକୃଷ୍ଣ ଚୌଧୁରୀଙ୍କ ସହ ପ୍ରତ୍ୟେକ ଦିନ ଆମ ବିରୋଧୀ ଦଳ ନେତାମାନଙ୍କର ବୈଠକ ହୁଏ ଓ ଏ ଆନ୍ଦୋଳନ କିଭଳି ତୀବ୍ର କରିବାକୁ ହେବ ତାର ଯୋଜନା କରାଯାଇଥାଏ। ପ୍ରଥମେ ଡ. ମହତାବ ଓ ନବକୃଷ୍ଣ ଚୌଧୁରୀଙ୍କୁ ମିସା ଆଇନରେ ଗିରଫ କରାଗଲା ଓ ତା’ପରେ ମୁଁ ଜୁଲାଇ ୩ ତାରିଖରେ ଏବଂ ଅନ୍ୟ ଯେଉଁମାନେ ଗଣତନ୍ତ୍ର ସୁରକ୍ଷା ଆନ୍ଦୋଳନରେ ଖୁବ୍ ସକ୍ରିୟ ଥିଲୁ ପର୍ଯ୍ୟାୟ କ୍ରମେ ମିସା ଆଇନ ବଳରେ ଗିରଫ ହୋଇ ଜେଲ୍ଖାନାରେ ରହିଲୁ। ଦେଶର ପ୍ରାୟ ଦେଢ଼ ଲକ୍ଷ ଲୋକ ଗିରଫ ହୋଇ ଜେଲ୍ ଗଲେ। ଆତଙ୍କବାଦରେ ସମଗ୍ର ଦେଶ ଶିହରି ଉଠିଲା। ସାରା ଦେଶ ସତେଯେମିତି ଏକ ଜେଲ୍ଖାନାରେ ପରିଣତ ହୋଇଗଲା। ଦୀର୍ଘ ୧୯ ମାସ ଧରି ଚାଲିଲା ଜରୁରୀ ଅବସ୍ଥାର କାଳରାତ୍ରି ଓ ଅନ୍ଧାଧୁନିଆ ଗିରଫଦାରୀ। ଗଣମାଧ୍ୟମର କଣ୍ଠରୋଧ କରି ଦିଆଗଲା। ସରକାରଙ୍କ ବିନା ଯାଞ୍ଚରେ ଗଣମାଧ୍ୟମ କୌଣସି ସମ୍ବାଦ ପ୍ରକାଶ କରିପାରିଲା ନାହିଁ। ଫଳରେ ଦେଶର ବିଭିନ୍ନ ପ୍ରାନ୍ତରେ କ’ଣ ଘଟୁଛି ଆମେ ଜାଣିପାରିଲୁ ନାହିଁ। ଭାରତୀୟମାନେ କୌଣସି ଶାସକର ଗର୍ବ, ଅହଂକାର ଓ ଦମନଲୀଳାକୁ କେବେ ବରଦାସ୍ତ କରିନାହାନ୍ତି। ୧୯ ମାସ ପରେ ଦେଶରେ ଯେଉଁ ସାଧାରଣ ନିର୍ବାଚନ ହେଲା ସେଥିରେ ଇନ୍ଦିରା କଂଗ୍ରେସ ମୂଳମୋଛ ହୋଇଗଲା। ଶ୍ରୀମତୀ ଗାନ୍ଧୀ ଓ ତାଙ୍କର ଅତ୍ୟାଚାରୀ ପୁତ୍ର ସଞ୍ଜୟ ଗାନ୍ଧୀ ନିର୍ବାଚନରେ ପରାଜିତ ହେଲେ। ଗଣମାଧ୍ୟମର ସ୍ୱାଧୀନତା ଫେରି ଆସିଲା ଓ ଭାରତର ଆକାଶରେ ପୁଣି ଗଣତନ୍ତ୍ରର ବିଜୟ ଧ୍ୱଜା ସଗର୍ବ ଫରଫର ହୋଇ ଉଡ଼ିଲା।
ଗଣତାନ୍ତ୍ରିକ ଓ ଉତ୍ତମ ଶାସନ ପାଇଁ ଶାସକ ଶାସିତର ଭାଷା ଜାଣିବା ଆବଶ୍ୟକ। ଗଣତନ୍ତ୍ରରେ ଯିଏ ଜନପ୍ରତିନିଧି ଓ ଶାସକ, ସେ ଯଦି ଶାସିତଙ୍କର ଭାଷା ଜାଣିବ ନାହିଁ, ତାଙ୍କ ସହିତ ମିଶିବ ନାହିଁ, ସେମାନଙ୍କର ସମସ୍ୟା, ଦୁଃଖ, କଷ୍ଟ, ଯନ୍ତ୍ରଣା, ସରକାରୀ କଳର ଅବହେଳା ଓ ଅନ୍ୟାୟ ବିଷୟରେ ଜାଣିବ ନାହିଁ, ସେ ଲୋକଙ୍କୁ ନ୍ୟାୟ ଦେବ କେମିତି! କେତେକ କ୍ଷେତ୍ରରେ ଶାସକ ଶାସନର ଡୋରିକୁ ତାଙ୍କର କୌଣସି ବିଶ୍ୱସ୍ତ ବ୍ୟକ୍ତିଙ୍କର ହାତରେ ଛାଡ଼ିଦେଇ ଜୀବନକୁ ଉପଭୋଗ କରିଛନ୍ତି। ରାଜ୍ୟରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି। ରାଜ୍ୟରେ ମାନବିକ ଅଧିକାରର ନଗ୍ନ ଉଲ୍ଲଙ୍ଘନ ହୋଇଛି। ରାଜ୍ୟର ଗର୍ବ, ଗୌରବ, ସ୍ୱାଭିମାନ, ଅସ୍ମିତା ସବୁ ଭୂଲୁଠିତ ହୋଇଛି। ତଥାପି ଶାସନ ମୁଖ୍ୟ ବେପରୁଆ ଭାବରେ ସେଥିପ୍ରତି ଖାତିର ନକରି ନିଜର ଅହଂକାର ଓ ବଡ଼ିମା ପ୍ରଦର୍ଶନ କରିଚାଲିଛନ୍ତି। ରାଜ୍ୟର ବିକାଶର ଡିଣ୍ଡିମ ପିଟି ବିଭିନ୍ନ ଯୋଜନା କରି ଜନମତକୁ ବିଭ୍ରାନ୍ତ କରିଛନ୍ତି ଓ ରାଜ୍ୟ ଅର୍ଥର ହରିଲୁଟ୍ ହୋଇଛି। ଚୋରାମଦ କାରବାରକୁ ପ୍ରୋତ୍ସାହିତ କରି ଜନସାଧାରଣଙ୍କର ଅଶେଷ କ୍ଷତି କରିଚାଲିଛନ୍ତି। ଶେଷରେ ତାଙ୍କର ପ୍ରବଞ୍ଚନାର ମୁଖା ଖୋଲି ଯାଇଛି ଓ ଆଇନ ବଳରେ ଦଣ୍ଡିତ ହୋଇ ଏମାନେ ଜେଲ ଯାଇଛନ୍ତି। ବିକାଶ ନାମରେ ବିନାଶ ଚାଲିଛି। ଦେଶର ବିଭିନ୍ନ ରାଜ୍ୟର ଯେଉଁ ନେତାମାନେ ଗଣତନ୍ତ୍ର ବିରୋଧୀ, ସ୍ୱେଚ୍ଛାଚାରୀ ଶାସନ ଚଳାଇଥିଲେ, ଗଣମାଧ୍ୟମର ସ୍ୱାଧୀନତାକୁ ଅପହରଣ କରିଥିଲେ, ଜନସାଧାରଣ ତାଙ୍କୁ ନିକଟରେ ହୋଇଥିବା ନିର୍ବାଚନ ଗୁଡ଼ିକରେ ଉପଯୁକ୍ତ ଶିକ୍ଷା ଦେଇଛନ୍ତି, ସେମାନଙ୍କୁ ପରାଜିତ କରି ଗଣତନ୍ତ୍ରର ବିଜୟ ବାନା ଉଡାଇଛନ୍ତି। ଏ ସବୁ କ୍ଷେତ୍ରରେ ଗଣମାଧ୍ୟମର ଏକ ପ୍ରମୁଖ ଭୂମିକା ରହିଛି। ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ସତର୍କ ପ୍ରହରୀ। ଗଣମାଧ୍ୟମର ଯେଉଁ ବିରାଟ ଭୂମିକା ରହିଛି ଗଣତନ୍ତ୍ରରେ ଚତୁର୍ଥ ସ୍ତମ୍ଭ ହିସାବରେ, ମାଟି, ମାଆ, ମଣିଷ ପାଇଁ, ଏ ଦେଶର ଗଣତନ୍ତ୍ର, ଗର୍ବ, ଗୌରବ ଓ ଅସ୍ମିତା ପାଇଁ ଓ ସାଧାରଣ ଲୋକର ସମସ୍ୟାକୁ ଠିକ ଭାବରେ ଜନସମାଜ ଆଗରେ ଉପସ୍ଥାପନ କରିବା ପାଇଁ, ତାହା ପ୍ରକାଶ କରିବାରେ ଦୃଢ଼ ରହିବା ଦରକାର। ଅହଂକାରୀ ସ୍ୱେଚ୍ଛାଚାରୀ ଶାସକ ଅନେକ ସମୟରେ ଗଣମାଧ୍ୟମର ସକାରାତ୍ମକ ସମାଲୋଚନକୁ ବରଦାସ୍ତ କରିନପାରି ତାର ସ୍ୱାଧୀନତାକୁ ପଦଦଳିତ କରିଛନ୍ତି। ଅହଂକାରୀ ଶାସକଙ୍କର ଏ ଭଳି ଗଣତନ୍ତ୍ର ଓ ଗଣମାଧ୍ୟମ ବିରୋଧୀ ପଦକ୍ଷେପ ସର୍ବଦା ନିନ୍ଦନୀୟ। ଗତ ନିର୍ବାଚନରେ ସେଇ ଗଣ ଅର୍ଥାତ୍ ଜନସାଧାରଣ ଏ ଭଳି ଶାସକଙ୍କୁ କ୍ଷମତାର ସିଂହାସନରୁ ଓହ୍ଲାଇ ଦେଇଛନ୍ତି। ଆମର କଥାରେ ଅଛି, “ଆଜି ଯେ ରାଜେନ୍ଦ୍ରାସେନ କାଲି ସେ ଫକିର”। କ୍ଷମତାଚ୍ୟୁତ ନେତା ପରାଜୟର ଗ୍ଲାନିରେ ଛଟପଟ ହେଉଛନ୍ତି। ବିକଶିତ ରାଜ୍ୟ ବା ଦେଶ ଗଠନ, ସାଧାରଣ ଜନତାର ସାମ୍ବିଧାନିକ ଓ ମାନବିକ ଅଧିକାରର ସୁରକ୍ଷା କରି ଏକ ସ୍ୱଚ୍ଛ ସୁନ୍ଦର ସମାଜ ବା ଦେଶ ଗଠନରେ ସାହାଯ୍ୟ କରିବା ଗଣମାଧ୍ୟମର ଧର୍ମ ଓ ମହାନ କର୍ତ୍ତବ୍ୟ। ଯେଉଁମାନେ ସମସ୍ତ ଦାୟିତ୍ୱବୋଧ ଓ ସାହସର ସହିତ ତାଙ୍କର ଏ କର୍ତ୍ତବ୍ୟ ସମ୍ପାଦନ କରିଛନ୍ତି, ସେମାନେ ଦେଶ ଓ ସମାଜର ପ୍ରକୃତ ସେବା କରିବା ସହିତ ବନ୍ଦନୀୟ ହୋଇଛନ୍ତି।
ସରକାରର ଏକଛତ୍ରବାଦୀ ଓ ଦମନମୂଳକ ପଦକ୍ଷେପ ସତ୍ତ୍ବେ ଯେଉଁ ଗଣମାଧ୍ୟମ ଗର୍ବର ସହ ମୁଣ୍ଡ ଟେକି ଠିଆ ହେବେ ଓ ଜନସମାଜ, ରାଜ୍ୟ ବା ଦେଶର ବିକାଶ ପାଇଁ ସ୍ୱାଧୀନ ଭାବରେ ତାଙ୍କର ମତ ବ୍ୟକ୍ତ କରିବେ, ସେମାନେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭର ମହାନ କାର୍ଯ୍ୟକୁ ସମ୍ପାଦନ କରିବେ ଓ ସମସ୍ତ ସମ୍ମାନର ଅଧିକାରୀ ହେବେ।
ପୂର୍ବତନ ରାଜ୍ୟପାଳ, ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ଼଼଼
Comments are closed.