ଭୁବନେଶ୍ଵର: ଉଭୟ ଘରୋଇ ଓ ବ୍ୟାବସାୟିକ ରୋଷେଇ ଗ୍ୟାସ୍ର ମୂଲ୍ୟ ସରକାର ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି କରିଛନ୍ତି। ଏଥି ସହିତ ପେଟ୍ରୋଲ ଓ ଡିଜେଲ ଉପରେ ଲିଟର ପିଛା ଉତ୍ପାଦନ ଟିକସ ୨ ଟଙ୍କା କରି ବଢ଼ିଛି। ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧି ଖାଉଟିଙ୍କ ଉପରେ ଏଥର ସିଧାସଳଖ ପଡ଼ୁନଥିବାବେଳେ ଗ୍ୟାସ୍ ମୂଲ୍ୟ ବୃଦ୍ଧି ଘରୋଇ ବ୍ୟବହାରକାରୀଙ୍କୁ ବାଧିବ। ଏକା ଥରକେ ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି ନିଶ୍ଚୟ ମାତ୍ରାଧିକ। ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହଙ୍କ ସ୍ପଷ୍ଟୀକରଣ ଅନୁସାରେ ଏଲପିଜି ବାବଦରେ ତୈଳ ବିପଣନକାରୀ କମ୍ପାନୀମାନେ ୪୩ ହଜାର କୋଟି ଟଙ୍କା କ୍ଷତି କରିଥିବାରୁ ତାହାକୁ ଭରଣା କରିବାକୁ ଏହି ଗ୍ୟାସ୍ ମୂଲ୍ୟବୃଦ୍ଧି ସହ ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦନ ଟିକସ ଲାଗୁ କରାଯାଇଛି।
ଏକଥା ସତ ଯେ ଆନ୍ତର୍ଜାତିକ ବଜାରରେ ଗତ କିଛିକାଳ ଧରି ଅଶୋଧିତ ତୈଳମୂଲ୍ୟ ବ୍ୟାରେଲ ପିଛା ୬୦ରୁ ୬୫ ଡଲାର ମଧ୍ୟରେ ରହୁଥିବାବେଳେ ପ୍ରାକୃତିକ ଗ୍ୟାସର ଦାମ ବଢ଼ୁଛି। ତେଣୁ ପେଟ୍ରୋଲିୟମ ଉତ୍ପାଦ ଯଥା ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଭାରତରେ ଶସ୍ତା ହେବା କଥା। ସରକାର ତାହା କରୁନାହାନ୍ତି; ବରଂ େତୖଳ କମ୍ପାନୀଙ୍କ କ୍ଷତି ଭରଣା କରିବାକୁ ରନ୍ଧନଗ୍ୟାସର ମୂଲ୍ୟ ଅତ୍ୟଧିକ ବଢ଼ାଇଛନ୍ତି। ଏହା ସାଧାରଣ ଲୋକଙ୍କୁ ଅବଶ୍ୟ ବାଧିବ ଓ ରୋଷେଇ ମହଙ୍ଗା ହେବ। କୌଣସି ବିକଳ୍ପ ନଥିବାରୁ ସେମାନେ ଏହି ମୂଲ୍ୟବୃଦ୍ଧିକୁ ସହିନେବାକୁ ବାଧ୍ୟ ହେବେ।
ସୂଚନାଯୋଗ୍ୟ ଯେ ପେଟ୍ରୋଲ ଉପରେ ସରକାର ୫୦% ବିଭିନ୍ନ ପ୍ରକାର ଟିକସ ଲାଗୁ କରୁଥିବାବେଳେ ଡିଜେଲ ଉପରେ ଏହା ୫୦%। ଏଥିରେ କୃଷି ଓ ରୋଡ଼ ସେସ୍ ଭଳି ଉପକର ରହିଛି। ଏହା ଛଡ଼ା ରାଜ୍ୟ ସରକାରମାନେ ଏହି ଦୁଇ ସାମଗ୍ରୀ ଉପରେ ଭ୍ୟାଟ୍ ଲଗାଉଛନ୍ତି। ସେହିଭଳି ସିଏନ୍ଜି ଉପରେ ୧୪% କେନ୍ଦ୍ରୀୟ ଉତ୍ପାଦନ ଶୁଳ୍କ ଓ ୨୮% ଜିଏସଟି ଲାଗୁ ହେଉଛି। ଏଥିରୁ ସହଜରେ ଜଣାପଡ଼ୁଛି ଯେ ଖାଉଟିଙ୍କୁ ଟିକସ ବାବଦରେ କେତେ ତଣ୍ଡ ଦେବାକୁ ପଡ଼ୁଛି। ଏହି ଇନ୍ଧନ ମୂଲ୍ୟ ବୃଦ୍ଧି ଦେଶରେ ମହଙ୍ଗାର ମୁଖ୍ୟ କାରଣ। ତେଣୁ ପେଟ୍ରୋଲିୟମ ସାମଗ୍ରୀ ମୂଲ୍ୟ ନିର୍ଦ୍ଧାରଣ ଯୁକ୍ତିଯୁକ୍ତ ଓ ଖାଉଟିର କ୍ରୟଶକ୍ତିକୁ ବିଚାରକୁ ନେଇ କରାଯିବା ଉଚିତ।
ରୋଷେଇ ମହଙ୍ଗା
Popular Categories



