୦.୨୫% କମିଲା ରେପୋରେଟ୍‌

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ରେପୋ ରେଟ୍ ହ୍ରାସ କରିଛି। ତୁରନ୍ତ ପ୍ରଭାବ ସହିତ ରେପୋ ରେଟ୍‌ ୦.୨୫% କମାଇଛି ଆରବିଆଇ। ୦.୨୫% କମିବା ପରେ ରେପୋ ରେଟ୍‌ ୬%ରେ ରହିଛି। ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି, ‘‘ମୁଦ୍ରା ନୀତି କମିଟି(ଏମପିସି) ସର୍ବସମ୍ମତିକ୍ରମେ ପଲିସି ରେପୋ ରେଟ୍‌କୁ ତୁରନ୍ତ ପ୍ରଭାବ ସହ ୨୫ ବେସିସ୍ ପଏଣ୍ଟ ହ୍ରାସ କରି ୬% କରିବାକୁ ମତଦାନ କରିଛି।’’ ଏହି ଅବସରରେ ଗଭର୍ଣ୍ଣର ବିଶ୍ୱ ବିକାଶ ପାଇଁ ନୂତନ ଚ୍ୟାଲେଞ୍ଜଗୁଡ଼ିକ ପ୍ରତି ମଧ୍ୟ ଇଙ୍ଗିତ କରିଛନ୍ତି।

ବୁଧବାର ଆରବିଆଇ ଲଗାତର ଦ୍ୱିତୀୟ ଥର ପାଇଁ ପ୍ରମୁଖ ସୁଧ ହାରରେ ୨୫ ବେସିସ୍ ପଏଣ୍ଟ ହ୍ରାସ ଘୋଷଣା କରିଛି। କେନ୍ଦ୍ରୀୟ ବ୍ୟାଙ୍କର ଏହି ନିଷ୍ପତ୍ତି ଦ୍ଵାରା ଆମେରିକା ପକ୍ଷରୁ ଲାଗୁ କରାଯାଇଥିବା ପାରସ୍ପରିକ ଶୁଳ୍କ ଦ୍ୱାରା ପ୍ରଭାବିତ ଅର୍ଥନୀତିକୁ ସାହାରା ମିଳିବ ବୋଲି ଆଶା ସଞ୍ଚାର ହୋଇଛି। ସୁଧ ହାର ହ୍ରାସ ପରେ ପ୍ରମୁଖ ପଲିସି ରେଟ୍‌ ଅର୍ଥାତ୍ ରେପୋ ରେଟ୍‌ କମି ୬ ପ୍ରତିଶତ ହୋଇଛି। ଏହି ପଦକ୍ଷେପ ଦ୍ଵାରା ଗୃହ, ଯାନବାହାନ ଏବଂ କର୍ପୋରେଟ୍ ଋଣ ଗ୍ରହୀତାଙ୍କୁ ଆଶ୍ୱସ୍ତି ମିଳିଛି।

Comments are closed.