ସମ୍ପ୍ରତି ଅନେକ ଲୋକ ଅମ୍ଳଦୋଷର ଶିକାର। ପରିବର୍ତ୍ତିତ ଜୀବନଶୈଳୀ ଏହି ରୋଗରେ ପୀଡିତ କରାଇଛି। ବିଶୁଦ୍ଧ ଜଳ ବ୍ୟବହାର ନ କରିବା ଏବଂ ତମାଖୁଜନିତ ଉତ୍ପାଦ ଅଧିକ ଉପଯୋଗ ଏହାର ମୁଖ୍ୟ କାରଣ। ତେବେ ରାଜଧାନୀ ଦିଲ୍ଲୀ ତୁଳନାରେ ଓଡ଼ିଶାରେ ଅଧିକ ଲୋକ ଅମ୍ଳଦୋଷର ଶିକାର ହେଉଥିବା କହିଛନ୍ତି ଆପୋଲୋ ହସ୍ପିିଟାଲର ପେଟ ଓ ଯକୃତରୋଗ ବିଭାଗର ମୁଖ୍ୟ ପରାମର୍ଶଦାତା ଡା.ସୁଶାନ୍ତ କୁମାର ସେଠୀ।
ଅମ୍ଳଦୋଷ କ’ଣ ଏବଂ ଏହା କିଭଳି ସୃଷ୍ଟି ହୋଇଥାଏ ?
ଅମ୍ଳ ସମ୍ପର୍କିତ ଯେ କୌଣସି ଲକ୍ଷଣକୁ ଆମେ ଗ୍ୟାସ୍ଟ୍ରିକ୍ ବା ଅମ୍ଳଦୋଷ କହିଥାଉ। ସାଧାରଣତଃ ଜୀବାଣୁ ସଂକ୍ରମଣ ଅମ୍ଳଦୋଷର ମୁଖ୍ୟ କାରଣ। ଶରୀରକୁ ଜୀବାଣୁ ଖାଦ୍ୟ ଏବଂ ଜଳ ଜରିଆରେ ଆସିଥାଏ। ଏହାଫଳରେ ଶରୀରରେ ଅମ୍ଳଦୋଷ ସୃଷ୍ଟି ହୁଏ।
ସମ୍ପ୍ରତି ଅନେକ ଲୋକ ଅମ୍ଳଦୋଷଜନିତ ରୋଗର ଶିକାର। ଏହାର କାରଣ କ’ଣ ହୋଇପାରେ?
ଅତ୍ୟଧିକ ମାତ୍ରାରେ ଯନ୍ତ୍ରଣାନିବାରକ ଔଷଧ ସେବନ ଏବଂ ତମାଖୁ ଉତ୍ପାଦ (ପାନ,ବିଡି, ସିଗାରେଟ୍ ଓ ଗୁଟଖା)ର ବ୍ୟବହାର ଯୋଗୁ ଶରୀରରେ ଅମ୍ଳଦୋଷ ଦେଖାଦେଇଥାଏ। ଅତ୍ୟାଧୁନିକ ପରିବର୍ତ୍ତିତ ଜୀବନଶୈଳୀ ମଧ୍ୟ ଏହାର ଅନ୍ୟତମ କାରଣ। ଠିକ୍ ସମୟରେ ନ ଖାଇବା, ଅଧିକ ମାତ୍ରାରେ ତେଲ ଏବଂ ଚର୍ବିଜାତୀୟ ତଥା ମସଲାଯୁକ୍ତ ଖାଦ୍ୟ ବ୍ୟବହାର କରିବା ଫଳରେ ଅମ୍ଳଦୋଷ ଦେଖାଦେଇଥାଏ। ୩୦ରୁ ୫୦ବର୍ଷ ବର୍ଗର ଲୋକ ଏହି ରୋଗରେ ଅଧିକ ପୀଡିତ ହୋଇଥାନ୍ତି। ତେବେ ଓଡ଼ିଶାରେ ଛୋଟ ପିଲାମାନେ ବି ଏହି ରୋଗର ଶିକାର ହେଉଥିବା ଦେଖିବାକୁ ମିଳୁଛି।
ଓଡ଼ିଶାରେ ଅମ୍ଳଦୋଷ ଜନିତ ରୋଗୀଙ୍କ ସଂଖ୍ୟା ବଢିବାର କାରଣ କ’ଣ ହୋଇପାରେ ?
ବିଶେଷ କରି ଅନୁନ୍ନତ ଅଞ୍ଚଳଗୁଡିକରେ ଲୋକଙ୍କଠାରେ ଅମ୍ଳଦୋଷ ଅଧିକ ଦେଖାଯାଇଥାଏ। ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ତୁଳନାରେ ଭାରତରେ ଅମ୍ଳଦୋଷ ଜନିତ ରୋଗୀଙ୍କ ସଂଖ୍ୟା ଅଧିକ ରହିଥିବା ବେଳେ ରାଜଧାନୀ ଦିଲ୍ଲୀ ତୁଳନାରେ ଏହି ରୋଗୀଙ୍କ ସଂଖ୍ୟା ଓଡ଼ିଶାରେ ଅଧିକ। ଓଡ଼ିଶା, ଝାଡଖଣ୍ଡ, ଛତିଶଗଡ ଏବଂ ଆନ୍ଧ୍ରପ୍ରଦେଶ ଆଦି କ୍ଷେତ୍ରରେ ଅଧିକ ଲୋକ ଅମ୍ଳଦୋଷର ଶିକାର। ବିଶୁଦ୍ଧ ଜଳ ବ୍ୟବହାର ନ କରିବା ଏହାର ସବୁଠାରୁ ବଡ କାରଣ।
ଏହି ରୋଗକୁ ଚିହ୍ନଟ କରିବାକୁ କ’ଣ ବ୍ୟବସ୍ଥା ରହିଛି? ଅମ୍ଳଦୋଷ ଏଡାଇବାକୁ କିଭଳି ସତର୍କ ପଦକ୍ଷେପ ନିଆଯାଇପାରିବ ଓ ପ୍ରାରମ୍ଭିକ ଅବସ୍ଥାରେ
ଏହାକୁ କେମିତି ରୋକାଯାଇପାରିବ?
ରୋଗୀଙ୍କଠାରେ ଦେଖାଯାଉଥିବା ଲକ୍ଷଣ ଏବଂ ବିଶେଷ କରି ଏଣ୍ଡୋସ୍କୋପି ଦ୍ୱାରା ଅମ୍ଳଦୋଷ ଚିହ୍ନଟ କରାଯାଇଥାଏ। ଏଣ୍ଡୋସ୍କୋପିରେ ରୋଗୀ ଶରୀରରେ ହେଲିକୋ ବ୍ୟାକ୍ଟେରିଆ ରହିଛି କି ନାହିଁ ତାହା ଜଣାଯାଏ। ଆମ୍ବିଳା ହେକୁଟି, ଛାତି ପୋଡାଜଳା, ବାନ୍ତି ଲାଗିବା, ଅଳ୍ପ ଖାଇବା ପରେ ଅଧିକ ଖାଇବା ଭଳି ଲାଗିବା ଏବଂ ବଦହଜମି ଅମ୍ଳଦୋଷର ଲକ୍ଷଣ। ଯଦି ରୋଗୀର ଅଧିକ ରକ୍ତ କ୍ଷରଣ ହେଉଥାଏ ତାହେଲେ ଏଣ୍ଡୋସ୍କୋପି କରାଯାଇ ଚିକିତ୍ସା କରାଯିବ। ଅମ୍ଳଦୋଷ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ବିଶୁଦ୍ଧ ଜଳ ବ୍ୟବହାର ସହ ତମାଖୁ ଉତ୍ପାଦ ସମ୍ପୂର୍ଣ୍ଣ ବର୍ଜନ କରିବାକୁ ହେବ।
ଏହି ରୋଗରେ ଦୀର୍ଘଦିନ ଧରି ପୀଡିତ ରୋଗୀ ଏଥିରୁ କିଭଳି ମୁକୁଳିପାରିବେ ?
ଅଧିକ ଦିନ ଧରି ଅମ୍ଳଦୋଷ ରହିବା ପରେ ରୋଗୀ ଅଲସରର ଶିକାର ହୋଇଥାନ୍ତି। ଏଥିଯୋଗୁ ଅନ୍ତନଳୀ, ଖାଦ୍ୟ ନଳୀ ଏବଂ ପାକସ୍ଥଳୀରେ ଅଲସର ହୋଇଥାଏ। ତେବେ ଗର୍ଭାବସ୍ଥାରେ ଅମ୍ଳଦୋଷ ବଢିଯାଇଥାଏ। ଏହି ଅବସ୍ଥାରେ ଗର୍ଭଧାରଣ ପ୍ରତି ବିପଦ ସୃଷ୍ଟି ହୁଏ। ଗର୍ଭାବସ୍ଥା ସମୟରେ ସାଧାରଣତଃ ରୋଗୀର ଏଣ୍ଡୋସ୍କୋପି କରିବା ସମ୍ପୂର୍ଣ୍ଣ ମନା। କେବଳ ଅତ୍ୟଧିକ ରକ୍ତ କ୍ଷରଣ ହେଉଥିବା କ୍ଷେତ୍ରରେ ଅମ୍ଳଦୋଷର ଶିକାର ରୋଗୀଙ୍କ ମୃତ୍ୟୁ ହାର ୫% ରହିଛି। ଡାକ୍ତରଙ୍କ ପରାମର୍ଶ କରିବା ସହିତ ଖାଦ୍ୟ ଅଭ୍ୟାସରେ ପରିବର୍ତ୍ତନ ଏବଂ ବିଶୁଦ୍ଧ ପାନୀୟ ଜଳ ସେବନ ଏଥିରୁ ମୁକ୍ତି ଦେଇପାରେ।



