କାଲିମେଳା: ମାଲାକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ନାମକୋଣ୍ଡା ନଦୀ ଘାଟ ଠାରେ ପାଣିରେ ଭାସୁଥିବା ଏକ କଟା ମୁଣ୍ଡ ଉଦ୍ଧାର କରାଯାଇଛି। ନାମକୋଣ୍ଡା ଗାଁର କିଛି ମହିଳା ନଦୀ ଘାଟ କୁ ଗାଧୋଇବାକୁ ଯାଇଥିବାବେଳେ ମୁଣ୍ଡ ଟି ପାଣିରେ ଭାସୁଥିବା ଦେଖିବାକୁ ପାଇଥିଲେ । ପରେ ଗାଁରେ ପ୍ରଘଟ ହେବା ପରେ କାଲିମେଳା ପୁଲିସକୁ ଖବର ଦିଆଯାଇଥିଲା। ଉଦ୍ଧାର ହୋଇଥିବା ମୁଣ୍ଡ ଟି କୌଣସି ମହିଳାଙ୍କର ହୋଇଥବା ଜଣାପଡିଛି। କଟା ମୁଣ୍ଡ ଟି ପାଣିରେ ପଡି ଗଳିତ ହେବା ସହ ଖପୁରି ଦେଖାଯାଉଛି। ମୁଣ୍ଡ ଉପରେ ଲମ୍ବା ଚୁଟି ରହିଥିବା ବେଳେ ନାକରେ ରିଙ୍ଗ ରହିଥିବା ଦେଖିବାକୁ ମିଳିଛି।
ତେବେ ଗତ ଡିସେମ୍ବର ୪ ତାରିଖରେ ମାଲକାନଗିରି ଜିଲ୍ଲା କୋରକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀ କୂଳରେ ଥିବା ଡୁଡାମେଟଲା ନିକଟରୁ ନିକଟସ୍ଥ ରାଖେଲଗୁଡା ଗାଁ ଲାକେ ପଡିଆମି ନାମକ ଜଣେ ବିଧବା ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର କରାଯାଇଥିଲା। ପୁଲିସ୍ ମୃତଦେହ ଉଦ୍ଧାର କରିଥିଲେ ମଧ୍ୟ ମହିଳାଙ୍କ ମୁଣ୍ଡ ମିଳିନଥିଲା। ଏହାକୁ ନେଇ ପରିବାର ଲୋକେ ମୁଣ୍ଡ ନ ମିଳିବା ପର୍ଯ୍ୟନ୍ତ ଶବ ସତ୍କାର କରିବେ ନାହିଁ ବୋଲି ଅଡି ବସିଥିଲେ। ପୁଲିସ୍ ଏବଂ କୋରାପୁଟ ରୁ ଓଡ୍ରାଫ ଟିମ ଗତ ୫ ଦିନ ଧରି ଡୁଡାମେଟଲା ସ୍ଥିତ ପୋଟେରୁ ନଦୀରେ ପାଣି ଶୁଖାଇ ମୁଣ୍ଡ ଖୋଜିବା ପକ୍ରିୟା ଆରମ୍ଭ କରିଥିଲା ।
ପୁଲିସ୍ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ନିଖୋଜ ମୁଣ୍ଡର ସନ୍ଧାନ ପାଇବା ପାଇଁ ଛାନଭିନ କରୁଥିବା ସମୟରେ ଆଜି କାଲିମେଳା ନାମକୋଣ୍ଡା ନଦୀ ଘାଟରୁ ମହିଳାଙ୍କ ମୁଣ୍ଡ ମିଳିବା ଘଟଣା ସମସ୍ତଙ୍କୁ ଚକିତ କରିଛି । ଉଦ୍ଧାର ମୁଣ୍ଡ ଟି ରାଖେଲଗୁଡା ଗାଁର ପଡିଆମି ଙ୍କ ର ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି। ଖବର ପାଇ ମାଲକାନଗିରି ଏସଡିପିଓ ଦିବ୍ୟ ରଞ୍ଜନ ଦଲେଇ, କାଲିମେଳା ଥାନା ଅଧିକାରୀ ମୁକୁନ୍ଦ ମେଲକା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସାଇଣ୍ଟିଫିକ ଟିମ ଦ୍ଵାରା ପରୀକ୍ଷା କରାଯିବା ପରେ ପ୍ରକୃତରେ ଉଦ୍ଧାର ମୁଣ୍ଡଟି କାହାର ଜଣାପଡିବ।
୪ ତାରିଖରେ ମୁଣ୍ଡବିହୀନ ମୃତଦେହ ମିଳିବାକୁ ନେଇ ତୁମୁଳକାଣ୍ଡ ହୋଇଥିଲା। କଟାମୁଣ୍ଡ ମିଳୁନଥିବାରୁ ଏମ୍ଭି-୨୬ ଓ ରାଖେଲଗୁଡା ମଧ୍ୟ ବିବାଦ ଦେଖାଦେଇଥିଲା। ଯାହାକୁ ନେଇ ପ୍ରଶାସନ ଆଜି ଦିନ ୧୨ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ କଟକଣା ଜାରି କରିଛି।



