www.samajalive.in
Wednesday, December 10, 2025
16.1 C
Bhubaneswar

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର ଭୋଟର ତାଲିକା ସମୀକ୍ଷା କାର୍ଯ୍ୟ (ଏସ୍‌ଆଇଆର) ଓ ନିର୍ବାଚନ ସଂସ୍କାର ଉପରେ ମଙ୍ଗଳବାର ଲୋକସଭାରେ ବିତର୍କ ହୋଇଛି। ବିତର୍କରେ ଭାଗ ନେଇ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଭୋଟ ଚୋରି ଅଭିଯୋଗ ଉଠାଇବା ସହିତ ଏହାକୁ ଜାତୀୟତା ବିରୋଧୀ କାର୍ଯ୍ୟ ବୋଲି କହିଛନ୍ତି। ସେ କହିଛନ୍ତି ଯେ ନିର୍ବାଚନ ଆୟୋଗ (ଇସି) ନିଜ ଉତ୍ତରଦାୟିତ୍ବରୁ ଦୂରେଇ ଯାଉଛନ୍ତି। ହରିୟାଣା ଓ ବିହାରର ଭୋଟର ତାଲିକାର ସ୍ବଚ୍ଛତା ଉପରେ ସେ ପ୍ରଶ୍ନ ଉଠାଇଛନ୍ତି। ଏହି ଦୁଇ ରାଜ୍ୟରେ ଲକ୍ଷଲକ୍ଷ ଜାଲ୍ ଭୋଟର ତାଲିକାଭୁକ୍ତ ଅଛନ୍ତି। ରାହୁଲ କହିଛନ୍ତି ଯେ ନିର୍ବାଚନ ଆୟୋଗ ଓ ବିଜେପି ଜନାଦେଶକୁ ଚୋରି କରିବା ଲାଗି ଷଡଯନ୍ତ୍ର କରୁଛନ୍ତି। ଗଣତନ୍ତ୍ର ହେଉଛି ଭାରତର ପରିଚୟ। ଆଉ ଗଣତନ୍ତ୍ରର ମୂଳ ଆଧାର ହେଉଛି ନିର୍ବାଚନ। ମାତ୍ର ଆରଏସ୍‌ଏସ୍ ଏବେ ଦେଶର ନିର୍ବାଚନ ବ୍ୟବସ୍ଥାକୁ କରାୟତ କରିବାକୁ ଚେଷ୍ଟା ଚଳାଇଛି ବୋଲି ରାହୁଲ ଅଭିଯୋଗ କରିଛନ୍ତି।

ନିଜର ଅଭିଯୋଗକୁ ଯଥାର୍ଥ ଦର୍ଶାଇବା ଲାଗି ରାହୁଲ କେନ୍ଦ୍ର ସରକାରଙ୍କୁ ତିନିଟି ପ୍ରଶ୍ନ ପଚାରିଛନ୍ତି। ପ୍ରଥମ ପ୍ରଶ୍ନ ହେଲା ନିର୍ବାଚନ ଆୟୁକ୍ତ ନିଯୁକ୍ତି ପାଇଁ ଗଠିତ ମନୋନୟନ କମିଟିରୁ କାହିଁକି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କୁ ବାଦ୍ ଦିଆଗଲା। ଦ୍ବିତୀୟରେ ସରକାର କାହିଁକି ନିର୍ବାଚନ ଆୟୁକ୍ତମାନଙ୍କୁ ଅହେତୁକ ସ୍ବାଚ୍ଛନ୍ଦ୍ୟ ପ୍ରଦାନ କଲେ। ତୃତୀୟ ପ୍ରଶ୍ନ ହେଲା ମତଦାନ କେନ୍ଦ୍ରର ସିସିଟିଭି ଫୁଟେଜଗୁଡିକୁ କାହିଁକି ୪୫ ଦିନ ପରେ ନଷ୍ଟ କରିଦିଆଯାଉଛି। ରାହୁଲ କହିଛନ୍ତି ଯେ ନିର୍ବାଚନ ଆୟୋଗ ଦେଶର ନିର୍ବାଚନ ବ୍ୟବସ୍ଥାକୁ ନିୟନ୍ତ୍ରଣ ଓ ପରିଚାଳନା କରୁଛନ୍ତି। ମାତ୍ର ନିର୍ବାଚନ ଆୟୋଗ ବିଜେପି ସହିତ ମିଶି ନିର୍ବାଚନର ଜନାଦେଶକୁ ଚୋରି କରିବାରେ ଲାଗିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ୍‌) ଦେଶର ସମସ୍ତ ଅନୁଷ୍ଠାନକୁ କରାୟତ କରିବାରେ ଲାଗିଛି। ଦେଶର ଗୁଇନ୍ଦା ଏଜେନ୍ସି, ସିବିଆଇ, ଇଡି, ଆୟକର ବିଭାଗ ଭଳି ଅନୁଷ୍ଠାନରେ ଯୋଗ୍ୟ ବ୍ୟକ୍ତି ପରିବର୍ତ୍ତେ ଆରଏସଏସ୍‌ ଆଦର୍ଶକୁ ସମର୍ଥନ କରୁଥିବା ପସନ୍ଦର ବ୍ୟକ୍ତିଙ୍କୁ ଅବସ୍ଥାପିତ କରାଯାଉଛି। ସେହିପରି ବିଶ୍ବବିଦ୍ୟାଳୟର କୁଳପତି ପଦରେ ନିର୍ଦ୍ଦିଷ୍ଟ ସଂଗଠନର ବ୍ୟକ୍ତିଙ୍କୁ ଅବସ୍ଥାପିତ କରାଯାଉଛି।

- Advertisement -

ରାହୁଲଙ୍କ ଏପରି ଅଭିଯୋଗ ଉପରେ ଜବାବ ଦେଇ ବିଜେପି ସଦସ୍ୟ ନିଶିକାନ୍ତ ଦୁବେ କହିଥିଲେ ଯେ ଅତୀତର କଂଗ୍ରେସ ସରକାର ଦେଶର ସମ୍ବିଧାନକୁ ଚିରି ଫୋପାଡି ଦେଇଥିଲା। ୧୯୭୬ ମସିହାରେ କଂଗ୍ରେସ ସରକାର ସମ୍ବିଧାନକୁ ଚିରି ଫାଡି ଦେଇଥିଲା। ଏହା ଉପରେ ଜବାବ ଦେବାକୁ କଂଗ୍ରେସ ପାଖରେ ଏବେ ଉତ୍ତର ନାହିଁ। ସେ କହିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଭୋଟ ଚୋରି କରି ରାୟବରେଲି ଆସନରେ ବିଜୟୀ ହୋଇଥିଲେ। ଆଜିର ଏସ୍‌ଆଇଆର ଆଲୋଚନା ସମୟରେ ବୁଥ୍‌ ସ୍ତରୀୟ ଅଧିକାରୀ (ବିଏଲ୍‌ଓ)ଙ୍କ ସମସ୍ୟା ସମ୍ପର୍କରେ ଅନେକ ସାଂସଦ ଦୃଷ୍ଟି ଆକର୍ଷଣ କରିଥିଲେ। ଏସ୍‌ଆଇଆର ପ୍ରକ୍ରିୟାରେ ନିୟୋଜିତ ବିଏଲଓଙ୍କ ଉପରେ ଅତ୍ୟଧିକ ଚାପ ରହୁଥିବା ବେଳେ ଏହାକୁ ଦୂର କରିବା ଲାଗି ସାଂସଦମାନେ ଇସିଙ୍କୁ କହିଛନ୍ତି। ଏସଆଇଆର ପ୍ରକ୍ରିୟାର ନିରପେକ୍ଷତା, ନ୍ୟାୟିକ ବୈଧତା ଓ ସ୍ବଚ୍ଛତା ଉପରେ ଅନେକ ସାଂସଦ ପ୍ରଶ୍ନ ଉଠାଇଥିଲେ।

ଏହି ପ୍ରସଙ୍ଗରେ ସେମାନେ ସରକାର ଓ ଇସିଙ୍କ ଠାରୁ ଉତ୍ତରଦାୟିତ୍ବ ଲୋଡିଥିଲେ। କଂଗ୍ରେସ ସାଂସଦ ମନୀଷ ତିୱାରୀ କହିଥିଲେ ଯେ ପ୍ରଥମ ନିର୍ବାଚନ ସଂସ୍କାର ପଦକ୍ଷେପ ସ୍ବରୂପ ନିର୍ବାଚନ ଆୟୁକ୍ତ ନିଯୁକ୍ତି ପାଇଁ ରହିଥିବା ନିୟମରେ ପରିବର୍ତ୍ତନ ହେବା ଦରକାର। ସମାଜବାଦୀ ପାର୍ଟି ସଦସ୍ୟ ଅଖିଳେଶ ଯାଦବ କହିଥିଲେ ଯେ ଏସ୍‌ଆଇଆର ପ୍ରକ୍ରିୟାରେ ନିୟୁକ୍ତ ବିଏଲଓଙ୍କ ଜୀବନ ହାନି ଘଟିବା ଅତ୍ୟନ୍ତ ଦୁଃଖଦାୟକ। ମୃତ ବିଏଲଓଙ୍କ ପରିବାରକୁ ୧କୋଟି ଟଙ୍କା ଲେଖାଏଁ କ୍ଷତିପୂରଣ ଓ ପରିବାର ଜଣକୁ ସରକାରୀ ଚାକିରି ଯୋଗାଇ ଦେବାକୁ ସେ ଦାବି କରିଛନ୍ତି। ରାଜ୍ୟସଭାରେ ଆଜି ରାଷ୍ଟ୍ରଗୀତ ‘ବନ୍ଦେ ମାତରମ୍’ର ୧୫୦ବର୍ଷ ପୂର୍ତ୍ତି ଉପରେ ଆଲୋଚନା ହୋଇଥିଲା।

Hot this week

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

Related Articles

Popular Categories