www.samajalive.in
Wednesday, December 10, 2025
16.1 C
Bhubaneswar

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର
ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ ନଦୀ ଡୁଡାମେଟଲା ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିିଳିବା ଘଟଣାକୁ ନେଇ ଗତକାଲି ରାଖେଲଗୁଡ଼ା ଓ ଏମ୍‌ଭି-୨୬ ଗାଁ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନା ଥମିଛି। ଏଠାରେ ଏବେ ଶାନ୍ତି ଫେରାଇ ଆଣିବାକୁ ଉଦ୍ୟମ ଆରମ୍ଭ ହୋଇଛି। ମୁଣ୍ଡବିହୀନ ମୃତଦେୟରେ ଏକ ମାଟି ନିର୍ମିତ ମୁଣ୍ଡ ଲଗାଇ ଅନ୍ତିମ ସଂସ୍କାର କରାଯାଇଛି। ମହିଳାଙ୍କ ହତ୍ୟା ଘଟଣାରେ ଅଭିଯୁକ୍ତ ଏମଭି ୨୬ ଗଁାର ସୁଖରଞ୍ଜନ ମଣ୍ଡଳକୁ ପୁଲିସ ଗିରଫ କରିଛି। ଉକ୍ତ ଘଟଣାକୁ ୫ ଦିନ ବିତିଥିଲେ ମଧ୍ୟ
ମହିଳାଙ୍କ ମୁଣ୍ଡକୁ ପୁଲିସ ଖୋଜି ପାଉନି। ପୋଟେରୁ ନଦୀର ଜଳ ଶୁଖା ଯାଇ ମୁଣ୍ଡ ଖୋଜିବା ଆରମ୍ଭ ହୋଇଛି। ଉତ୍ତ୍ୟକ୍ତ ଲୋକେ କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଓ ଏହାର ଆଖପାଖ ଗ୍ରାମର ଗ୍ରାମବାସୀ ୨ ଦିନ ଧରି ଏମ୍‌ଭି-୨୬ ଗ୍ରାମରେ ନିଆଁ ଲଗାଇ ସବୁକିଛି ଛାରଖାର କରି ଦେଇଥିବା ବେଳେ ମଙ୍ଗଳବାର ସ୍ଥିତିରେ ସୁଧାର ଆସିଛି।

ମୃତ ମହିଳାଙ୍କ ନିଜ ଚାଷ ଜମିରେ ମାଟିରେ ନିର୍ମିତ ମୁଣ୍ଡ ସହ ମୃତଦେହ ଶେଷକୃତ୍ୟ କରାଯାଇଛି। ପୁଲିସ ପ୍ରଶାସନ ଏବଂ ମାଲକାନଗିରି ବିଧାୟକ ଏବଂ ଅଞ୍ଚଳର ଜନପ୍ରତିନିଧି ଉପସ୍ଥିତ ରହି ଉତ୍ତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରି ଶବ ସଂସ୍କାର କରାଇଛନ୍ତି। ଏମଭି-୨୬ ଗାଁରେ ୧୦ କମ୍ପାନୀ ସିଆରପିଏଫ ଯବାନ ମୁତୟନ କରାଯାଇଛି। ଗାଁ ପୁଲିସ ଛାଉଣି ହୋଇଛି। ଭୟଭୀତ ଅବସ୍ଥାରେ ଏମଭି-୨୬ ଗାଁ ଲୋକେ ଅନ୍ୟ ଗାଁକୁ ଚାଲି ଯାଇଛନ୍ତି। ହେଲେ ନିରୀହ ଗୃହ ପାଳିତ ପଶୁପକ୍ଷୀ ଅନାହାରରେ ଛଟପଟ ହେଉଛନ୍ତି। ଭଙ୍ଗାରୁଜା, ପୋଡାଜଳା ଘଟଣାରେ ଏମଭି-୨୬ ଗ୍ରାମରେ ରହିଥିବା ୧୮୮ରୁ ୧୬୩ ଘର କ୍ଷତିଗ୍ରସ୍ତ ହୋଇଛି। ନଷ୍ଟ ହୋଇ ନ ଥିବା କିଛି ଘରୋଇ ସାମଗ୍ରୀକୁ ଲୋକେ ଅନ୍ୟତ୍ର ସ୍ଥାନାନ୍ତର କରୁଛନ୍ତି।

- Advertisement -

ସନ୍ଧ୍ୟାରେ ଶାନ୍ତି କମିଟି ବୈଠକ କରି ଶାନ୍ତି ଫେରାଇ ଆଣିବାକୁ ଉଦ୍ୟମ ଆରମ୍ଭ ହୋଇଛି। ମାଲକାନଗିରି ଜିଲାପାଳ ସୋମେଶ କୁମାର ଉପାଧ୍ୟାୟ ଏମଭି-୨୬ ଗ୍ରାମରେ ପହଞ୍ଚି ସମୀକ୍ଷା କରିଛନ୍ତି। ଆଗାମୀ ଦିନରେ ଗ୍ରାମରେ ସମ୍ପୂର୍ଣ୍ଣ କ୍ଷୟକ୍ଷତିର ଆକଳନ କରି ସରକାରଙ୍କ ନୀତି ଅନୁଯାୟୀ ସହାୟତା ରାଶି ଗ୍ରାମବାସୀଙ୍କୁ ଦିଆଯିବ ବୋଲି କହିଛନ୍ତି। ଶବ ସଂସ୍କାର ପାଇଁ ଜିଲା ପ୍ରଶାସନ ପକ୍ଷରୁ ମୃତ ମହିଳାଙ୍କ ପରିବାରକୁ ୩୦ ହଜାର, ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ୪ ଲକ୍ଷ ଟଙ୍କା ଏବଂ ପୀଡ଼ିତ ଅନୁକମ୍ପା ଯୋଜନା ଅନୁଯାୟୀ ୩ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ ଘୋଷଣା କରାଯାଇଛି।

ବର୍ତ୍ତମାନ ସ୍ଥିତିକୁ ଆଖି ଆଗରେ ରଖି ଆସନ୍ତାକାଲି ୧୨ଟା ଯାଏଁ ଇଣ୍ଟରନେଟ ସେବା ବନ୍ଦ ରଖାଯାଇଛି। ଏମଭି -୨୬ ଗ୍ରାମ ସମେତ ଆଖପାଖ ବିଭିନ୍ନ ବଙ୍ଗାଳି ଗାଁରେ ଏକାଧିକ ସିସିଟିଭି କ୍ୟାମେରା ଖଞ୍ଜା ଯିବା ସହ ପୁଲିସ ଏବଂ ବିଏସ୍‌ଏଫ୍‌ ଯବାନଙ୍କ ଉପସ୍ଥିତିରେ ଲୋକଙ୍କ ଉପରେ କଡା ନଜର ରଖାଯାଇଛି । କୋରୁକୋଣ୍ଡା ଥାନାରେ ମାମଲା ରୁଜୁ ହୋଇଛି। ତଦନ୍ତ ଚାଲିଥିବା ଥାନା ଅଧିକାରୀ ହିମାଂଶୁ ଶେଖର ବାରିକ ସୂଚନା ଦେଇଛନ୍ତି।
ଅନ୍ୟପଟେ ଆଦିବାସୀ ମହାସଂଘ ସଭାପତି ବନ୍ଧୁ ମୁଦୁଲି ୭ଟି ଦାବି ରଖିଛନ୍ତି। ତନ୍ମଧ୍ୟରୁ ମୁଖ୍ୟତଃ ୩୦ ଦିନ ମଧ୍ୟରେ ଦୋଷୀଙ୍କୁ ଗିରଫ, ଅପରାଧୀକୁ ଫାଶୀଦଣ୍ଡ, ସରକାରଙ୍କ ପକ୍ଷରୁ ମୃତ ମହିଳାଙ୍କ ପରିବାରବର୍ଗଙ୍କୁ ୩୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ, ଦୋଷୀ ସାବ୍ୟସ୍ତଙ୍କ ପରିବାରବର୍ଗଙ୍କୁ ମାଲକାନଗିରି ଜିଲାରୁ ତଡିବା, ବାଂଲାଦେଶ ଅନୁପ୍ରବେଶକାରୀଙ୍କୁ ଜିଲାରୁ ବାହାର କରିବା, ଯେଉଁ ବଙ୍ଗାଳି ନାଗରିକଙ୍କୁ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଜମି ବ୍ୟତୀତ ଜବରଦଖଲ ଜମିକୁ ଗ୍ରାମସଭାକୁ ହସ୍ତାନ୍ତର କରିବା ଭଳି ୭ଟି ଦାବି ଜିଲା ଆଦିବାସୀ ମହାସଂଘ ରଖିଛି। ମୃତ ମହିଳାଙ୍କ ଶବ ସଂସ୍କାର ସମୟରେ ପୁଲିସ ଡିଆଇଜି ଡ. କନବର ବିଶାଳ ସିଂ, ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ ଏଚ, ଜିଲାପାଳ ଉପାଧ୍ୟୟଙ୍କ ସମେତ ବରିଷ୍ଠ ଅଧିକାରୀ ପୁଲିସ ଉପସ୍ଥିତ ଥିଲେ।

ମୁଖ୍ୟମନ୍ତ୍ରୀ ବିବୃତି ରଖନ୍ତୁ: ରଣେନ୍ଦ୍ର
ମାଲକାନଗିରି ଜଳୁଛି। ବଙ୍ଗାଳୀ, ଓଡ଼ିଆ ବିବାଦ ଚରମ ସୀମାରେ ପହଞ୍ଚିଲାଣି। ଓଡ଼ିଶାରେ ଆଉ ଗୋଟିଏ କନ୍ଧମାଳ ପରିସ୍ଥିତି ମୁଣ୍ଡ ଟେକିଲାଣି। ସମ୍ବିଧାନର ଧାରା ୨୧ ଆଜି ବିପଦରେ ଅଛି। କିନ୍ତୁ ମୁଖ୍ୟମନ୍ତ୍ରୀ ଏ ବିଷୟରେ ଗୃହକୁ କିଛି ଅବଗତ କରୁନାହାନ୍ତି। ଏହା ଅତ୍ୟନ୍ତ କ୍ଷୋଭର ବିଷୟ ବୋଲି ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି। ଆଜି ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ଶ୍ରୀ ସ୍ବାଇଁ କହିଥ‌ିଲେ, ଗତ କିଛି ଦିନ ହେଲା ମାଲକାନଗିରିରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଉଗ୍ରରୂପ ନେଲାଣି। ଓଡ଼ିଶାରେ ଯିଏ ବଙ୍ଗଳା ଭାଷା କହିଲା ତାକୁ ବାଂଲାଦେଶୀ କହୁଛନ୍ତି। ହେଲେ ସରକାର ନିରବଦ୍ରଷ୍ଟା ସାଜିଛନ୍ତି। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ବିବୃତି ରଖି ସବୁ କିଛି ନିୟନ୍ତ୍ରଣରେ ଅଛି ବୋଲି ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ସ୍ବାଇଁ ଦାବି କରିଥିଲେ।

Hot this week

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

Related Articles

Popular Categories