ବଳପୂର୍ବକ ଅର୍ଥ ଆଦାୟ ମାମଲା: ଆବୁ ସାଲେମ୍‍କୁ ୭ ବର୍ଷ ସଶ୍ରମ ଜେଲ୍‍

0

ନୂଆଦିଲ୍ଲୀ : ବଳପୂର୍ବକ ଅର୍ଥ ଆଦାୟ ମାମଲାରେ କୁଖ୍ୟାତ ଅପରାଧୀ ଆବୁ ସାଲେମ୍‍କୁ ଦିଲ୍ଲୀର ଏକ କୋର୍ଟ ଗୁରୁବାର ୭ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି। ୨୦୦୨ରେ ଦିଲ୍ଲୀ ଅନ୍ତର୍ଗତ ଗ୍ରେଟର କୈଳାସ ନିବାସୀ ବ୍ୟବସାୟୀ ଅଶୋକ ଗୁପ୍ତାଙ୍କଠାରୁ ୫ କୋଟି ଟଙ୍କା ଦାବି କରିବା ଅଭିଯୋଗରେ ସାଲେମ୍‍ ବିରୋଧରେ ଏହି ମାମଲା ଚାଲିଥିଲା। ସରକାରୀ ଏବଂ ପ୍ରତିପକ୍ଷ ଓକିଲଙ୍କ ଯୁକ୍ତି ଶୁଣିବା ପରେ କୋର୍ଟ ସାଲେମକୁ ମେ ୨୬ରେ ଦୋଷୀ ଘୋଷଣା କରିଥିଲେ। ମାମଲାର ଅନ୍ୟ ଅଭିଯୁକ୍ତମାନଙ୍କ ମଧ୍ୟରୁ ଚଞ୍ଚଳ ମେହତା, ମାଜିଦ ଖାନ୍‍, ପୱନ କୁମାର ମିତ୍ତଲ ଏବଂ ମହମ୍ମଦ ଅଶରଫ ପୂର୍ବରୁ ଦୋଷମୁକ୍ତ ହୋଇଥିବାବେଳେ ଅନ୍ୟ ଜଣେ ଅଭିଯୁକ୍ତ ସଜ୍ଜନ କୁମାର ସୋନିଙ୍କ ମୃତ୍ୟୁ ଘଟିଛି। ୨୦୦୫ ନଭେମ୍ବରରେ ପର୍ତ୍ତୁଗାଲରୁ ସାଲେମ୍‍କୁ ପ୍ରତ୍ୟର୍ପଣ କରାଯାଇଥିଲା। ଏହି ମାମଲାରେ ତାକୁ ୨୦୧୩ରେ ଜାମିନ ମିଳିଥିଲା; କିନ୍ତୁ ପ୍ରତ୍ୟର୍ପଣ ଆଇନର ଉଲ୍ଲଙ୍ଘନ କରାଯାଇଥିବା ସାଲେମ ଚଳିତ ବର୍ଷ ପ୍ରାରମ୍ଭରେ ଅଭିଯୋଗ କରିଥିଲା। ଗୁପ୍ତାଙ୍କଠାରୁ ଅର୍ଥ ଦାବି ନେଇ ତା’ବିରୋଧରେ କୌଣସି ପ୍ରମାଣ ନ ଥିବା ସାଲେମ ଦର୍ଶାଇଥିଲା। ୧୯୯୩ ମୁମ୍ବଇ ବିସ୍ଫୋରଣ ମାମଲା ସମେତ ଅନ୍ୟ ବିଭିନ୍ନ ମାମଲାରେ ସେ ଜେଲରେ ବନ୍ଦୀ ଅଛି।

Leave A Reply