ଆସନ୍ତାକାଲି ଶେଷ ହେଉଛି ବଜେଟ ଅଧିବେଶନ ; ୨୧ ଦିନ ଧରି ଗୃହ ଅଚଳ

0

ନୂଆଦିଲ୍ଲୀ : ଶୁକ୍ରବାର ସଂସଦର ବଜେଟ ଅଧିବେଶନ ଶେଷ ହେଉଥିବା ବେଳେ ବିରୋଧି ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଗୁରୁବାରକୁ ମିଶାଇ ୨୧ ଦିନ ପାଇଁ ସଂସଦର କାର୍ଯ୍ୟଧାରାରେ ଅଚଳାବସ୍ଥା ଲାଗି ରହିଛି । ଉଭୟ ରାଜ୍ୟସଭା ଏବଂ ଲୋକସଭାକୁ ଆଜି ଦିନକ ପାଇଁ ମୁଲତବୀ କରି ଦିଆଯାଇଛି ।

ବିଭିନ୍ନ ପ୍ରସଙ୍ଗ ନେଇ ହଟ୍ଟଗୋଳ ଯୋଗୁଁ ରାଜ୍ୟସଭାରେ ହଟ୍ଟଗୋଳ ଯୋଗୁଁ ଗୃହର ଅଧ୍ୟକ୍ଷ ଏମ୍‍. ଭେଙ୍କିୟା ନାଇଡୁ ଆଜି ଦିନକ ପାଇଁ ଗୃହକୁ ମୁଲତବୀ ରଖିଛନ୍ତି । ପ୍ରଥମେ ସେ ଦିନ ୨ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରିଦେଇଥିଲେ । ହୋ ହାଲ୍ଲା ମଧ୍ୟରେ ୨ଜଣ ନବ ନିର୍ବାଚିତ ସଦସ୍ୟ ଶପଥ ନେବା ପରେ ଶ୍ରୀ ନାଇଡୁ ଗୃହକୁ ଦିନ ୨ଟା ପର୍ଯ୍ୟନ୍ତ ମୁଲତବୀ ଘେଷଣା କରିଥିଲେ । ଦିନ ୨ଟା ପରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ପରିସ୍ଥିତି ଅପରିବର୍ତ୍ତିତ ରହିବାରୁ ବାଧ୍ୟ ହୋଇ ସେ ଆଜି ଦିନକ ପାଇଁ ଗୃହକୁ ମୁଲତବୀ ରଖିଛନ୍ତି ।

ସେହିପରି ବାଚସ୍ପତି ସୁମିତ୍ରା ମହାଜନ  ମଧ୍ୟ  ଲୋକସଭାକୁ ପ୍ରଥମେ ମଧ୍ୟାହ୍ନ ପର୍ଯ୍ୟନ୍ତ ଏବଂ ପରେ ଆଜି ଦିନକ ପାଇଁ ମୁଲତବୀ ରଖିଛନ୍ତି । ମଧ୍ୟାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ କଂଗ୍ରେସ ନେତା ମଲ୍ଲିକାଜ୍ଜୁନ ଖଡଗେ କହିଥିଲେ ଯେ ତାଙ୍କ ଦଳ ସମସ୍ତ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ପ୍ରସ୍ତୁତ ଅଛି । ଅନ୍ୟପକ୍ଷରେ ଏଆଇଏଡଏମ୍‍କେ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଚାଲିଆସି ହୋ ହାଲ୍ଲା କରିବା ସହିତ ତୁରନ୍ତ କାବେରୀ ଜଳ ପରିଚାଳନା ବୋର୍ଡ଼ ଗଠନ ପାଇଁ ଦାବି କରିଥିଲେ । ଗୃହରେ ହୋ ହାଲ୍ଲା ଲାଗି ରହିବାରୁ ବାଚସ୍ପତି ଆଜି ଦିନକ ପାଇଁ ଲୋକସଭାକୁ ମୁଲତବୀ ରଖିଛନ୍ତି ।

ତେବେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର ସଂସଦରେ ଅଚଳାବସ୍ଥା ପାଇଁ କଂଗ୍ରେସ ଦଳକୁ ଦାୟୀ କରିଛନ୍ତି । ଅନ୍ୟପକ୍ଷରେ ବିଜେପି ଏବଂ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ସାମୁଖ୍ୟ (ଏନ୍‌ଡିଏ)ର ସାଂସଦମାନେ ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟର  ୨୩ ଦିନର  ବୈଠକର ବେତନ ଓ ଅନ୍ୟ ଭତ୍ତା ନେବେ ନାହିଁ ବୋଲି ସେ ଦୋହରାଇଛନ୍ତି।

Leave A Reply