କେକେଆର ସହକାରୀ ପ୍ରଶିକ୍ଷକ ହେବେ ମ୍ୟାକ୍କୁଲମ୍
ନୂଆଦିଲ୍ଲୀ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଅନ୍ୟତମ ଦଳ କଲକାତା ନାଇଟ୍ ରାଇଡ୍ର୍ସ (କେକେଆର) ଦଳର ସହକାରୀ ପ୍ରଶିକ୍ଷକ ଭାବେ ନ୍ୟୁଜିଲାଣ୍ଡର ପୂର୍ବତନ କ୍ରିକେଟର୍ ମ୍ୟାକ୍କୁଲମ୍ କାର୍ଯ୍ୟ କରିବେ ବୋଲି ଜଣାପଡ଼ିଛି। ସହକାରୀ ପ୍ରଶିକ୍ଷକ ଭାବେ ଦାୟିତ୍ବ ନିର୍ବାହ କରିବାକୁ ମ୍ୟାକ୍କୁଲମ୍ କେକେଆର ଦଳ ସହ ଚୁକ୍ତି କରିଥିବା କେତେକ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି।
ସୂଚନାଥାଉକି କିଛିଦିନ ତଳେ ମ୍ୟାକ୍କୁଲମ୍ ସମସ୍ତ ପ୍ରକାର କ୍ରିକେଟ୍ରୁ ସନ୍ନ୍ୟାସ ଘୋଷଣା କରିଥିଲେ। ଏହାପରେ ସେ ପ୍ରଶିକ୍ଷକ ଭାବେ ଦାୟିତ୍ବ ତୁଲାଇବାକୁ ଆଗ୍ରହୀ ଥିବା ମ୍ୟାକ୍କୁଲମ୍ କହିଥିଲେ। କିଛିଦିନ ତଳେ କେକେଆର ଦଳର ମୁଖ୍ୟ ପ୍ରଶିକ୍ଷକ ପଦରୁ ଜ୍ୟାକ୍ କାଲିସ୍ ଓ ସହକାରୀ ପ୍ରଶିକ୍ଷକ ପଦରୁ ସାଇମନ୍ କାଟିଚ୍ଙ୍କୁ ବାଦ୍ ଦିଆଯାଇଥିଲା। ଏହି ଦଳର ପରବର୍ତ୍ତୀ ମୁଖ୍ୟ ପ୍ରଶିକ୍ଷକ କିଏ ହେବ ସେ ନେଇ ନିଷ୍ପତ୍ତି ହୋଇନଥିବା ବେଳେ ମ୍ୟାକ୍କୁଲମ୍ ସହକାରୀ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରିବେ ବୋଲି ଏକପ୍ରକାର ଚୂଡ଼ାନ୍ତ ହୋଇସାରିଛି।
ମ୍ୟାକ୍କୁଲମ୍ ୨୦୧୬ରେ ଅନ୍ତର୍ଜାତୀୟ କ୍ରିକେଟ୍ରୁ ସନ୍ନ୍ୟାସ ନେଇଥିଲେ। ତେବେ ସେ ବିଭିନ୍ନ ଦେଶରେ ଖେଳାଯାଉଥିବା ଘରୋଇ ଟ୍ବେଣ୍ଟି୨୦ ଲିଗ୍ରେ ଖେଳି ଆସୁଥିଲେ। ମ୍ୟାକ୍କୁଲମ୍ ନ୍ୟୁଜିଲାଣ୍ଡ ତରଫରୁ ୧୦୧ଟି ଟେଷ୍ଟ ମ୍ୟାଚ୍ ଖେଳି ୬୪୫୩ ରନ୍ ସଂଗ୍ରହ କରିଥିଲେ। ତାଙ୍କର ସର୍ବାଧିକ ସ୍କୋର ୩୦୨ ରନ୍। ସେହିପରି ସେ ୨୦୬ଟି ଦିନିକିଆ ମ୍ୟାଚ୍ ଖେଳି ୬୦୮୩ ରନ୍ ସଂଗ୍ରହ କରିଥିଲେ। ଦିନିକିଆରେ ତାଙ୍କର ଷ୍ଟ୍ରାଇକ ରେଟ୍ ୯୬.୩୭।
ମ୍ୟାକ୍କୁଲମ୍ କେକେଆର୍ ତରଫରୁ ଆଇପିଏଲ୍ରେ ଖେଳି ପ୍ରଥମ ମ୍ୟାଚ୍ରେ ଶତକ ହାସଲ କରିଥିଲେ। ସେ କେକେଆର ଦଳ ତରଫରୁ ୫ଟି ସିଜିନ୍ରେ ଖେଳିବା ସହ ୨୦୦୯ରେ ଦଳର ନେତୃତ୍ବ ନେଇଥିଲେ।
Comments are closed.