ଶ୍ରୀଲଙ୍କା ଟେଷ୍ଟ ଦଳରେ ଚାନ୍ଦିମାଲ୍‌ ସାମିଲ

କଲମ୍ବୋ : ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା କ୍ରିକେଟ୍ ଦଳ ମଧ୍ୟରେ ଖେଳାଯିବାକୁ ଥିବା ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଆସନ୍ତା ବୁଧବାରରୁ ଆରମ୍ଭ ହେବ। ଏହି ଟେଷ୍ଟ ମ୍ୟାଚ୍‌ ନିମନ୍ତେ ୧୫ ଜଣିଆ ଶ୍ରୀଲଙ୍କା ଦଳ ଘୋଷିତ ହୋଇଛି। ଦୀର୍ଘ ୬ ମାସ ପରେ ଟେଷ୍ଟ ଦଳକୁ ଫେରିଛନ୍ତି ପୂର୍ବତନ ଅଧିନାୟକ ଦିନେଶ ଚାନ୍ଦିମାଲ୍‌। ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଖରାପ ପ୍ରଦର୍ଶନ କରିଥିବାରୁ ୨୯ ବର୍ଷୀୟ ଚାନ୍ଦିମାଲ୍‌ଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ ନିମନ୍ତେ ଶ୍ରୀଲଙ୍କା ଦଳରୁ ବାଦ୍ ଦିଆଯାଇଥିଲା। ସେହିପରି ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ ନିମନ୍ତେ ଶ୍ରୀଲଙ୍କା ଟେଷ୍ଟ ଦଳରେ ଆକିଲା ଧନଞ୍ଜୟଙ୍କୁ ସାମିଲ କରାଯାଇଛି। ତ୍ରୁଟିପୂର୍ଣ୍ଣ ବୋଲିଂ ଶୈଳୀ ଯୋଗୁ ଆଇସିସି ଦ୍ବାରା କିଛିଦିନ ତଳେ ଧନଞ୍ଜୟଙ୍କୁ ବାସନ୍ଦ କରାଯାଇଥିଲା। ତେବେ ନିଜ ବୋଲିଂ ଶୈଳୀରେ ସୁଧାର ଆଣି ଖେଳିବାକୁ ଆଇସିସି ନିକଟରୁ ଅନୁମତି ପାଇଥିବାରୁ ଧନଞ୍ଜୟଙ୍କୁ ଟେଷ୍ଟ ଦଳରେ ସୁଯୋଗ ମିଳିଛି। ପ୍ରଥମ ଟେଷ୍ଟ ମ୍ୟାଚ୍‌ ଗଲ୍‌ରେ ଖେଳାଯିବାକୁ ଥିବା ବେଳେ ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ ଆସନ୍ତା ୨୨ରେ କଲମ୍ବୋରେ ଖେଳାଯିବ। ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଦୁଇ ଦେଶ ମଧ୍ୟରେ ୩ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳାଯିବ। ଶ୍ରୀଲଙ୍କା ଟେଷ୍ଟ ଦଳ : ଦିମୁଥ କରୁଣାରତ୍ନେ (ଅଧିନାୟକ), ଆଞ୍ଜେଲୋ ମ୍ୟାଥୁସ୍‌, ଦିନେଶ ଚାନ୍ଦିମାଲ୍‌, ଲାହିରୁ ତିରିମାନେ, କୁଶଲ ମେଣ୍ଡିସ୍‌, କୁଶଲ ପରେରା, ନିରୋସାନ୍‌ ଡିକୱେଲା, ଧନଞ୍ଜୟ ଡି’ ସିଲଭା, ଆକିଲା ଧନଞ୍ଜୟ, ଲାସିଥ୍‌ ଏମ୍‌ବୁଲଡେନିଆ, ସୁରଙ୍ଗା ଲକମଲ, ଲାହିରୁ କୁମାରା, ଓସାଡା ଫର୍ଣ୍ଣାଡୋ, ଲକସାନ୍‌ ସାନ୍ଦାକାନ, ବିଶ୍ବ ଫର୍ଣ୍ଣାଡୋ।

Comments are closed.