ନାଡା ଅଧୀନକୁ ଆସିଲା ବିସିସିଆଇ

ଭାରତୀୟ କ୍ରିକେଟର୍‌ଙ୍କ ଡୋପ୍‌ ପରୀକ୍ଷା କରିବ ନାଡା

ନୂଆଦିଲ୍ଲୀ : ଦୀର୍ଘଦିନର ବାଦ୍‌ବିବାଦ ପରେ ଜାତୀୟ ଆଣ୍ଟି ଡୋପିଂ ଏଜେନ୍‌ସି (ନାଡା) ଅଧୀନକୁ ଆସିଛି ବିସିସିଆଇ। ଭାରତୀୟ କ୍ରିକେଟର୍‌ଙ୍କ ଡୋପ ପରୀକ୍ଷା ନାଡ଼ା ଦ୍ବାରା କରାଯିବାକୁ ବିସିସିଆଇ ସ୍ବୀକୃତି ପ୍ରଦାନ କରିଛି। ଅନ୍ୟ ଅର୍ଥରେ କହିବାକୁ ଗଲେ ବିସିସିଆଇ ଜାତୀୟ କ୍ରୀଡ଼ା ମହାସଂଘରେ ପରିଣତ ହୋଇଛି।
ସୂଚନାଥାଉକି ଭାରତୀୟ କ୍ରିକେଟର୍‌ଙ୍କ ଡୋପ୍‌ ପରୀକ୍ଷା ନାଡା ଦ୍ବାରା କରାଯିବାକୁ ଦୀର୍ଘଦିନ ହେବ ବିଶ୍ବ ଆଣ୍ଟି ଡୋପିଂ ଏଜେନ୍‌ସି (ୱାଡା) ତରଫରୁ ଦାବି ହୋଇ ଆସୁଥିଲା। ତେବେ ଏହାକୁ ଅମାନ୍ୟ କରି ବିସିସିଆଇ ଏକ ଘରୋଇ ସଂସ୍ଥା ଦ୍ବାରା କ୍ରିକେଟର୍‌ଙ୍କ ଡୋପ୍‌ ପରୀକ୍ଷା କରାଉଥିଲା। ଏହାକୁ ନେଇ ଅନେକଥର ବିସିସିଆଇ ଏବଂ ୱାଡା ମଧ୍ୟରେ ମୁହଁାମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ବିସିସିଆଇକୁ ମନାଇବାକୁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ମଧ୍ୟ ବେଶ୍‌ ଉଦ୍ୟମ କରିଥିବା ବେଳେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ମଧ୍ୟ କ୍ରିକେଟର୍‌ଙ୍କ ଡୋପ୍‌ ପରୀକ୍ଷା ନାଡା ଦ୍ବାରା କରାଯିବା ଉଚିତ୍‌ ବୋଲି ମତ ଦେଇଥିଲା।ଶୁକ୍ରବାର ବିସିସିଆଇର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରାହୁଲ ଜୋହରି, ଜେନେରାଲ ମ୍ୟାନେଜର (କ୍ରିକେଟ୍‌ ପରିଚାଳନା) ସବା କରିମ୍‌ କେନ୍ଦ୍ର କ୍ରୀଡ଼ା ସଚିବ ରାଧେଶ୍ୟାମ୍‌ ଝୁଲଣିଆ, ନାଡା ମହାନିର୍ଦେଶକ ନବୀନ ଅଗ୍ରୱାଲ ଏକ ବୈଠକରେ ମିଳିତ ହୋଇଥିଲେ। ବୈଠକ ଶେଷରେ ସାମ୍ବାଦିକଙ୍କୁ ସୂଚନା ଦେଇ ରାଧେଶ୍ୟାମ୍‌ କହିଥିଲେ ଭାରତୀୟ କ୍ରିକେଟର୍‌ଙ୍କ ଡୋପ୍ ପରୀକ୍ଷା ନାଡା ଦ୍ବାରା କରାଯିବାକୁ ବିସିସିଆଇ ରାଜି ହୋଇଛି। ବୈଠକ ସମୟରେ ବିସିସିଅାଇ ତରଫରୁ ନାଡ଼ାର ଦକ୍ଷତାକୁ ନେଇ ୩ଟି ପ୍ରଶ୍ନ ଉଠାଯାଇଥିଲା। ପ୍ରଥମତଃ ଡୋପ୍‌ ପରୀକ୍ଷା ପାଇଁ ବ୍ୟବହୃତ ସରଞ୍ଜାମ, ଦ୍ବିତୀୟତଃ ଡୋପ୍‌ ପରୀକ୍ଷାକାରୀଙ୍କ ଦକ୍ଷତା ଏବଂ ତୃତୀୟତଃ ଡୋପ୍‌ ପରୀକ୍ଷା ନେଇ ନମୁନା ସଂଗ୍ରହ ପ୍ରଣାଳୀ। ତେବେ ବିସିସିଆଇ ଏହି ୩ଯାକ ପ୍ରସଙ୍ଗରେ ଯେପରି ସୁବିଧା ଚାହିଁବ ତାହା ଯୋଗାଇ ଦିଆଯିବ ବୋଲି କ୍ରୀଡ଼ା ମନ୍ତ୍ରଣାଳୟ ତରଫରୁ ପ୍ରତିଶ୍ରୁତି ପ୍ରଦାନ କରାଯାଇଥିଲା। ଏଥିପାଇଁ ବିସିସିଆଇକୁ କିଛିଟା ଅର୍ଥ ଦେବାକୁ ପଡ଼ିବ। ବିସିସିଆଇ ଅନ୍ୟ କ୍ରୀଡ଼ା ସଂଘଙ୍କ ଠାରୁ ଅଲଗା ହୋଇନଥିବାରୁ ଏହାକୁ ନିୟମ ମାନିବାକୁ ପଡ଼ିବ ବୋଲି ସ୍ପଷ୍ଟ ଭାବେ ଜଣାଇ ଦିଆଯାଇଥିଲା ବୋଲି ରାଧେଶ୍ୟାମ୍‌ କହିଛନ୍ତି। ସେହିପରି ଜୋହରି ନିଜ ପ୍ରତିକ୍ରିୟାରେ କହିଛନ୍ତି ବୈଠକ ସମୟରେ ନାଡାର କାର୍ଯ୍ୟଶୈଳୀକୁ ନେଇ ବିସିସିଆଇ ତରଫରୁ କେତେକ ପ୍ରଶ୍ନ ଉଠାଯାଇଥିଲା। ତେବେ କେନ୍ଦ୍ର କ୍ରୀଡ଼ା ସଚିବ ବିସିସିଆଇକୁ ସବୁପ୍ରକାର ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି। ନାଡା ଦ୍ବାରା କ୍ରିକେଟର୍‌ଙ୍କ ଉଚ୍ଚମାନର ଡୋପ୍‌ ପରୀକ୍ଷା ପାଇଁ ଯେଉଁ ଖର୍ଚ୍ଚ ହେବ ତାହାକୁ ଭରଣା କରିବାକୁ ବିସିସିଆଇ ରାଜି ଥିବା ଜୋହରି ସୂଚନା ଦେଇଛନ୍ତି। ଭାରତୀୟ କ୍ରିକେଟର୍‌ଙ୍କ ଡୋପ୍‌ ପରୀକ୍ଷା ନାଡା ଦ୍ବାରା କରାଯିବା ବିଷୟକୁ ବିସିସିଆଇ ମୂଳରୁ ବିରୋଧ କରି ଆସୁଥିଲା। ବିଶେଷ କରି ନାଡାର ନିୟମ ଅନୁଯାୟୀ ଖେଳାଳିମାନେ ବର୍ଷର ଏପରି ୩ଟି ତାରିଖ ଲେଖି ଜଣାଇବାକୁ ବାଧ୍ୟ ଥିଲେ ଯେତେବେଳେ କି ସେମାନେ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେଉନଥିବା ବେଳେ ନାଡାର ଅଧିକାରୀ ଡୋପ୍‌ ପରୀକ୍ଷା ନିମନ୍ତେ ତାଙ୍କର ନମୁନା ସଂଗ୍ରହ କରିପାରିବେ। ଏହି ନିୟମକୁ ନେଇ ବିସିସିଆଇ ତରଫରୁ ଆପତ୍ତି କରାଯାଇଥିଲା। ଭାରତୀୟ କ୍ରିକେଟର୍‌ଙ୍କ ଡୋପ୍‌ ପରୀକ୍ଷା ନିମନ୍ତେ ନମୁନା ସଂଗ୍ରହ ସ୍ବିଡେନ୍‌ସ୍ଥିତ ଆଇଡିଟିଏମ୍‌ ସଂସ୍ଥା କରି ଆସୁଥିଲା। ତେବେ ଭବିଷ୍ୟତରେ କ୍ରିକେଟର୍‌ଙ୍କ ଡୋପ୍‌ ପରୀକ୍ଷା ଆଇଡିଟିଏମ୍‌ କରିବ ନାହିଁ ଏବଂ ନାଡାକୁ ଏହି ଦାୟିତ୍ବ ହସ୍ତାନ୍ତର କରାଗଲା ବୋଲି ରାଧେଶ୍ୟାମ୍‌ ସ୍ପଷ୍ଟ କରି ଦେଇଛନ୍ତି। ଉଲ୍ଲେଖଥାଉକି ଭାରତୀୟ କ୍ରିକେଟର୍‌ଙ୍କ ଡୋପ୍‌ ପରୀକ୍ଷା ନାଡ଼ା ଦ୍ବାରା କରାଇବା ନିମନ୍ତେ ବିସିସିଆଇ ଉପରେ ଚାପ ପ୍ରୟୋଗ ପାଇଁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଦକ୍ଷିଣ ଆଫ୍ରିକା ଏ’ ଓ ମହିଳା କ୍ରିକେଟ୍ ଦଳର ଭାରତ ଗସ୍ତ ନିମନ୍ତେ ଅନୁମତି ଦେବାରେ ବିଳମ୍ବ କରି ଆସୁଥିବା ବେଳେ ଶୁକ୍ରବାର ଅନୁଷ୍ଠିତ ବୈଠକ ପରେ ଏଥିନିମନ୍ତେ ଅନୁମତି ପ୍ରଦାନ କରାଯାଉଥିବା ଜୋହରି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଭାରତୀୟ କ୍ରିକେଟର୍‌ଙ୍କ ଡୋପ୍‌ ପରୀକ୍ଷା ନାଡ଼ା ଦ୍ବାରା କରିବାକୁ ରାଜି ହେବା ପରେ ବିସିସିଆଇ ଏକ ଜାତୀୟ କ୍ରୀଡ଼ା ମହାସଂଘରେ ପରିଣତ ହୋଇଛି ଏବଂ ସରକାରୀ ନିୟମ ଅନୁଯାୟୀ ଭବିଷ୍ୟତରେ ବିସିସିଆଇ ସୂଚନା ଅଧିକାର ଆଇନ ପରିସରଭୁକ୍ତ ହୋଇପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।

Comments are closed.