www.samajalive.in
Sunday, December 7, 2025
16.1 C
Bhubaneswar

ଉନ୍ନାଓ ମାମଲା : ୭ ଦିନ​‌ରେ ଦୁର୍ଘଟଣା ମାମଲାର ତଦନ୍ତ ସାରିବାକୁ ନିର୍ଦେଶ, ୪୫ ଦିନରେ ସରିବ ଶୁଣାଣି

ନୂଆଦିଲ୍ଲୀ : ଉନ୍ନାଓ ବଳାତ୍କାର ଏବଂ ପୀଡ଼ିତାର ଦୁର୍ଘଟଣା ମାମଲାରେ ସୁପ୍ରିମକୋର୍ଟରେ ଗୁରୁବାର ଦୁଇ ଥର ଶୁଣାଣି ହୋଇଛି । ପ୍ରଧାନ ବିଚାରପତି ରଂଜନ ଗୋଗୋଇଙ୍କ ନେତୃତ୍ବାଧୀନ ପୀଠ ଏ ସମ୍ପର୍କିତ ୪ ମାମଲାକୁ ଉତ୍ତରପ୍ରଦେଶର ଲକ୍ଷ୍ନୌରୁ ଦିଲ୍ଲୀକୁ ସ୍ଥାନାନ୍ତର କରିଛନ୍ତି। ଦୁର୍ଘଟଣା ମାମଲାର ତଦନ୍ତ ୭ ଦିନ ମଧ୍ୟରେ ଶେଷ କରିବା ପାଇଁ ସୁପ୍ରିମକୋର୍ଟ ସିବିଆଇକୁ ନିର୍ଦେଶ ଦେଇଛନ୍ତି। ଏହାସହ ସମସ୍ତ ମାମଲାର ଶୁଣାଣି ୪୫ ଦିନ ମଧ୍ୟରେ ସାରିବାକୁ ସୁପ୍ରିମକୋର୍ଟ କହିଛନ୍ତି । ସୁପ୍ରିମକୋର୍ଟ କ୍ଷତିପୂରଣ ବାବଦ ପୀଡ଼ିତାର ପରିବାରକୁ ୨୫ ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ରାଜ୍ୟସରକାରଙ୍କୁ ନିର୍ଦେଶ ଦେଇଛନ୍ତି ।

ସୁପ୍ରିମକୋର୍ଟରେ ପ୍ରଥମେ ପୀଡ଼ିତାର ଚିଠି ସମ୍ପର୍କିତ ମାମଲାର ଶୁଣାଣି ହୋଇଥିଲା । ପ୍ରଥମ ଶୁଣାଣି ବେଳେ ଉନ୍ନାଓ ବଳାତ୍କାର ଏବଂ ଦୁର୍ଘଟଣା ମାମଲାର ତଦନ୍ତ ସାରିବାକୁ କେତେଦିନ ଲାଗିବ ବୋଲି ପ୍ରଧାନ ବିଚାରପତି ରଂଜନ ଗୋଗୋଇ ସଲିସିଟର ଜେନେରାଲଙ୍କୁ ପ୍ରଶ୍ନ କରିଥିଲେ । ସଲିସିଟର ଜେନେରାଲ ତଦନ୍ତ ପ୍ରକ୍ରିୟା ଶେଷ କରିବାକୁ ମାସେ ସମୟ ମାଗିଥିଲେ। ମାତ୍ର ପ୍ରଧାନ ବିଚାରପତି ରଂଜନ ଗୋଗୋଇ, ଜଷ୍ଟିସ୍‍ ଦୀପକ୍‍ ଗୁପ୍ତା ଓ ଅନିରୁଦ୍ଧ ବୋଷ୍‍ଙ୍କ ପୀଠ ମାସେ ନୁହେଁ ୭ ଦିନ ମଧ୍ୟରେ ଦୁର୍ଘଟଣା ମାମଲାର ତଦନ୍ତ ଶେଷ କରିବାକୁ ନିର୍ଦେଶ ଦେଇଛନ୍ତି। ମାମଲାର ଶୁଣାଣି ସମୟରେ ପୀଠ ପୀଡ଼ିତାର ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ଏହାସହ ହେଲିକପ୍ଟର ଯୋାଗେ ପୀଡ଼ିତାକୁ ଅନ୍ୟତ୍ର ସ୍ଥାନାନ୍ତର କରିହେବ କି ବୋଲି ପ୍ରଶ୍ନ କରିଥିଲେ । ପୀଡ଼ିତାକୁ ଲକ୍ଷ୍ନୌରୁ ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀକୁ ନେବାକୁ ସୁପ୍ରିମକୋର୍ଟ କହିଥିଲେ ।

- Advertisement -

ପ୍ରଥମ ଶୁଣାଣି ବେଳେ ସିବିଆଇର ଯୁଗ୍ମ ନିର୍ଦେଶକ ସମ୍ପତ ମିଣା ସୁପ୍ରିମକୋର୍ଟରେ ହାଜର ହୋଇଥିଲେ। ସଲିସିଟର ଜେନେରାଲ ତୁଷାର ମେହଟା ବଳାତ୍କାର, ଦୁର୍ଘଟଣା ମାମଲାରେ ତଦନ୍ତର ସ୍ଥିତାବସ୍ଥା ନେଇ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଥିଲେ। ଉନ୍ନାଓ  ବଳାତ୍କାର ପୀଡ଼ିତାଙ୍କ ଦୁର୍ଘଟଣା ଉପରେ ଗୁରୁବାର ସୁଦ୍ଧା ସ୍ଥିତାବସ୍ଥା ରିପୋର୍ଟ ଦାଖଲ କରିବାପାଇଁ ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ପାଖକୁ ବଳାତ୍କାର ପୀଡ଼ିତା ଲେଖିଥିବା ଚିଠି ଖଣ୍ଡପୀଠ ନିକଟରେ କାହିଁକି ଦାଖଲ କରାଯାଇ ନାହିଁ ବୋଲି କୋର୍ଟ ପକ୍ଷରୁ ସେକ୍ରେଟାରୀ ଜେନେରାଲ୍‍ଙ୍କଠାରୁ ରିପୋର୍ଟ ମଗାଯାଇଛି।

ପ୍ରକାଶ ଯେ ଶିଶୁ ବଳାତ୍କାର ମାମଲାରେ କୋର୍ଟମିତ୍ର ବରିଷ୍ଠ ଓକିଲ ଭି.ଗିରିଙ୍କ ତରଫରୁ ଏହି ପ୍ରସଙ୍ଗ ଉତ୍‍ଥାପନ ପରେ ଉନ୍ନାଓ ବଳାତ୍କାର ମାମଲାର ତୁରନ୍ତ ଶୁଣାଣି ପାଇଁ ଖଣ୍ଡପୀଠ ରାଜି ହୋଇଥିଲେ । ଉନ୍ନାଓ ବଳାତ୍କାର ପୀଡ଼ିତା ତାଙ୍କ ଜୀବନ ପ୍ରତି ବିପଦ ଥିବା କଥା ଚିଠିରେ ଲେଖିଥିଲେ ଏବଂ ତାଙ୍କ ପରିବାର ସଦସ୍ୟମାନଙ୍କୁ ହଇରାଣ ହରକତ ଓ ଧମକ ଚମକ ଦେଉଥିବା ବ୍ୟକ୍ତିମାନଙ୍କ ବିରୋଧରେ ଏତଲା ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଥିଲେ। ଏହି ଚିଠିର ନକଲ ଆଲ୍ଲାହାବାଦ ହାଇକୋର୍ଟ ଓ ଉତ୍ତର ପ୍ରଦେଶ ସରକାରଙ୍କ ନିକଟକୁ ପଠାଯାଇଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories