କଟକ ଟ୍ରିପିଲ ହତ୍ୟା ଘଟଣା – ଷ୍ଟୋନମ୍ୟାନ ଗିରଫ
ହତ୍ୟାକାରୀ ଜଣେ ମାନସିକ ରୋଗୀ
କଟକ: କଟକ ସହରରେ ୨୪ ଘଣ୍ଟା ଭିତରେ ୩ ଜଣ ନିରାଶ୍ରୟ ଓ ଶ୍ରମିକଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରିଥିବା ଷ୍ଟୋନମ୍ୟାନକୁ ଶେଷରେ କମିସନରେଟ ପୁଲିସ ସୋମବାର ଗିରଫ କରିଛି। ୬ ଦିନ ଧରି ଅକ୍ଳାନ୍ତ ପରିଶ୍ରମ ଓ ବିଭିନ୍ନ ସ୍ଥାନରେ ସିସିଟିଭି ଫୁଟେଜ ଯାଞ୍ଚ କରି ଅଭିଯୁକ୍ତ ନିକଟରେ ପହଞ୍ଚିବାରେ ସଫଳ ହୋଇଛି ପୁଲିସ। ଉକ୍ତ ଷ୍ଟୋନମ୍ୟାନ୍ ନାମ ନାରାୟଣ ସାହୁ ଓ ତାର ଘର ଗଞ୍ଜାମ ଜିଲ୍ଲାରେ ବୋଲି କଟକ ପୁଲିସ କମିସନର ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି। ପ୍ରାଥମିକ ତଦନ୍ତରୁ ଏହି ୩ଟି ହତ୍ୟାକାଣ୍ଡ ଜଣେ ହିଁ କରିଛି। ସମସ୍ତଙ୍କୁ ଗୋଟିଏ ମାରଣାସ୍ତ୍ରରେ ହତ୍ୟା କରିଥିବା ତଦନ୍ତରୁ ଜଣାପଡିଛି। ଅଭିଯୁକ୍ତକୁ ଗିରଫ କରାଯିବା ପରେ ଏହି ଘଟଣାରେ ଅନ୍ୟ କିଏ ସମ୍ପୃକ୍ତ ଅଛି କି ନାହିଁ ତାହା ଜାଣିବା ପାଇଁ ପୁଲିସ ତଦନ୍ତ ପ୍ରକ୍ରିୟାକୁ ଅଧିକ ତ୍ବରାନ୍ବିତ କରିଛି। ଏଥିପାଇଁ ୫ଟି ସ୍ବତନ୍ତ୍ର ତଦନ୍ତକାରୀ ଦଳ ଗଠନ କରାଯାଇଛି। ଏହିସବୁ ଦଳ କଟକ ସହିତ କଟକ ବାହାରକୁ ତଦନ୍ତ କରିବାକୁ ଯାଇଛନ୍ତି। ତଦନ୍ତ ଶେଷ ହେବା ପରେ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚିତ ହେବ ବୋଲି ପୁଲିସ କମିସନର କହିଛନ୍ତି।
୨୪ଘଣ୍ଟା ଭିତରେ ୩ଜଣ ଶ୍ରମିକଙ୍କୁ ହତ୍ୟା କରାଯିବା ପରେ ଅଭିଯୁକ୍ତଙ୍କୁ ଧରିବା ପୁଲିସ ପାଇଁ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। ପ୍ରାଥମିକ ପର୍ୟ୍ୟାୟରେ ପୁଲିସ ଏକ ସ୍ବତନ୍ତ୍ର ତଦନ୍ତକାରୀ ଦଳ ଗଠନ କରିବା ସହିତ ରାତିରେ ପୁଲିସ ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରିଥିଲା। ଏଥିସହିତ କଟକ ବଡ଼ ମେଡିକାଲର ମାନସିକ ରୋଗ ବିଭାଗରେ ମଧ୍ୟ ପୁଲିସ ଛାନଭିନ୍ କରିଥିଲା। ବଡ଼ ମେଡିକାଲ ହୃଦରୋଗ ବିଭାଗ ଏବଂ ଓଏମପି ଛକରେ ଗୋଟିଏ ଦିନରେ ଘଟିଥିବା ଦୁଇଟି ହତ୍ୟାକାଣ୍ଡରେ ଅନେକ ସାମଞ୍ଜସ୍ୟ ରହିଥିଲା। ଦୁଇଜଣଙ୍କୁ ଏକାପ୍ରକାର ଢଙ୍ଗରେ ହତ୍ୟା କରାଯାଇଥିବାରୁ ଏହି ହତ୍ୟାକାଣ୍ଡରେ ଜଣେ ହିଁ ସମ୍ପୃକ୍ତ ଥିବା ପୁଲିସ ସନ୍ଦେହ କରିଥିଲା। ଏହାକୁ ନେଇ ପୁଲିସ ତଦନ୍ତ ପ୍ରକ୍ରିୟାକୁ ଗତିଶୀଳ କରିଥିଲା। ହତ୍ୟାକାଣ୍ଡ ସ୍ଥଳରୁ କୌଣସି ସୁରାକ ନ ମିଳିବାରୁ ହୃଦରୋଗ ବିଭାଗ ସମ୍ମୁଖରେ ଲାଗିଥିବା ସିସିଟିଭି ଫୁଟେଜକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଏହି ସିସିଟିଭି ଫୁଟେଜ ହିଁ ପୁଲିସ ତଦନ୍ତରେ ଯଥେଷ୍ଟ ସହାୟକ ହୋଇଥିଲା।
ଏହି ସିସିଟିଭି ଫୁଟେଜରେ ଘଟଣା ଦିନ ରାତିରେ ଜନୈକ ଯୁବକ ଏକ ବାଇକରେ ରକ୍ତ ଜୁଡୁବୁଡୁ ଜଣେ ବ୍ୟକ୍ତିଙ୍କୁ ହୃଦରୋଗ ବିଭାଗ ସମ୍ମୁଖରେ ଛାଡି ପଳାଉଥିବା ଦେଖିବାକୁ ମିଳିଥିଲା। ପୁଲିସ ଅନୁସନ୍ଧାନ କରି ଏହି ସ୍କୁଟର ଚାଳକଙ୍କ ନିକଟରେ ପହଞ୍ଚିଥିଲା। ପଚରାଉଚରା ପରେ ସେ ଘଟଣା ସମ୍ପର୍କରେ ପୁଲିସକୁ ବହୁ ଚାଞ୍ଚଲ୍ୟକର ସୁରାକ ଦେଇଥିଲା। ଉକ୍ତ ଯୁବକଙ୍କର ବୟାନ ଅନୁଯାୟୀ, ଘଟଣା ଦିନ ସେ ରାତିରେ ଓଏମପି ଛକ ଦେଇ ଘରକୁ ଯାଉଥିଲେ। ଏହି ସମୟରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉକ୍ତ ବ୍ୟକ୍ତି ତାଙ୍କୁ ସହାୟତା କରିବାକୁ ନିବେଦନ କରିଥିଲେ। ସେ ତାଙ୍କୁ ସହାୟତା କରିଥିଲେ। ବାଇକରେ ବସାଇ ତାଙ୍କୁ ହୃଦରୋଗ ବିଭାଗ ପର୍ୟ୍ୟନ୍ତ ଆଣିଥିଲେ। ସେଠାରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା। ସେ ରାସ୍ତାରେ ଶୋଇଥିବାବେଳେ ଷ୍ଟୋନମ୍ୟାନ ବା ସେହି ମାନସିକ ବିକୃତ ବ୍ୟକ୍ତି ତାଙ୍କୁ ଅତର୍କିତଭାବେ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା। ସେ ତାହାର ପ୍ରତିବାଦ କରିଥିଲେ। ଦୁହିଁଙ୍କ ଭିତରେ ଠେଲାପେଲା ହୋଇଥିଲା। ସେହି ଧାରୁଆ ଅସ୍ତ୍ରରେ ତାଙ୍କ ବେକକୁ ସେ କାଟି ଦେଇଥିଲା। ତାଙ୍କୁ ମାରିନପାରି ସେ ପଳାଇଥିଲା। ପ୍ରବଳ ରକ୍ତସ୍ରାବ ସତ୍ତ୍ବେ ସେ ମେଡିକାଲ ଆସିବାକୁ ସାହସ ଜୁଟାଇଥିଲେ। ଏହି ସମୟରେ ଉକ୍ତ ରାସ୍ତାଦେଇ ଆସୁଥିବାବେଳେ ତାଙ୍କୁ ସେ ସାହାଯ୍ୟ ମାଗିଥିଲେ ବୋଲି ସମ୍ପୃକ୍ତ ଯୁବକ ପୁଲିସକୁ କହିଛି। ସମ୍ପୃକ୍ତ ଯୁବକଙ୍କଠାରୁ ସୂଚନା ପାଇ ପୁଲିସ ଷ୍ଟୋନମ୍ୟାନ ନିକଟରେ ପହଞ୍ଚିବାକୁ ପ୍ରୟାସ ଚଳାଇଛି। ଏହି ମାନସିକବିକାରଗସ୍ତ ବ୍ୟକ୍ତି ପୂର୍ବରୁ ଏସସିବି ମାନସିକ ରୋଗ ବିଭାଗରେ ଚିକିତ୍ସିତ ହୋଇଥିଲା। ସୁସ୍ଥ ହେବା ପରେ ସେ ମେଡିକାଲରୁ ପଳାଇଥିଲା।
Comments are closed.