ସାରଥୀ ବାରିମୂଳ ଆଶ୍ରମ ସିଲ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ
କେନ୍ଦ୍ରାପଡା: ଭାରତ ସରକାରଙ୍କ ପକ୍ଷରୁ ପ୍ରବର୍ତ୍ତନ ନିର୍ଦେଶାଳୟ ଶନିବାର ସାରଥି ଆଶ୍ରମକୁ ସିଲ୍ କରି ଏହା ଆଗରେ ଏକ ନୋଟିସ ବୋର୍ଡ ଲଗାଇଛି। ସାରଥି ଆଶ୍ରମ ଏବଂ ଏହାର ଆଖପାଖ ଅଞ୍ଚଳରେ ରହିଥିବା ୨୬ଟି ପ୍ଲଟ ଉପରେ ପ୍ରବର୍ତ୍ତନ ନିର୍ଦେଶାଳୟ କଟକଣା ଲାଗୁ କରିଥିବା ବିଷୟ ସେହି ବୋର୍ଡରେ ଜନସାଧାରଣଙ୍କୁ ଅବଗତ କରାଯାଇଛି। ଫଳରେ ସାରଥିଙ୍କ ଦଖଲରେ ଥିବା ଆଶ୍ରମ ସହିତ ତାଙ୍କର ସମସ୍ତ ଜମି ପ୍ରବର୍ତ୍ତନ ନିର୍ଦେଶାଳୟ ଅଧୀନକୁ ଚାଲିଯାଇଛି। ଉକ୍ତ ୨୬ଟି ପ୍ଲଟର ଜମି ପରିମାଣ ୩ ଏକରରୁ ଅଧିକ ହେବ। ଏହିସବୁ ଜମି ସାରଥି ବାବା ଓରଫ ସନ୍ତୋଷ ରାଉଳ, ତାଙ୍କ ପାଳିତ ପୁତ୍ର ସତ୍ୟମ ଏବଂ ଅନ୍ୟ କେତେକ ଭକ୍ତଙ୍କ ନାମରେ ଥିବା ଏହି ନୋଟିସ୍ ବୋର୍ଡରୁ ଜଣାପଡିଛି।
ଆଶ୍ରମ ସହିତ ଏହି ଜମି ଉପରେ କୌଣସି ଲୋକର ଅନଧିକାର ପ୍ରବେଶ ଉପରେ ରୋକ ଲଗାଯାଇଛି। ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ୪ଜଣିଆ ଏକ ଟିମ୍ ଏହି ନୋଟିସ୍ ଲଗାଇବା ସମୟରେ ବାରିମୂଳ ପଞ୍ଚାୟତ ସମେତ ଆଖପାଖ ପଞ୍ଚାୟତର ବହୁ ଲୋକ ସେଠାରେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଗତ ଜୁଲାଇ ୨୨ ତାରିଖରେ ହାଇକୋର୍ଟରେ ସାରଥିଙ୍କୁ ସର୍ତ୍ତମୂଳକ ଜାମିନ ମିଳିଥିଲା। ୨ଲକ୍ଷ ଟଙ୍କା ଓ ୨ ଜଣ ଜାମିନଦାରଙ୍କ ସର୍ତ୍ତ ପରେ ତାଙ୍କୁ ଜାମିନ ମିଳିଥିଲା। ଜୁନ ୨୫ ତାରିଖରେ ସେ ଚୌଦ୍ୱାର ଜେଲ୍ରୁ ମୁକୁଳିଥିଲେ। ତେବେ ସାରଥି ଏବେ କେଉଁଠି ଅବସ୍ଥାନ କରୁଛନ୍ତି ସେ ନେଇ ବିଭିନ୍ନ କଳ୍ପନାଜଳ୍ପନା ଲାଗି ରହିଛି।
Comments are closed.