ନିଦ ହଜାଇଲାଣି ଷ୍ଟୋନମ୍ୟାନ
କଟକ: ତିନି ଦିନ ବିତିଗଲାଣି। କମିସନରେଟ ପୁଲିସର ନିଦ ହଜାଇ ଦେଲାଣି। ଛକ, ବଜାରରେ ଘନ ଘନ ଗାଡିମୋଟର ତଲାସି। ହତ୍ୟାକାଣ୍ଡସ୍ଥଳ ଯାଞ୍ଚ ପରେ ବି ଷ୍ଟୋନମ୍ୟାନର କୌଣସି ପତ୍ତା ମିଳୁନି। କିଛି ସୁରାକ ବି ପାଉନି ପୁଲିସ। ସମୟ ଗଡିବା ସହିତ ଷ୍ଟୋନମ୍ୟାନକୁ ନେଇ ସହରବାସୀଙ୍କ ମଧ୍ୟରେ ଭୟ ଓ ଆଶଙ୍କା ବଢିଚାଲିଛି। ବିଳମ୍ବିତ ରାତିରେ ଚଳଚଞ୍ଚଳ ରହୁଥିବା ସହର ଏକପ୍ରକାର ଶୂନଶାନ ହୋଇପଡୁଛି। ଏକାକି କେହି ରାସ୍ତାରେ ଯିବାକୁ ସାହସ କରୁନାହାନ୍ତି। ଛକଠାରୁ ବଜାର ପର୍ୟ୍ୟନ୍ତ ସବୁଠି ଷ୍ଟୋନମ୍ୟାନକୁ ନେଇ ଚର୍ଚ୍ଚା। କିଏ ଏହି ଷ୍ଟୋନ ମ୍ୟାନ? କଣ ତାର ଉଦ୍ଦେଶ୍ୟ? କାହିଁକି ସେ ହତ୍ୟାକାଣ୍ଡ ରଚୁଛି। ଅବଶ୍ୟ ପୁଲିସର ସତର୍କତା ପରେ ଗତ ଦୁଇଦିନ ମଧ୍ୟରେ ଷ୍ଟୋନମ୍ୟାନ ଆକ୍ରମଣର କେହି ଶିକାର ହୋଇନଥିଲେ ବି ଲୋକଙ୍କ ମନରେ ଭୟ ଜମାଟ ବାନ୍ଧି ରହିଛି।
୨୪ଘଣ୍ଟାରେ ୩ଟି ନୃଶଂସ ହତ୍ୟାକାଣ୍ଡ ଘଟାଇବା ପରେ ଷ୍ଟୋନମ୍ୟାନ ସହରରୁ ଏକପ୍ରକାର ଅନ୍ତର୍ଦ୍ଧାନ ହୋଇଯାଇଛି। ତାକୁ ଧରିବା ପାଇଁ ପୁଲିସ ପକ୍ଷରେ ଚାଲେଞ୍ଜ ସଦୃଶ ହୋଇଛି। ୭୨ଘଣ୍ଟା ପରେ ବି ତାକୁ ଧରିବା ଦୂରର କଥା ତା’ବିଷୟରେ ସାମାନ୍ୟତମ ସୁରାକ୍ ପାଇବାରେ ସମର୍ଥ ହୋଇପାରିନାହିଁ। ସାଇକୋ କିଲରକୁ ନେଇ ସହରବାସୀ ଏକପ୍ରକାର ଆତଙ୍କ ମଧ୍ୟରେ ଜୀବନଯାପନ କରୁଥିବା ବେଳେ ଏହାକୁ ପ୍ରଶମିତ କରିବା ପାଇଁ ପୁଲିସ ଉଦ୍ୟମ ଚଳାଇଛି। ଘଟଣାର ଅନୁଧ୍ୟାନ ପାଇଁ ପୁଲିସ ଉଚ୍ଚକର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ ଏକ ସ୍ୱତନ୍ତ୍ର ଦଳ ଗଠନ କରାଯାଇଛି। ତଦନ୍ତକାରୀ ଦଳ ହାତରେ ସେଭଳି ତଥ୍ୟ ଲାଗିପାରିନାହିଁ। ଆଜି ପୁଣି ଆଉ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରାଯାଇଛି। ଏହାଛଡ଼ା ସହରର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ଥାନା ପୁଲିସ ସହିତ ଫୋର୍ସ ଜଗିବାର ବ୍ୟବସ୍ଥା କରାଯାଇଛି। ୧୫ସେକ୍ସନ ଫୋର୍ସ ରାତି ୧୦ଟାରୁ ସକାଳ ୬ଟା ପର୍ୟ୍ୟନ୍ତ ଡ୍ୟୁଟି କରିବା ପାଇଁ କୁହାଯାଇଛି। କୌଣସି ପରିସ୍ଥିତିରେ ଯା’ଆସ କରୁଥିବା ଲୋକେ ଓ ଯାନବାହନଗୁଡିକ ବିନା ଯାଞ୍ଚରେ ନ ଛାଡ଼ିବା ପାଇଁ ନିର୍ଦେଶ ଦିଆଯାଇଛି। ମୁଖ୍ୟ ରାସ୍ତାରେ ପିସିଆର ଭ୍ୟାନ ଓ ଗଳିକନ୍ଦିରେ ପିସିଆର ବାଇକ ପାଟ୍ରୋଲିଂ କରିବାର ବ୍ୟବସ୍ଥା କରାଯାଇଛି। ରାତି ସାଢ଼େ ୧୦ଟା ସୁୁଦ୍ଧା ସହରର ସମସ୍ତ ଦୋକାନ ବନ୍ଦ କରାଯିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। କୌଣସି ପରିସ୍ଥିତିରେ ରାତିରେ ରାସ୍ତାକଡ଼ରେ ଶୋଇବା ବା ଆଶ୍ରୟ ନ ନେବା ପାଇଁ ପୁଲିସ ପକ୍ଷରୁ ଡାକବାଜି ଯନ୍ତ୍ର ସହାୟତାରେ ପ୍ରଚାର କରାଯାଉଛି। ୨୪ଘଣ୍ଟା ବ୍ୟବଧାନରେ ୩ଟି ସ୍ଥାନରେ ହତ୍ୟାକାଣ୍ଡ ଘଟିଥିବାରୁ ସହରବାସୀ ଏକପ୍ରକାର ଭୟ ମଧ୍ୟରେ କାଳତିପାତ କରୁଛନ୍ତି। ପ୍ରତିଦିନ ଜନଗହଳି ଦେଖିବାକୁ ମିଳୁଥିବା ଛକ ଓ ସ୍ଥାନଗୁଡିକରେ ରାତି ୧୦ଟା ପରେ ଏକପ୍ରକାର ଶୂନଶାନ୍ ହୋଇପଡୁଛି। ଯେନତେନ ଉପାୟରେ ଷ୍ଟୋନମ୍ୟାନ ନିକଟରେ ପହଞ୍ଚିବା ପାଇଁ ରାତି ହେଲେ ସହର ଗୋଟାକ ପୁଲିସ ଛାଉଣୀରେ ପରିଣତ ହୋଇପଡୁଛି। ବିଭିନ୍ନ ଥାନା ଅଧିକାରୀଙ୍କ ସହିତ ଖୋଦ୍ ଡିସିପି ସହରର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ସୁରକ୍ଷା ବ୍ୟବସ୍ଥା ତଦାରଖ କରୁଛନ୍ତି। ରେଳଷ୍ଟେସନ ଓ ବାଦାମବାଡି ସହ ଏସ୍ସିବି ମେଡିକାଲ ପରିସରରେ ହାଇଆଲର୍ଟ ଜାରି କରିଛି। ହତ୍ୟାକାଣ୍ଡସ୍ଥଳର କିଛି ଦୂର୍ରେ ରହିଥିବା ବିଭିନ୍ନ ଦୋକାନର ସିସିଟିଭି ଫୁଟେଜକୁ ଯାଞ୍ଚ କରାଯାଉଛି। ରାସ୍ତାକଡ଼ରେ ଆଶ୍ରୟ ବା ଶୋଉଥିବା ନିରୀହ, ଗରିବ, ଦିନମଜୁରିଆ ଓ ନିରାଶ୍ରୟଙ୍କୁ ପୁଲିସ ବୁଝାଇବା ସହିତ ସେମାନଙ୍କୁ ଆଶ୍ରୟସ୍ଥଳକୁ ନେଉଛନ୍ତି। ସହରରେ ରହିଥିବା ରାତ୍ରି ଆଶ୍ରୟସ୍ଥଳୀ ଗୁଡିକରେ ପାଟ୍ରୋଲିଂ ବ୍ୟବସ୍ଥା ବଢ଼ାଇ ଦିଆଯାଇଛି।
Comments are closed.