ଚତୁର୍ଥ ଥର ପାଇଁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଏସ୍ ୟେଦୁରପ୍ପା
ବେଙ୍ଗାଲୁରୁ : ବିଜେପି ବିଧାୟକ ଦଳର ନେତା ବିଏସ୍ ୟେଦୁରପ୍ପା ଶୁକ୍ରବାର ଚତୁର୍ଥ ଥର ପାଇଁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ବାଜୁଭାଇ ବାଲା ଶୁକ୍ରବାର ସନ୍ଧ୍ୟାରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ୟେଦୁରପ୍ପାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ବିଧାନସଭାରେ ବହୁମତ ସାବ୍ୟସ୍ତ କରିବା ପରେ ତାଙ୍କ ମନ୍ତ୍ରିମଣ୍ଡଳ ଶପଥ ନେବ ବୋଲି ୟେଦୁରପ୍ପା କହିଛନ୍ତି ।
ଏହା ପୂର୍ବରୁ ୨୦୧୮ ମେ’ ୧୭ରେ ୟେଦୁରପ୍ପା ତୃତୀୟ ଥର କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ତେବେ ବିଧାନସଭାରେ ବହୁମତ ଅଭାବରୁ ମାତ୍ର ୨ ଦିନ ପରେ ମେ’ ୧୯ରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଥିଲା । ଏବେ ୪୩୪ ଦିନ ପରେ ସେ ପୁନର୍ବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ୟେଦୁରପ୍ପାଙ୍କ ଇସ୍ତଫା ପରେ କଂଗ୍ରେସ-ଜେଡିଏସ କର୍ଣ୍ଣାଟକରେ ମେଣ୍ଟ ସରକାର ଗଠନ କରିଥିଲେ । ଏଚଡି କୁମାରସ୍ବାମୀ ୨୦୧୮ ମେ’ ୨୩ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ମାତ୍ର ଏହି ସରକାର ମାତ୍ର ୧୪ ମାସ ଚାଲିଥିଲା । କୁମାର ସ୍ବାମୀଙ୍କ ନେତୃତ୍ବାଧୀନ କଂଗ୍ରେସ-ଜେଡିଏସ ମେଣ୍ଟ ସରକାର ଗତ ମଙ୍ଗଳବାର କର୍ଣ୍ଣାଟକ ବିଧାନସଭାରେ ଆହୂତ ଆସ୍ଥା ଭୋଟରେ ହାରିଯାଇଥିଲା । କଂଗ୍ରେସ-ଜେଡିଏସ ମେଣ୍ଟ ସରକାର ସପକ୍ଷରେ ୯୯ ଖଣ୍ଡ ଭୋଟ ଓ ବିରୋଧରେ ୧୦୫ ଖଣ୍ଡ ଭୋଟ ମିଳିଥିଲା। ବାଚସ୍ପତି କେ.ଆର ରମେଶ କୁମାର ଆସ୍ଥା ଭୋଟ ପାଇଁ ବିଧାୟକଙ୍କୁ ନିଜ ଆସନରେ ଠିଆ କରାଇ ମୁଣ୍ଡ ଗଣତି କରିଥିଲେ । କଂଗ୍ରେସ- ଜେଡିଏସ ସରକାରଙ୍କ ସପକ୍ଷରେ ୯୯ ଜଣ ଠିଆ ହୋଇଥିଲା ବେଳେ ବିପକ୍ଷରେ ୧୦୫ ଜଣ ବିଧାୟକ ଠିଆ ହୋଇଥିଲେ । ଏହି କ୍ରମରେ କଂଗ୍ରେସ-ଜେଡିଏସ ସରକାରର ପତନ ଘଟିଥିଲା । ଏହା ପରଠାରୁ ୟେଦିୟୁରପ୍ପା ସରକାର ଗଠନ କରିବାକୁ ଦାବି କରିଆସୁଥିଲେ। ଏଥିପାଇଁ ସେ ପାର୍ଟି ହାଇକମାଣ୍ଡଙ୍କ ନିର୍ଦେଶକୁ ଅପେକ୍ଷା କରିଥିଲେ। ହାଇକମାଣ୍ଡଙ୍କ ନିର୍ଦେଶ ମିଳିବା ପରେ ସେ ଶୁକ୍ରବାର ପୂର୍ବାହ୍ନରେ ରାଜ୍ୟପାଳ ବାଜୁଭାଇ ବାଲାଙ୍କୁ ଭେଟିଥିଲେ। ରାଜ୍ୟପାଳ ତାଙ୍କୁ ଶୁକ୍ରବାର ସନ୍ଧ୍ୟାରେ ସରକାର ଗଢ଼ିବାକୁ ଆମନ୍ତ୍ରିତ କରିଥିଲେ। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଜୁଲାଇ ୩୧ ସୁଦ୍ଧା ବିଧାନସଭାରେ ନିଜର ବହୁମତ ସାବ୍ୟସ୍ତ କରିବେ ବୋଲି ୟେଦିୟୁରପ୍ପା କହିଛନ୍ତି ।
ଗତ ଗୁରୁବାର ଜଗଦୀଶ ଶେଣ୍ଟାର, ଅରବିନ୍ଦ ଲିମ୍ବାବଲୀ, ମଧୁସ୍ବାମୀ, ବସୱାରାଜ ବୋମ୍ମଇ ଏବଂ ୟେଦିୟୁରପ୍ପାଙ୍କ ପୁଅ ବିଜୟେନ୍ଦ୍ରଙ୍କ ସମେତ କର୍ଣ୍ଣାଟକ ବିଜେପିର ନେତାମାନେ ନୂଆଦିଲ୍ଲୀ ଯାଇ ଦଳର ଅଧ୍ୟକ୍ଷ ଅମିତ ଶାହଙ୍କୁ ଭେଟିଥିଲେ। ଏହି ଅବସରରେ ସରକାର ଗଠନ ପାଇଁ ଆଲୋଚନା ହୋଇଥିବା କୁହାଯାଉଛି।
Comments are closed.