ମାତିଛି ‘ଷ୍ଟୋନ୍‌ମ୍ୟାନ୍‌’

କଟକ : କଟକ ସହରରେ ଷ୍ଟୋନ୍‌ମ୍ୟାନ ଆତଙ୍କ। ଅନେ​‌କେ ତାକୁ ସାଇକୋ କିଲର ବି କହୁଛନ୍ତି। ବ୍ୟସ୍ତବହୁଳ ମଧ୍ୟାହ୍ନର ଗହଳି ଭିତରେ ନୁହେଁ; ବରଂ ସହରର ରାତି ବଢିଲେ ଆତଙ୍କ ଖେଳାଉଛି ଏଇ ସାଇକୋ କିଲର। ସହଜ ନିଶାଣ କରୁଛି ନିରାଶ୍ରୟ ଦିନ ମଜୁରିଆଙ୍କୁ। ଯେଉଁମାନେ ସହରକୁ ଦିନରେ ମଜୁରି ପାଇଁ ଆସି ପରଦିନ କାମ ଆଶାରେ ସହରର କେଉଁ ସ୍ଥାନରେ ରାତି କଟାଉଛନ୍ତି ସେମାନେ ପାଲଟୁଛନ୍ତି ଷ୍ଟୋନ୍‌ମ୍ୟାନ୍‌ର ସହଜ ଶିକାର। ଗତ ୨୪ ଘଣ୍ଟା ମଧ୍ୟରେ ସହରରେ ଷ୍ଟୋନ୍‌ମ୍ୟାନ୍‌ ହତ୍ୟା କଲାଣି ତିନି ତିନି ଜଣ ଶ୍ରମିକଙ୍କୁ। ଅତି ନିର୍ମମ ଭାବେ ସେମାନଙ୍କୁ ହତ୍ୟା କରୁଛି। ୩ ଜଣଙ୍କୁ ସମାନ ଢଙ୍ଗରେ ମାରିଛି। ପ୍ରଥମେ ତଣ୍ଟି କାଟୁଛି। ପରେ ମୁଣ୍ଡକୁ ପଥରରେ ଛେଚୁଛି। ହତ୍ୟା ପରେ ଶବ ଦିଶୁଛି ଅତ୍ୟନ୍ତ ବୀଭତ୍ସକର। ଚିହ୍ନଟ ହୋଇପଡୁଛି କଷ୍ଟକର। କମିଶନରେଟ୍‌ ପୁଲିସର ରାତିକାଳୀନ କଡ଼ା ପ୍ୟାଟ୍ରୋଲିଂ ସତ୍ତ୍ବେ ଅକ୍ଲେଶରେ ଗୋଟିଏ ପରେ ଗୋଟିଏ ହତ୍ୟାକାଣ୍ଡ ଘଟାଇ ଚାଲିଛି ଏଇ ଷ୍ଟୋନ୍‌ମ୍ୟାନ୍‌। ଏଭଳି ହତ୍ୟା ପଛରେ କ’ଣ ତାହା ଉଦ୍ଦେଶ୍ୟ? ସେ ସୁଚିନ୍ତିତ ହତ୍ୟା ଘଟାଉଛି ନା ଏହା ତା’ର ଏକ ମାନସିକ ବିକୃତି। ଘଟଣା ଏମିତି ଲାଗୁଛି ସତେଯେମିତି ଏହା କେଉଁ ଭୟାନକ ଲୋମହର୍ଷଣକାରୀ ହଲିଉଡ ଫିଲ୍ମ ବା ସିରିଏଲଠାରୁ କମ୍‌ ନୁହେଁ। ରୌପ୍ୟନଗରୀରେ ଏଭଳି ଆତଙ୍କ ପୁଲିସ ଲାଗି କେବଳ ମୁଣ୍ଡବ୍ୟଥାର କାରଣ ପାଲଟିନି; ବରଂ ଷ୍ଟୋନ୍‌ମ୍ୟାନ୍‌କୁ ଧରିବା ଏକ ଆହ୍ବାନ ପାଲଟିଛି। ଏହି ଘଟଣାକୁ ନେଇ ସହରକୁ ବିଭିନ୍ନ କାମରେ ଆସୁଥିବା ଗରିବ ଦିନ ମଜୁରିଆ ଓ ନିରାଶ୍ରୟଙ୍କ ମଧ୍ୟରେ ଖେଳିଯାଇଛି କୋକୁଆ ଭୟ।
ରାତିରେ ଶୋଇଥିବା ଅବସ୍ଥାରେ ସମସ୍ତେ ହତ୍ୟାର ଶିକାର ହୋଇଛନ୍ତି। ମଙ୍ଗଳବାର ରାତିରେ ୨ଜଣ ଦିନ ମଜୁରିଆଙ୍କୁ ହତ୍ୟା କରାଯାଇଥିବାବେଳେ ବୁଧବାର ରାତିରେ ଆଉ ଜଣେ ନିରାଶ୍ରୟ ଯୁବକ ଷ୍ଟୋନ୍‌ମ୍ୟାନ୍‌ର ସହଜ ଶିକାର ହୋଇଛନ୍ତି। ସମାନ ଢଙ୍ଗରେ ଗୋଟିଏ ପରେ ଗୋଟିଏ ହତ୍ୟାକାଣ୍ଡ ଘଟିବା କମିସନରେଟ ପୁଲିସର ଚିନ୍ତା ବଢାଇଛି। ଅଭିଯୁକ୍ତକୁ ଧରିବାକୁ ପୁଲିସ ଅନୁସନ୍ଧାନ, ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଛି। ସାଇଣ୍ଟିଫିକ ଟିମ୍ ସହାୟତା ବି ନିଆଯାଇଛି। ଖୋଦ ପୁଲିସ କମିସନର କଟକରେ ପହଞ୍ଚି ସମସ୍ତ ହତ୍ୟାକାଣ୍ଡ ଅନୁଧ୍ୟାନ କରିଛନ୍ତି। ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିବା ପାଇଁ ପୁଲିସ ଏକ ସ୍ବତନ୍ତ୍ର ଦଳ ଗଠନ କରିଛି। ଏଥିସହିତ ନିରାଶ୍ରୟଙ୍କ ସୁରକ୍ଷା ସକାଶେ ପୁଲିସ ପଦକ୍ଷେପ ନେଇଛି। ସମସ୍ତ ଥାନା ଅଞ୍ଚଳରେ ରାତି ପାଟ୍ରୋଲିଂକୁ କଡାକଡି କରାଯାଇଛି। ସନ୍ଦେହଜନକ ଅବସ୍ଥାରେ ବିଳମ୍ବିତ ରାତିରେ ବୁଲୁଥିବା ଯୁବକଙ୍କ ଉପରେ ତୀକ୍ଷ୍ମଣନଜର ରଖିବାକୁ ପୁଲିସ କମିସନର ସମସ୍ତ ଥାନାକୁ ନିର୍ଦେଶ ଦେଇଛନ୍ତି।
କଟକର ଓଏମ୍‌ପି ପାର୍କ ନିକଟରୁ ବୁଧବାର ଜଣେ ଯୁବକଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଛି। ଯୁବକଙ୍କ ବେକ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତାଙ୍କ ବେକକୁ ଧାରୁଆ ଅସ୍ତ୍ରରେ କଟାଯିବା ସହିତ ମୁଣ୍ଡକୁ ପଥରରେ ଛେଚାଯାଇଛି। ମୃତ ଯୁବକ ଜଣେ ଦିନ ମଜୁରିଆ। ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ବଡ଼ ଡାକ୍ତରଖାନାକୁ ପଠାଇଛି। ଏହି ଯୁବକଙ୍କର ମୃତ୍ୟୁ ସହିତ ଗତକାଲି ରାଣୀହାଟ କେନାଲରୋଡ ଏବଂ ବଡ ମେଡିକାଲ ହୃଦ୍‌ରୋଗ ବିଭାଗ ସମ୍ମୁଖରେ ଘଟିଥିବା ଦୁଇ ଦୁଇଟି ହତ୍ୟାକାଣ୍ଡର ଅନେକ ସାମଞ୍ଜସ୍ୟ ରହିଛି। ମଙ୍ଗଳବାର ଯେପରି ନିରାଶ୍ରୟ ବୃଦ୍ଧଙ୍କ ବେକ କଟାଯିବା ସହିତ ମୁଣ୍ଡକୁ ପଥରରେ ଛେଚାଯାଇଥିଲା ବୁଧବାର ମଧ୍ୟ ମୃତ୍ୟୁର ଶିକାର ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚା ଯିବା ସହିତ ବେକକୁ ଏକ ଧାରୁଆ ଅସ୍ତ୍ରରେ କଟାଯାଇ ହତ୍ୟା କରାଯାଇଛି। ଗତକାଲି ହତ୍ୟା କରିଥିବା ଅଭିଯୁକ୍ତ ଆଜି ଘଟିଥିବା ଯୁବକଙ୍କ ହତ୍ୟାରେ ସମ୍ପୃକ୍ତ ଥିବା ପୁଲିସ ସନ୍ଦେହ କରୁଛି। ଏସ୍‌ସିବି ହୃଦରୋଗ ବିଭାଗ ସମ୍ମୁଖରେ ଜଣ ବୃଦ୍ଧଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଏସ୍‌ସିବିରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ ୩ ଜଣ ନିରାଶ୍ରୟ ଦିନ ମଜୁରିଆ। ଏମାନଙ୍କୁ କାହିଁକି ଓ କିଏ କେଉଁ ଉଦ୍ଦେଶ୍ୟରେ ହତ୍ୟା କରୁଛି ତା’ର ରହସ୍ୟ ଖୋଲିବା କମିସନରେଟ୍‌ ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ଏହା କୌଣସି ସାଇକୋ କିଲର କିମ୍ବା ଷ୍ଟୋନମ୍ୟାନର କାମ ବୋଲି ସନ୍ଦେହ କରାଯାଉଛି। ପୁଲିସ କମିସନର ଓ ଡିସିପି ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି। ନିରାଶ୍ରୟଙ୍କ ସୁରକ୍ଷାକୁ ନେଇ ତତ୍ପର ହୋଇଛି କମିସନରେଟ୍ ପୁଲିସ। ସହରରେ ଏବେ ରହିଛି ୬ଟି ରାତି ଆଶ୍ରୟସ୍ଥଳ। ଯେଉଁଠାରେ ସହରକୁ ଜରୁରୀ କାମରେ ଆସି ରାତିରେ ରହିବାକୁ ଚାହୁଁଥିବା ଗରିବ ଲୋକଙ୍କ ଲାଗି ଏହା ନିର୍ମାଣ କରାଯାଇଛି। ମାତ୍ର ସହରକୁ ଆସୁଥିବା ଲୋକଙ୍କ ସଂଖ୍ୟା ତୁଳନାରେ ଏହି ରାତି ଆଶ୍ରୟସ୍ଥଳ ପର୍ଯ୍ୟାପ୍ତ ନୁହେଁ। ତେଣୁ ନିରାଶ୍ରୟ ଲୋକଙ୍କ ସୁରକ୍ଷା ଓ ସହାୟତା ଲାଗି ସମସ୍ତ ପୂଜା କମିଟି ଗୃହକୁ ଅସ୍ଥାୟୀ ଆଶ୍ରୟ ଘର ନିମନ୍ତେ ବ୍ୟବହାର କରିବାକୁ ପୁଲିସ କମିସନର ସତ୍ୟଜିତ ମହାନ୍ତି କହିଛନ୍ତି। ତା’ସହ ସହରରେ ରାତି ବେଳେ ପୁଲିସ ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

 

 

kalyan agarbati

Comments are closed.