ବିଜେପିରେ ଯୋଗଦେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ପୁଅ ନୀରଜ ଶେଖର
ନୂଆଦିଲ୍ଲୀ : ପ୍ରଖ୍ୟାତ ସମାଜବାଦୀ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ପୁଅ ନୀରଜ ଶେଖର ସମାଜବାଦୀ ପାର୍ଟି (ଏସପି)ର ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବା ପରେ ମଙ୍ଗଳବାର ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେଇଛନ୍ତି। ବିଜେପି ସାଧାରଣ ସମ୍ପାଦକ ଭୂକେନ୍ଦ୍ର ଯାଦବ ତାଙ୍କୁ ଦଳର ସଦସ୍ୟତା ପ୍ରଦାନ କରିଛନ୍ତି । ଇସ୍ତଫା ଦେବା ପୂର୍ବରୁ ନୀରଜ ଶେଖର ସଂସଦ ଭବନ ପରିସରରେ ବିଜେପି ନେତା ତଥା କେନ୍ତ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହ ବୈଠକ କରିଥିଲେ। ନୀରଜ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମଧ୍ୟ ଭେଟିଥିଲେ। ସୋମବାର ସେ ଏସ୍ପିରୁ ଇସ୍ତଫା ଦେଇଥିଲେ।
ସୂଚନା ଅନୁସାରେ ନୀରଜ ଶେଖର ନିଜ ବାପାଙ୍କ ପାରମ୍ପରିକ ଆସନ ବଲିୟାରୁ ଲୋକସଭା ନିର୍ବାଚନ ପାଇଁ ଟିକେଟ ମାଗିଥିଲେ। କିନ୍ତୁ ଏସପି ତାଙ୍କୁ ଟିକେଟ ଦେବାକୁ ମନା କରିଦେଇଥିଲା। ଏହାକୁ ନେଇ ସେ ଅସନ୍ତୁଷ୍ଟ ଥିଲେ। ତେବେ ଏସପିରୁ ଇସ୍ତଫାର କାରଣ ସେ ବ୍ୟକ୍ତିଗତ ବୋଲି ଦର୍ଶାଇଛନ୍ତି। ରାଜ୍ୟସଭା ସଦସ୍ୟ ଭାବେ ତାଙ୍କ କାର୍ଯ୍ୟକାଳ ୨୦୨୦ ପର୍ଯ୍ୟନ୍ତ ଥିଲା। ନୀରଜ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁଙ୍କୁ ନିଜ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି।
Comments are closed.