ଗୋଆରେ କର୍ଣ୍ଣାଟକ ନାଟକ: ୧୫ରୁ ୧୦ କଂଗ୍ରେସ ବିଧାୟକ ବିଜେପିରେ ସାମିଲ

ପାଣାଜୀ : କର୍ଣ୍ଣାଟକର ରାଜନୈତିକ ନାଟକ ଗୋଆକୁ ଡେଇଁଛି। ଏଠାରେ ମଧ୍ୟ କଂଗ୍ରେସ ଭୁଶୁଡ଼ି ପଡ଼ିଛି। କଂଗ୍ରେସର ମୋଟ ୧୫ ମଧ୍ୟରୁ ୧୦ ବିଧାୟକ ବୁଧବାର ସନ୍ଧ୍ୟାରେ ଗୋଆ ବିଧାନସଭା ବାଚସ୍ପତିଙ୍କୁ ଭେଟିଛନ୍ତି। ବିଧାନସଭାରେ ବିରୋଧୀ ଦଳ ନେତା ଥିବା ଚନ୍ଦ୍ରକାନ୍ତ କାଭଲେକରଙ୍କ ନେତୃତ୍ବରେ ଏହି ବିଧାୟକମାନେ ବାଚସ୍ପତି ରାଜେଶ ପଟନେକରଙ୍କୁ ଭେଟି କଂଗ୍ରେସ ଛାଡ଼ିବା ସମ୍ପର୍କରେ ଲିଖିତ ଭାବେ ଜଣାଇଛନ୍ତି।

prayash

ସେମାନେ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ମିଶିବା ପାଇଁ ଆବେଦନ କରିଛନ୍ତି। ଏହା ଦ୍ବାରା ବିଧାନସଭାରେ ବିଜେପିକୁ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ମିଳିବାକୁ ଯାଉଛି। ବାଚସ୍ପତି ଏହି ମିଶ୍ରଣକୁ ଅନୁମୋଦନ କଲେ କଂଗ୍ରେସର ଆଉ ୫ ବିଧାୟକ ରହିବେ। ଅପରପକ୍ଷରେ ବିଜେପିର ଶକ୍ତି ୧୭ରୁ ୨୭କୁ ବୃଦ୍ଧି ପାଇବ। ଉପବାଚସ୍ପତି ମାଇକେଲ ଲୋବୋଙ୍କ ସୂଚନାନୁଯାୟୀ, ବାଚସ୍ପତି ସମସ୍ତଙ୍କ ଇସ୍ତଫାପତ୍ର ଗ୍ରହଣ କରିଛନ୍ତି। ଏହି ବିଧାୟକମାନେ ଖୁବ୍‌ ଶୀଘ୍ର ସ୍ବରାଷ୍ଟ୍ରମନ୍ତ୍ରୀ ତଥା ବିଜେପି ସଭାପତି ଅମିତ ଶାହାଙ୍କୁ ଭେଟି ବିଧିବଦ୍ଧ ଭାବେ ଦଳରେ ଯୋଗଦେବେ ବୋଲି ଲୋବୋ କହିଛନ୍ତି।
ଗୋଆ ବିଧାନସଭାର ମୋଟ ୪୦ ଆସନ ମଧ୍ୟରୁ ୩ଟିରେ ଜିଏଫ୍‌ପି, ଗୋଟିକରେ ଏମ୍‌ଜିପି, ଗୋଟିକରେ ଏନ୍‌ସିପି ଓ ଅନ୍ୟ ୨ଟିରେ ସ୍ବାଧୀନ ବିଧାୟକ ଅଛନ୍ତି। ଏକକାଳୀନ ୧୦ ବିଧାୟକ (ଦୁଇ-ତୃତୀୟାଂଶ) ଦଳ ପରିତ୍ୟାଗ କଲେ ସେମାନଙ୍କ କ୍ଷେତ୍ରରେ ଦଳବଦଳ ଆଇନ ଲାଗୁ ହେବ ନାହିଁ। ୨୦୦୪ ଦଳବଦଳ ନିରୋଧୀ ଆଇନାନୁଯାୟୀ, ଏହାକୁ ‘ଦଳରେ ବିଭାଜନ’ ପରିବର୍ତ୍ତେ ‘ମିଶ୍ରଣ’ ଆଖ୍ୟା ଦିଆଯିବ। ବିଧାନସଭା ପରିସରରେ ଏହି ବିଧାୟକମାନେ ବାଚସ୍ପତିଙ୍କୁ ଭେଟିବାବେଳେ ମୁଖ୍ୟମନ୍ତ୍ରୀ ଗୃହରେ ଉପସ୍ଥିତ ନ ଥିଲେ।

kalyan agarbati

Comments are closed.