ଜାତିସଙ୍ଘରେ ଦାଉଦର ମୁଖା ଖୋଲିଲା ଭାରତ
ଜାତିସଙ୍ଘ : ପାକିସ୍ତାନ ସରକାରଙ୍କ ବାହୁଚ୍ଛାୟା ତଳେ ଆଶ୍ରୟ ନେଇଥିବା କୁଖ୍ୟାତ ମାଫିଆ ଡନ୍ ତଥା ୧୯୯୩ ମୁମ୍ବଇ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଦାଉଦ୍ ଇବ୍ରାହିମ୍ର କଳା କାରନାମା ସମ୍ପର୍କରେ ଭାରତ ବୁଧବାର ଜାତିସଙ୍ଘରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଛି। ବିଶେଷ ଭାବେ ଦାଉଦ୍ର ଆତଙ୍କବାଦୀ କାର୍ଯ୍ୟକଳାପ ପ୍ରତି ଭାରତ ସଦସ୍ୟ ରାଷ୍ଟ୍ରଙ୍କ ଦୃଷ୍ଟି ଆକର୍ଷଣ କରିଛି। ଆତଙ୍କବାଦର ସ୍ବର୍ଗ ପାକିସ୍ତାନ ନିଜ େଦଶରେ ଦାଉଦ୍କୁ ରଖିଥିଲେ ମଧ୍ୟ ବାରମ୍ବାର ମନା କରୁଛି ବୋଲି ଭାରତ କହିଛି। ଜାତିସଙ୍ଘରେ ଅବସ୍ଥାପିତ ଭାରତର ସ୍ଥାୟୀ ଦୂତ ସୟଦ ଆକବରୁଦ୍ଦିନ ଏହି ଘଟଣାରେ ପାକିସ୍ତାନକୁ ଏକଘରିକିଆ କରିଦେଇଛନ୍ତି।
‘ଡି-କମ୍ପାନୀ’ ନାମରେ ଦାଉଦ୍ କିପରି ଭାରତୀୟ ଉପ-ମହାଦେଶରେ ଆତଙ୍କବାଦର ଜାଲ ବିଛାଇଛି ଓ ଅନୈତିକ ଆର୍ଥିକ କାରବାର ଚଳାଇଛି ତାହା ଆକବରୁଦ୍ଦିନ ଜାତିସଙ୍ଘରେ ବର୍ଣ୍ଣନା କରିଛନ୍ତି। ସୁନା ମାରଣାସ୍ତ୍ର ଓ ନିଶା ଔଷଧର ଚୋରା କାରବାର ମାଧ୍ୟମରେ ଦାଉଦ୍ ସମଗ୍ର ବିଶ୍ବ ପ୍ରତି ଆତଙ୍କ ସୃଷ୍ଟି କରୁଛି। ପାକିସ୍ତାନରେ ରହି ସେ ନିର୍ଭୟରେ ଏ ସବୁ ଚଳାଇଛି। ଅଲ୍-କାଏଦା, ଲସ୍କର-ଇ-ତଏବା, ଜୈସ୍-ଇ-ମହମ୍ମଦ ଭଳି ଆତଙ୍କବାଦୀ ସଂଗଠନ ସହିତ ଦାଉଦ୍ର ଘନିଷ୍ଠ ସମ୍ପର୍କ ରହିଛି ଏବଂ ସେ ଏହି ସଂଗଠନଗୁଡ଼ିକୁ ପ୍ରୋତ୍ସାହନ ଦେଉଛି। ଡି-କମ୍ପାନୀ ଏହି ଆତଙ୍କବାଦୀ ସଂଗଠନ ସହିତ ତୁଳନୀୟ। ନିଜର କାର୍ଯ୍ୟକଳାପ ନେଇ ଏହା ଇସ୍ଲାମିକ ଷ୍ଟେଟ୍ (ଆଇଏସ୍) ସହିତ ମଧ୍ୟ ତୁଳନୀୟ ବୋଲି ଆକବରୁଦ୍ଦିନ କହିଛନ୍ତି। ଭାରତ ଓ ଆମେରିକା ଦାଉଦ୍କୁ ଆନ୍ତର୍ଜାତିକ ଅରତଙ୍କବାଦୀ ଭାବେ ଘୋଷଣା କରିଛନ୍ତି। ତାକୁ ଧରିବା ପାଇଁ ଆମେରିକା ୨୫ ନିୟୁତ ଡଲାର ପୁରସ୍କାର ଘୋଷଣା କରିଛି। ନିକଟରେ ଆମେରିକାର ରାଷ୍ଟ୍ରୀୟ ତଦନ୍ତକାରୀ ସଂସ୍ଥା ଏଫ୍ବିଆଇ ଦାଉଦ୍ର ଘନିଷ୍ଠ ସହଯୋଗୀ ଜାବିର ମୋତିୱାଲାକୁ ପ୍ରତ୍ୟର୍ପଣ ମାମଲାରେ ଏହି କୁଖ୍ୟାତ ଡନ୍ କରାଚୀରେ ଅବସ୍ଥାନ କରୁଥିବାର ପ୍ରମାଣ ଲଣ୍ଡନ ଅଦାଲତରେ ଉପସ୍ଥାପନ କରିଥିଲା। ଏହା ସତ୍ତ୍ବେ ପାକିସ୍ତାନ ସରକାର ଏହାକୁ ଫାଙ୍କି ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ଜାତିସଙ୍ଘ ଦାଉଦ୍ ଓ ଡି-କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ବୋଲି ଆକବରୁଦ୍ଦିନ ଦାବି କରିଛନ୍ତି।
Comments are closed.