ସାମିଙ୍କ ବିରୋଧରେ ହସିନ୍‍ଙ୍କ ବୟସ ଜାଲିଆତି ଅଭିଯୋଗ

0

କଲକାତା : ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି ଓ ପତ୍ନୀ ହସିନ୍‍ ଜାହାଁଙ୍କ ମଧ୍ୟରେ ଦେଖା ଦେଇଥିବା ବିବାଦ ଥମିବାର ନାଁ ଧରୁନାହିଁ। ସାମିଙ୍କ ବିରୋଧରେ ଘରୋଇ ହିଂସା, ପରନାରୀ ସହ ସଂପର୍କ ଓ ମ୍ୟାଚ୍‍ ଫିକ୍ସିଂ ଅଭିଯୋଗ ଆଣିଥିଲେ ହସିନ୍‍ ଜାହାଁ । ସାମିଙ୍କ ବିରୋଧରେ ହସିନ୍‍ ପୁଲିସରେ ଅଭିଯୋଗ କରିବା ପରେ ପୁଲିସ ମାମଲାର ତଦନ୍ତ ଜାରି ରଖିଛି। ଇତିମଧ୍ୟରେ ସାମିଙ୍କ ବିରୋଧରେ ନୂଆ ଅଭିଯୋଗ ଆଣିଛନ୍ତି ହସିନ୍‍। ବୟସ ଜାଲିଆତି କରି ସାମି ଭାରତ ଓ ରାଜ୍ୟ ତରଫରୁ କ୍ରିକେଟ୍‍ରେ ପ୍ରତିନିଧିତ୍ୱ କରିଥିଲେ ବୋଲି ହସିନ୍‍ ଦାବି କରିଛନ୍ତି।

ଶନିବାର ହସିନ୍‍ ନିଜ ଫେସ୍‍ବୁକ ଆକାଉଣ୍ଟରେ ସାମିଙ୍କ ଡ୍ରାଇଭିଂ ଲାଇସେନ୍‍ସ ଚିତ୍ର ଛାଡ଼ିଥିଲେ। ଏଥିରେ ସାମିଙ୍କ ଜନ୍ମ ୧୯୮୨ରେ ହୋଇଥିବା ଦର୍ଶାଯାଇଥିଲା। ଅନ୍ୟପକ୍ଷରେ ସାମିଙ୍କ ଜନ୍ମ ୧୯୯୦ରେ ହୋଇଥିବା ବିସିସିଆଇ ରେକର୍ଡରୁ ଜଣାପଡ଼ିଛି। ନିଜ ଫେସବୁକ୍‍ ଆକାଉଣ୍ଟରେ ହସିନ୍‍ ଦର୍ଶାଇଥିଲେ ସାମି ବିସିସିଆଇ ଓ ବେଙ୍ଗଲ୍‍ କ୍ରିକେଟ୍‍ ଆସୋସିଏସନ୍‍କୁ ବୋକା ବନାଇ ଜାଲ ବୟସ ପ୍ରମାଣପତ୍ର ଦେଇ କ୍ରିକେଟ୍‍ ଖେଳି ଆସୁଛନ୍ତି। ସାମିଙ୍କ ଏପରି କାର୍ଯ୍ୟକାଳପ ଯୋଗୁଁ ଅନ୍ୟ ଜଣେ ପ୍ରତିଭାବାନ୍‍ ଖେଳାଳି ଦେଶ ଓ ରାଜ୍ୟକୁ ପ୍ରତିନିଧିତ୍ୱ କରିବାରୁ ବଞ୍ଚିତ ହୋଇଥିବା ହସିନ୍‍ ମତ ଦେଇଛନ୍ତି। ତେବେ କିଛିସମୟ ପରେ ହସିନ୍‍ ଏହି ଫେସବୁକ୍‍ ପୋଷ୍ଟକୁ ହଟାଇ ଦେଇଥିବା ଜଣାପଡ଼ିଛି।

Leave A Reply