ଜଳୁଛି ଟିଟିଲାଗଡ଼, ପୁଣି ୪୫.୫ଡିଗ୍ରୀ ଛୁଇଁଲା ତାପମାତ୍ରା

ଟିଟିଲାଗଡ଼ : ବଲାଙ୍ଗୀର ଜିଲା ଟିଟିଲାଗଡ ଅଞ୍ଚଳରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ପ୍ରବଳରୁ ଅତିପ୍ରବଳ ହେବାରେ ଲାଗିଛି। ଚଳିତ ମାସ ୧୦ ତାରିଖରେ ତାପମାତ୍ରା ଚଳିତ ବର୍ଷର ସର୍ବାଧିକ ୪୫.୫ ଡିଗ୍ରୀକୁ ଛୁଇଁଥିବା ବେଳେ ଶୁକ୍ରବାର ପାରଦ ପୁଣି ଥରେ ୪୫.୫ରେ ପହଞ୍ଚିଛି। ଗତ ମାର୍ଚ୍ଚ ମାସରୁ କ୍ରମାଗତ ଭାବରେ ଅଗ୍ନି ବର୍ଷା ଲୋକଙ୍କ ପାଇଁ ଅସହ୍ୟ ହୋଇପଡ଼ିଛି। ସୂର୍ଯ୍ୟ ଉଦୟ ହେବା ପରଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ରୌଦ୍ରତାପ ଜାରି ରହିବା ସହ ମଧ୍ୟ ରାତ୍ର ପର୍ଯ୍ୟନ୍ତ ଝାଞ୍ଜି ପବନ ଜନଜୀବନକୁ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ କରିପକାଇଛି।

prayash

ଗତ କିଛି ଦିନର ତାପମାତ୍ରାକୁ ଦେଖିଲେ- ୪ତାରିଖରେ ୪୨ଡିଗ୍ରୀ, ୫ରେ ୪୧.୫ଡିଗ୍ରୀ, ୬ରେ ୪୨ଡିଗ୍ରୀ, ୭ରେ ୪୪.୫ଡିଗ୍ରୀ, ୮ରେ ୪୫ଡିଗ୍ରୀ, ୯ ଏବଂ ୧୦ରେ ୪୫.୫ଡିଗ୍ରୀ, ୧୧ରେ ୪୪.୬ଡିଗ୍ରୀ, ୧୨ରେ ୪୩.୫ଡିଗ୍ରୀ, ୧୩ରେ ୪୪ଡିଗ୍ରୀ, ୧୪ରେ ୪୨.୫ଡିଗ୍ରୀ,୧୫ରେ ୪୧ଡିଗ୍ରୀ, ୧୬ରେ ୪୩.୫ଡିଗ୍ରୀ ତଥା ଆଜି ପୁଣି ୪୫.୫ ଡିଗ୍ରୀକୁ ଛୁଇଁଛି। ୧୮ରୁ ତାତି ଆହୁରି ବଢିବା ସମ୍ଭାବନା ରହିଥିବା ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଛି। ଏପରିକି ଚଳିତ ବର୍ଷ ସ୍ଥଳ ବିଶେଷରେ ତାତି ୪୯କୁ ଛୁଇଁପାରେ ବୋଲି ପାଣିପାଗ ବିଭାଗର ଆକଳନ ନେଇ ସାଧାରଣରେ କୋକୁଆ ଭୟ ସୃଷ୍ଟି କରିଛି। ଅନ୍ୟପଟରେ ସହରଠାରୁ ଆରମ୍ଭ କରି ଗ୍ରାମାଞ୍ଚଳର ସାଧାରଣ ଜନତା ପାନୀୟ ଜଳ ପାଇଁ ହାହାକାର ହୋଇପଡିଛନ୍ତି। ଲୋକେ ପ୍ରବଳ ତାତିରୁ ରକ୍ଷା ପାଇଁ ଓଦା ଗାମୁଛା ମୁଣ୍ଡରେ ଦେଇ ଗଛ ତଳେ ଆଶ୍ରୟ ନେଉଛନ୍ତି। ଶିଶୁ ତଥା ବୃଦ୍ଧ, ବୃଦ୍ଧାଙ୍କ ଅବସ୍ଥା ଆହୁରି ସାଂଘାତିକ ହୋଇପଡିଛି। ଶ୍ରମିକ ବର୍ଗ ନିଆଁ ବର୍ଷାରେ ଘରୁ ବାହାରିବା କଷ୍ଟକର ହୋଇପଡିଥିବା ନେଇ କର୍ମହରା ହୋଇପଡିଥିବା ଅଭିଯୋଗ ହୋଇଛି। ଜଳସେଚନ ବିହିନ ଟିଟିଲାଗଡ ଅଞ୍ଚଳରେ ମାଇଲ-ମାଇଲ ବ୍ୟାପୀ ଶୁଷ୍କ ଚାଷ ଜମି, ଅସଂଖ୍ୟ ଲଣ୍ଡା ପାହାଡ, ଉଜୁଡା ଜଙ୍ଗଲ, ଶୁଷ୍କ ପୋଖରି, ସହରର ଅର୍ଦ୍ଧାଧିକ ଅଂଶକୁ ବିସ୍ତାର କରିଥିବା ରେଲବାଇ ଜଙ୍କସନ, ଗାଁଗଣ୍ଡା ଠାରୁ ଆରମ୍ଭ କରି ସହରର ରାସ୍ତାଘାଟର କଂକ୍ରିଟକରଣ ଭଳି ଅନେକ ବାସ୍ତବତା ଖରା ତାତିକୁ ଆହୁରି ପ୍ରଖର କରିବାରେ ସହାୟକ ହୋଇଛି। ସହରୀକରଣ ଏଭଳି ଭାବରେ ବୃଦ୍ଧି ହୋଇଚାଲିଛି ଯେ ସହର ଉପକଣ୍ଠରେ ଥିବା ଐତିହାସିକ ଲଣ୍ଡା କୁମୁଡା ପାହାଡ ମଧ୍ୟ ବର୍ତ୍ତି ନାହିଁ। କୁମୁଡା ପାହାଡ ଚାରିକ କଡରେ ମାଟି ପକାଇ ନୁତନ ଜଙ୍ଗଲ ସୃଷ୍ଟି ପାଇଁ ପ୍ରୟାସ ଆରମ୍ଭ କରାଯାଉଥିବା ବେଳେ ପାହାଡ଼ ଉପରେ ଗୋଦାମ ଘର, ଆବାସ ଗଢି ଉଠିବାରେ ଲାଗିଛି। ଅପରପକ୍ଷରେ ରାଜ୍ୟରେ ଚଳିତ ବର୍ଷ ଅନେକ ଥର ସର୍ବାଧିକ ତାପମାତ୍ରା ରେକର୍ଡ କରି ସାଧାରଣ ଜୀବନକୁ ବିପର୍ଯ୍ୟସ୍ତ କରିରଖିଥିବା ଏହି ପ୍ରାକୃତିକ ବିପର୍ଯ୍ୟୟ ପ୍ରତି ସରକାରିସ୍ତରରେ କ୍ରମାଗତ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି। ସରକାର ଏଭଳି ଦୁର୍ବିପାକ ନେଇ ହେୟ ମନୋଭାବ ଜାରି ରଖିଲେ ଆଗାମୀ ଦିନରେ ଟିଟିଲାଗଡ ଅଞ୍ଚଳ କାଠିକୁଟା ଶୁନ୍ୟ ହୋଇ ଜନଜୀବନ ତିଷ୍ଠି ରହିବା ମୁସ୍କିଲ ହୋଇପଡିବ ବୋଲି ବୁଦ୍ଧିଜୀବୀ ମହଳରେ ଉଦବେଗ ପ୍ରକାଶ ପାଇଛି।

kalyan agarbati

Comments are closed.