ଜୟଲଲିତା ମୃତ୍ୟୁ ମାମଲାର ତଦନ୍ତ ଉପରେ ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ

ନୂଆଦିଲ୍ଲୀ,୨୬ା୪: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜେ. ଜୟଲଳିତାଙ୍କ ମୃତ୍ୟୁ ମାମଲାର ତଦନ୍ତ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ସ୍ଥଗିତାଦେଶ ଲାଗୁ କରିଛନ୍ତି। ଜୟଳଳିତାଙ୍କ ଚିକିତ୍ସା କରିଥିବା ଆପୋଲ ହସ୍ପିଟାଲ ପକ୍ଷରୁ ହୋଇଥିବା ଅାବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ତଦନ୍ତ ସକାଶେ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଅରୁମୁଗାସ୍ବାମୀଙ୍କ ନେତୃତ୍ବରେ ଏକ ତଦନ୍ତ କମିସନ ଗଠନ କରାଯାଇଥିଲା। ମାତ୍ର କମିସନ ଏହାର କ୍ଷେତ୍ରାଧିକାର ବାହାରକୁ ଯାଇ ଜୟଲଳିତାଙ୍କୁ ଦିଆଯାଇଥିବା ଚିକିତ୍ସା ସମ୍ବନ୍ଧରେ ଯାଞ୍ଚ କରୁଛନ୍ତି ବୋଲି ହସ୍ପିଟାଲ ପକ୍ଷରୁ ଅଭିଯୋଗ କରାଯାଇଛି। ଏ ନେଇ ହସ୍ପିଟାଲ ପକ୍ଷରୁ ଗତମାସରେ ଅଦାଲତରେ ଏକ ଆବେଦନ କରାଯାଇଥିଲା। ଏପରିକି ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍.ଜି. ରାମଚନ୍ଦ୍ରନଙ୍କ ମୃତ୍ୟୁ ସମ୍ବନ୍ଧରେ ମଧ୍ୟ କମିସନ ଯୁକ୍ତି କରୁଥିବା ହସ୍ପିଟାଲ ପକ୍ଷରୁ ଦର୍ଶାଯାଇଥିଲା। ଜାନୁଆରୀରେ ହସ୍ପିଟାଲ ପକ୍ଷରୁ ହାଇକୋର୍ଟରେ ଏକ ପୃଥକ ଆବେଦନ (ରିଟ ପିଟିସନ) କରାଯାଇଥିଲା। ସରକାର ଅଥବା ଆପୋଲ ହସ୍ପିଟାଲ ସହିତ ସମ୍ପୃକ୍ତ ନ ଥିବା ବିଶେଷଜ୍ଞ ଡାକ୍ତରମାନଙ୍କୁ ନେଇ ଏକ ସ୍ବାଧୀନ ମେଡିକାଲ ବୋର୍ଡ ଗଠନ କରିବା ଲାଗି ଏଥିରେ ନିବେଦନ କରାଯାଇଥିଲା। ଏହି ବୋର୍ଡ କେବଳ ଅଦାଲତଙ୍କ ନିକଟରେ ଉତ୍ତରଦାୟୀ ରହିବେ ବୋଲି ଉକ୍ତ ରିଟ୍‌ ପିଟିସନରେ ଦର୍ଶାଯାଇଥିଲା; କିନ୍ତୁ କମିସନ ଉକ୍ତ ରିଟ୍‌ ପିଟିସନକୁ ବିରୋଧ କରିଥିଲା।
ଉଲ୍ଲେଖ ଯେ ରାଜ୍ୟ ସ୍ବାସ୍ଥ୍ୟ ସଚିବ ଜେ. ରାଧାକ୍ରିଷ୍ଣନ ଆପୋଲ ହସ୍ପିଟାଲ ସହିତ ଷଡ଼ଯନ୍ତ୍ର କରି ଜୟଲଲିତାଙ୍କୁ ଅନୁଚିତ ଚିକିତ୍ସା କରିଥିବା ନେଇ ପୂର୍ବରୁ ଅରୁମୁଗାସ୍ବାମୀ କମିସନ ଅଭିଯୋଗ ଦର୍ଶାଇଥିଲା। କିନ୍ତୁ ଉଭୟ ହସ୍ପିଟାଲ ଓ ସମ୍ପୃକ୍ତ ଅଧିକାରୀ ଏହାକୁ ଅସ୍ବୀକାର କରିଥିଲେ। ଆପୋଲ ହସ୍ପିଟାଲରେ ଅଢେଇ ମାସର ଚିକିତ୍ସା ପରେ ୨୦୧୬ ଡିସେମ୍ବରରେ ଜୟଲଲିତାଙ୍କର ମୃତ୍ୟୁ ଘଟିଥିଲା।

Comments are closed.