ବାଂଲାଦେଶ: ଶିକ୍ଷକଙ୍କ ନିର୍ଦେଶରେ ଛାତ୍ରୀଙ୍କୁ ଜାଳିଦେଲେ

ଢାକା : ବାଂଲାଦେଶରେ ଏକ ସ୍କୁଲର ପ୍ରଧାନଶିକ୍ଷକଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ କରିଥିବା ସ୍କୁଲର ଜଣେ ଛାତ୍ରୀଙ୍କୁ ଶିକ୍ଷକଙ୍କ ନିର୍ଦେଶରେ ଜୀବନ୍ତ ଜାଳି ଦିଆଯାଇଛି। ବାଂଲାଦେଶୀ ପୁଲିସ୍‍ ଶୁକ୍ରବାର ଏହି ମାମଲାରୁ ପରଦା ହଟାଇଛି। ଏହି ମାମଲାରେ ପୁଲିସ୍‍ ମୃତାର ସହପାଠୀଙ୍କ ମଧ୍ୟରୁ ୩ ଜଣଙ୍କୁ ଅଟକ ରଖିଛି ଓ ଅନ୍ୟ ଜଣଙ୍କୁ ଗିରଫ କରିଛି।
ସୂଚନା ଅନୁସାରେ ୧୯ ବର୍ଷିୟା ନୁସରତ ଜାହାନ ରାଫି ନାମକ ଜଣେ ଛାତ୍ରୀଙ୍କୁ ତା ସ୍କୁଲର ପ୍ରଧାନଶିକ୍ଷକ ବଳାତ୍କାର କରିଥିଲେ। ଏହାକୁ ନେଇ ନୁସରତ ଥାନାରେ ଅଭିଯୋଗ କରିଥିଲା। ନୁସରତ ଏକ ଇସଲାମିକ ଆଲୋଚନାଚକ୍ରରେ ଭାଗ ନେବାକୁ ଯାଇଥିବାବେଳେ ସମ୍ମିଳନୀ କକ୍ଷର ଛାତକୁ ଡାକି ତାର କେତେକ ସହପାଠୀ ଓ ଅନ୍ୟ କେତେକ ବ୍ୟକ୍ତି ପୁଲିସ୍‍ ଅଭିଯୋଗ ପ୍ରତ୍ୟାହାର କରିବାକୁ ଚାପ ପକାଇଥିଲେ। ନୁସରତ ଅଭିଯୋଗ ପ୍ରତ୍ୟାହାର କରିବାକୁ ମନା କରିବା ପରେ ସେମାନେ ତାକୁ କିରୋସିନ ଢାଳି ଜାଳିଦେଇଥିଲେ। ଏହାକୁ ନେଇ ବାଂଲାଦେଶର ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଆନ୍ଦୋଳନ ତୀବ୍ର ହୋଇଥିଲା। ଫଲରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି ଅଭିଯୁକ୍ତଙ୍କୁ ଧରିବାକୁ ନିର୍ଦେଶ ଦେଇଥିଲେ। ଏହି କ୍ରମରେ ୧୭ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କୁ ପୁଲିସ୍‍ ଗିରଫ କରିଛି। ମୃତାଙ୍କ ସହପାଠୀଙ୍କୁ ପୁଲିସ୍‍ ଅଟକ ରଖି ପଚରା ଉଚୁରା କରୁଛି। ଅଭିଯୁକ୍ତ ପ୍ରଧାନଶିକ୍ଷକ ଫେରାର ଅଛନ୍ତି।

Comments are closed.