ଭୁଷୁଡିଲା ଆଖଣ୍ଡଳମଣିର ୧୩ବଖରା ଦୋକାନ, ୨ମାସ ତଳେ ହୋଇଥିଲା ଉଦଘାଟନ
ଆରଡି: ରାଜ୍ୟର ପୁରାତ୍ତନ ଶୈବପୀଠ ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ଶିବଗଙ୍ଗା ପୁଷ୍କରିଣୀ କୂଳରେ ନବ ନିର୍ମିତ ୧୩ଟି ଦୋକନ ଗୃହ ଗୁରୁବାର ପୁଷ୍କରିଣୀ ମଧ୍ୟକୁ ଭୁଷୁଡି ପଡିଛି । ଏହି ଦୋକାନ ଗୃହ ମାତ୍ର ୨ମାସ ତଳେ ଅର୍ଥାତ ଜାନୁଆରୀ ମାସ ୧୦ରେ ମହିଳା ଶିଶୁବିକାଶ ମନ୍ତ୍ରୀ ପ୍ରଫୁଲ ସାମଲଙ୍କ ଦ୍ବାରା ଉଦଘାଟିତ ହୋଇଥିଲା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳ ସମେତ ଆଗନ୍ତୁକ ଭକ୍ତମାନଙ୍କ ମହଲରେ କାର୍ଯ୍ୟକୁ ନେଇ ନାନା ପ୍ରଶ୍ନ ଉଙ୍କି ମାରିବା ସହ ମଣିବାବାଙ୍କ ପୀଠରେ କିପରି ବିକାଶ ମୂଳକ କାର୍ଯ୍ୟ ହେଉଛି ତାହା ସମସ୍ତଙ୍କୁ ସ୍ତମ୍ବି ଭୁତ କରିଦେଇଛି ।
ସୂଚନା ଅନୁଯାୟୀ ମନ୍ଦିର ଓ ପୀଠର ସମ୍ପ୍ରସାରଣ ପାଇଁ ମନ୍ଦିର ଭିତର ଓ ବାହାରେ ଥିବା ଦୋକନ ଗୃହ ଗୁଡିକ ସ୍ଥାନାନ୍ତର କରାଯାଇଥିଲା। ତତକାଳିନ ବିଧାୟକ ବିଜୟ ନାୟକଙ୍କ ନେତୃତ୍ୱରେ ନାଲୋକ ପକ୍ଷରୁ ପ୍ରାୟ ୧୬ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯିବା ସହ ୧୩ଟି ଦୋକାନ ଗୃହ ନିର୍ମାଣ ପାଇଁ ମଣିବାବାଙ୍କ ଶିବଗଙ୍ଗା ପୁଷ୍କରିଣୀ କୂଳରେ କାର୍ଯ୍ୟ ଶେଷ ହୋଇଥିଲେ । ଗତ ୨ମାସ ତଳେ ଅର୍ଥାତ ଜାନୁଆରୀ ମାସ ୧୦ରେ ମହିଳା ଶିଶୁବିକାଶ ମନ୍ତ୍ରୀ ପ୍ରଫୁଲ ସାମଲ, ସ୍ଥାନୀୟ ବିଧାୟକ ବ୍ୟୋମକେଶ ରାୟ, ଜିଲା ପରିଷଦ ଅଧ୍ୟକ୍ଷ ଦିଜବର ରାଉତଙ୍କ ସହ ଜିଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ପକ୍ଷରୁ ଉଦଘାଟନ କରାଯାଇଥିଲା । ମାତ୍ର ଅତି ନିମ୍ନମାନର ନିର୍ମାଣ କାର୍ଯ୍ୟ ହୋଇଥିବାରୁ ତାହା ଏବେ ଭୁଷୁଡି ପଡୁଛି ସାଧାରଣରେ ଆଲୋଚନା ହୋଉଛି।
ଏ ସର୍ମ୍ପକରେ ଚାନ୍ଦବାଲି ବିଡିଓ ମନୋଜ ପାତ୍ରଙ୍କୁ ପଚାରିବାରୁ କାର୍ଯ୍ୟ ଠିକ ଭାବରେ କରାଯିବା ସହ ଦୋକାନ ଗୃହ ଗୁଡିକୁ ସମ୍ପୁର୍ଣ୍ଣ କରାଯାଇ ଉଦଘାଟନ ମଧ୍ୟ ସରିଥିଲା । ଡ୍ରେନେଜ ବିଭାଗ ପକ୍ଷରୁ ପୁଷ୍କରିଣୀ ଶୁଖାଯାଇ ଭାଇର୍ବେଟର ମେସିନ ଦ୍ୱାରା ପଙ୍କ ଉଦ୍ଧାର କାର୍ଯ୍ୟ ଚାଲୁଥିବାରୁ ଉକ୍ତ କୋଠା ଭୁଷୁଡି ପଡିଛି । ଏପରି ଘଟଣାର ତଦନ୍ତ ପିଡି କରିବେ ବୋଲି ଶ୍ରୀ ପାତ୍ର ପ୍ରକାଶ କରିଛନ୍ତି ।