ଓଡ଼ିଶା ବିଧାନସଭା ନିର୍ବାଚନ ; ୪୯ଜଣ କୋଟିପତି, ୩୫ଜଣଙ୍କ ନାମରେ ଗୁରୁତର ଅପରାଧିକ ମାମଲା
ଭୁବନେଶ୍ୱର : ପ୍ରଥମ ପ୍ରର୍ଯ୍ୟାୟ ନିର୍ବାଚନ ପାଇଁ ଆଉ ୪ଦିନ ରହିଥିବା ବେଳେ ସମସ୍ତ ପାର୍ଥୀମାନେ ନିଜର ପ୍ରଚାର ଜୋରଦାର ଚଳାଇଛନ୍ତି। ଚଳିତ ବର୍ଷ ସାଧାରଣ ନିର୍ବାଚନରେ ଓଡ଼ିଶାର ୪ଟି ଲୋକସଭା କ୍ଷେତ୍ର ପାଇଁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ୧୧ ତାରିଖରେ ଅନୁଷ୍ଠିତ ହେବ। ଓଡ଼ିଶାର ନବରଙ୍ଗପୁର, କଳାହାଣ୍ଡି, କୋରାପୁଟ ଓ ବ୍ରହ୍ମପୁର ଲୋକସଭା କ୍ଷେତ୍ରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ। ଏହି ୪ଟି ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୨୮ ବିଧାନସଭା ଆସନରେ ମଧ୍ୟ ସେହିଦିନ ମତଦାନ ହେବ। ଏହି ୨୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ମୋଟ ୧୯୧ଜଣ ପ୍ରାର୍ଥୀ ନିର୍ବାଚନ ମୈଦାନରେ ଅଛନ୍ତି। ସେମାନଙ୍କ ମଧ୍ୟରୁ ୩୫ ଜଣ ପ୍ରାର୍ଥୀଙ୍କ ନାମରେ ଗୁରୁତର ଅପରାଧିକ ମାମଲା ରହିଛି।
ଓଡ଼ିଶା ଇଲେକସନ ୱାଚ ତରଫରୁ ଆସୋସିଏସନ ଫର ଡେମୋକ୍ରେଟିକ ରିଫର୍ମ (ଏଡିଆର) ପକ୍ଷରୁ ଏହି ସମସ୍ତ ପ୍ରାର୍ଥୀ ମାନଙ୍କ ଅପରାଧ, ସମ୍ପତ୍ତି, ଶିକ୍ଷା, ବୟସ ଆଦି ବିଭିନ୍ନ ଦିଗର ଅନୁଧ୍ୟାନ କରାଯାଇଛି। ୧୯୧ ଜଣ ପ୍ରାର୍ଥୀ ମାନଙ୍କ ମଧ୍ୟରୁ ୧୮୯ ପ୍ରାର୍ଥୀଙ୍କ ସତ୍ୟପାଠ ଆଧାରରେ ଏହି ତଥ୍ୟ ପ୍ରକାଶ କରାଯାଇଛି। ଦୁଇ ଜଣ ପ୍ରାର୍ଥୀଙ୍କ ସତ୍ୟପାଠ ନମିଳିବାରୁ ଏମାନଙ୍କ ବିଷୟରେ ତର୍ଜମା କରାଯାଇପାରିନାହିଁ।
ଅପରାଧ – ୧୮୯ଜଣ ପ୍ରାର୍ଥୀ ମାନଙ୍କ ମଧ୍ୟରୁ ୩୫ ଜଣ ପ୍ରାର୍ଥୀଙ୍କ ନାମରେ ଗୁରୁତର ଅପରାଧିକ ମାମଲା ରହିଛି । ଏହାବ୍ୟତୀତ ୫୫ଜଣ ପ୍ରାର୍ଥୀଙ୍କ ନାମରେ ଅପରାଧିକ ମାମଲା ରହିଛି । ଦଳଗତ ଭିତ୍ତିରେ ଅପରାଧିକ ମାମାଲା କ୍ଷେତ୍ରରେ ବିଜେପି ଆଗରେ ରହିଛି । ବିଜେପିର ୨୮ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୧ଜଣଙ୍କ ନାମରେ ଅପରାଧିକ ମାମଲା ରହିଛି । ସେହିପରି କଂଗ୍ରେସ ଦ୍ୱିତୀୟ ସ୍ଥାନରେ ରହିଛି। କଂଗ୍ରେସର ୨୮ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୬ଜଣଙ୍କ ନାମରେ ଅପରାଧିକ ମାମଲା ରହିଛି। ବିଜଡିର ୨୮ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୯ପ୍ରାର୍ଥୀଙ୍କ ନାମରେ ଅପରାଧିକ ମାମଲା ରହିଛି। ବିଏସପିର ୨ଜଣଙ୍କ ନାମରେ ଅପରାଧିକ ମାମଲା ରହିଛି।
ସମ୍ପତ୍ତି – ସେହିପରି ସମ୍ପତ୍ତି ତାଲିକା ଦେଖିବାକୁ ଗଲେ ୭ଜଣ ପ୍ରାର୍ଥୀଙ୍କ ୫କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ରହିଥିବା ବେଳେ ୨-୫କୋଟି ମଧ୍ୟରେ ୨୧ ଜଣ ପ୍ରାର୍ଥୀ, ୫୦ଲକ୍ଷରୁ ୨କୋଟି ମଧ୍ୟରେ ୩୮ ଜଣ ପ୍ରାର୍ଥୀ, ୧୦-୫୦ଲକ୍ଷରୁ ମଧ୍ୟରେ ୫୨ ଜଣ ପ୍ରାର୍ଥୀ ଏବଂ ୧୦ଲକ୍ଷରୁ କମ ଟଙ୍କା ଥିବା ପ୍ରାର୍ଥୀଙ୍କ ମଧ୍ୟରେ ୭୧ ଜଣ ପ୍ରାର୍ଥୀ ରହିଛନ୍ତି। ସମସ୍ତ ବିଧାନସଭା ପ୍ରାର୍ଥୀ ମାନଙ୍କ ମଧ୍ୟରୁ ଧର୍ମଗଡ ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଅନନ୍ତ ପ୍ରତାପ ଦେଓଙ୍କର ଅଧିକ ସମ୍ପତ୍ତି ରହିଛି। ତାଙ୍କର ସମସ୍ତ ଅସ୍ଥାବର ଓ ସ୍ଥାବର ସମ୍ପତ୍ତିର ମୂଲ୍ୟ ପାଖାପାଖି ୨୭ କୋଟିରୁ ଊର୍ଦ୍ଧ୍ବ ରହିଛି। ଦ୍ୱିତୀୟରେ କଂଗ୍ରେସର ଲିଙ୍ଗରାଜ ଚୌଧୁରୀ ରହିଥିବାବେଳେ ତୃତୀୟରେ ବିଜେଡିର ସୂର୍ଯ୍ୟନାରାୟଣ ପାତ୍ର ରହିଛନ୍ତି।
ସେହିପରି ଦଳଗତ ଭିତ୍ତିରେ ସମ୍ପତ୍ତି ଦେଖିବାକୁ ଗଲେ ବିଜେପିର ୧୧ଜଣ, କଂଗ୍ରେସର ୧୪ଜଣ, ବିଜେଡିର ୧୭ ଓ ବିଏସପିର ୨ଜଣ ପ୍ରାର୍ଥୀଙ୍କର ୧କୋଟିରୁ ଊର୍ଦ୍ଧ୍ବ ରହିଛି। ସମସ୍ତ ପ୍ରାର୍ଥୀ ମାନଙ୍କ ମଧ୍ୟରେ ଦୁଇ ଜଣ ପ୍ରାର୍ଥୀଙ୍କର କୌଣସି ସମ୍ପତ୍ତି ନାହିଁ। ସବୁଠୁ ଆଶ୍ଚର୍ଯ୍ୟର କଥା ୧୮୯ ଜଣ ପ୍ରାର୍ଥୀ ମାନଙ୍କ ମଧ୍ୟରେ ୯୪ଜଣ ପ୍ରାର୍ଥୀ ଆୟକର ରିଟର୍ଣ୍ଣ ଦାଖଲ ବିବରଣୀ ଦେଇନାହାନ୍ତି।
ଶିକ୍ଷାଗତ ଯୋଗ୍ୟତା – ୨୮ ବିଧାନସଭା କ୍ଷେତ୍ର ପାଇଁ ୧୮୯ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୦୧ ଜଣ ପ୍ରାର୍ଥୀଙ୍କର ପଞ୍ଚମରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ଶିକ୍ଷାଗତ ଯୋଗ୍ୟତା ରହିଛି, ୮୨ ଜଣ ପ୍ରାର୍ଥୀ ସ୍ନାତକ ଉର୍ତ୍ତିଣ୍ଣ ହୋଇଛନ୍ତି, ଜଣେ ପ୍ରାର୍ଥୀ ସାକ୍ଷର ଥିବା ବେଳେ ଅନ୍ୟ ଜଣେ ପ୍ରାର୍ଥୀ ନିଜର ଶିକ୍ଷାଗତ ଯୋଗ୍ୟତା ଦର୍ଶାଇ ନାହାନ୍ତି।
ବୟସ – ୧୮୯ ବିଧାନସଭା ପ୍ରାର୍ଥୀ ମାନଙ୍କ ମଧ୍ୟରୁ ୨୫-୪୦ ବର୍ଷ ମଧ୍ୟରେ ୫୯ ଜଣ ପ୍ରାର୍ଥୀ, ୪୧-୬୦ ବର୍ଷ ମଧ୍ୟରେ ୧୧୦ ଜଣ ପ୍ରାର୍ଥୀ, ୬୧-୭୦ ବର୍ଷ ମଧ୍ୟରେ ୧୯ଜଣ ପ୍ରାର୍ଥୀ ରହିଛନ୍ତି। ଜଣେ ପ୍ରାର୍ଥୀ ନିଜର ବୟସ ଜଣାଇ ନାହାନ୍ତି।
ଶେଷରେ ସମସ୍ତ ୧୮୯ ପ୍ରାର୍ଥୀଙ୍କ ମଧ୍ୟରୁ ୧୬ଜଣ ମହିଳା ପ୍ରାର୍ଥୀ ରହିଛନ୍ତି।
Comments are closed.