ପୀଡ଼ିତାଙ୍କ ବାପା ମା’ ନେଇଥିଲେ ୨୦ ଲକ୍ଷ ଟଙ୍କା
ନୂଆଦିଲ୍ଲୀ: ଜନୈକା ୧୫ବର୍ଷୀୟା ବଳାତ୍କାର ପୀଡ଼ିତାଙ୍କୁ ବୟାନ ବଦଳାଇବା ପାଇଁ ତାଙ୍କୁ ଜନ୍ମ ଦେଇଥିବା ପିତାମାତା ଚାପ ପକାଇଥିଲେ। ଏଥିପାଇଁ ଅଭିଯୁକ୍ତଙ୍କଠାରୁ ସେମାନେ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଇଥିଲେ। ନାବାଳିକା ରାଜି ନ ହେବାରୁ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା। ଖୋଦ୍ ପୀଡ଼ିତା ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିବା ସହିତ ଲାଞ୍ଚ ବାବଦ ଅଗ୍ରୀମ ଟଙ୍କା ପୁଲିସକୁ ଦେଇଥିଲେ। ସେଥିରେ ୪.୯୬ ଲକ୍ଷ ଟଙ୍କା ଥିବା ଜଣାପଡ଼ିଥିଲା। ଅମନ୍ ନଗରରେ ରହୁଥିବା ନାବାଳିକାଙ୍କୁ ଗତ ସେପ୍ଟେମ୍ବର ମାସରେ ସୁନୀଲ ଶାସ୍ତ୍ରୀ ଓ ଚନ୍ଦ୍ରଭୂଷଣ ଅପହରଣ ଓ ବଳାତ୍କାର କରିଥିଲେ। ପୀଡ଼ିତାଙ୍କ ପରିବାର ଏ ସଂକ୍ରାନ୍ତରେ ଥାନାରେ ଅଭିଯୋଗ କରିବା ପରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ବେଲ୍ରେ ଆସିବା ପରେ ଅଭିଯୁକ୍ତ ଦୁଇଜଣ ପୀଡ଼ିତାଙ୍କ ଘରକୁ ଯାଇ ୨୦ ଲକ୍ଷ ଟଙ୍କା ଲାଞ୍ଚ ଯାଚିଥିଲେ। ବଦଳରେ ପୀଡ଼ିତା କୋର୍ଟରେ ବୟାନ ବଦଳାଇବାକୁ ସର୍ତ୍ତ ରଖିଥଲେ। ପୀଡ଼ିତାଙ୍କ ପରିବାର ଏଥିରେ ରାଜି ହୋଇ ଲାଞ୍ଚ ବାବଦ ଅଗ୍ରୀମ ୫ ଲକ୍ଷ ଟଙ୍କା ନେଇଥିଲେ। ଥାନାରେ ପୀଡ଼ିତାଙ୍କ ଅଭିଯୋଗ ପରେ ତାଙ୍କ ମା’ଙ୍କୁ ଗିରଫ କରାଯାଇଛି। ବାପା ଫେରାର ଅଛନ୍ତି। ପୀଡ଼ିତାଙ୍କୁ ଚାଇଲ୍ଡ ଲାଇନ୍କୁ ହସ୍ତାନ୍ତର କରାଯାଇଛି।