ଏଫଆରଡିଆଇ ବିଲ୍ ଭୟରେ ଖାଲି ପଡ଼ିଛି ଏଟିଏମ୍
ନୂଆଦିଲ୍ଲୀ: ବେଶ୍ କିଛି ଦିନ ଧରି ଦେଶର କେତେକ ରାଜ୍ୟରେ ଏଟିଏମ ଖାଲି ପଡ଼ିବା ଅଭିଯୋଗକୁ ନେଇ ଏବେ ଆରବିଆଇ ମଧ୍ୟ ଚିନ୍ତାରେ ପଡ଼ିଛି। ଏହି ସମସ୍ୟାର ସମାଧାନ ନିମନ୍ତେ ଆରବିଆଇ ଦ୍ୱାରା ଅନ୍ତର୍ଜାତୀୟ ସମିତି ଗଠନ କରି ବଳକା ଟଙ୍କା ଥିବା ରାଜ୍ୟରୁ ଟଙ୍କା ଆଣି ଏହି ସମସ୍ୟାର ସମାଧାନ କରିବାର ଦାୟିତ୍ୱ ପ୍ରଦାନ କରାଯାଇଛି। ଏହି ସମିତି ଆଗାମୀ ୩ ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ କରିବ। ରିଜର୍ଭ ବ୍ୟାଙ୍କ ଦ୍ୱାରା ଡ଼ିଜିଟାଲ ଇକୋନୋମି ଉପରେ ଗୁରୁତ୍ୱ ଦିଆଯାଉ ଥିବାରୁ ସମଗ୍ର ଦେଶରେ ୩୦ରୁ ୪୦ପ୍ରତିଶତ ନଗଦ ରାଶିର ଅଭାବ ଦେଖା ଦେଇଛି ବୋଲି ରିଜର୍ଭ ବ୍ୟାଙ୍କ ଅଫିସର କନଫାଡ଼େରେସନ ଦାବୀ କରିଛି।
ସମଗ୍ର ଦେଶରେ କେନ୍ଦ୍ର ଦ୍ୱାରା ପ୍ରସ୍ତାବିତ ଏଫଆରଡିଆଇ ବିଲକୁ ନେଇ ଆତଙ୍କ ରହିଛି। ଏହାକୁ ଦୃଷ୍ଟିରେ ରଖି ଦେଶବାସୀ ଟଙ୍କା ବ୍ୟାଙ୍କରେ ରଖିବା ପରିବର୍ତ୍ତେ ଘରେ ନଗଦ ଟଙ୍କା ଗଚ୍ଛିତ ରଖିବା ଉଚିତ ମଣୁଛନ୍ତି। ରିଜର୍ଭ ବ୍ୟାଙ୍କ ଡିଜିଟାଲ ଇକୋନୋମିକୁ ବଳବତ୍ତର କରିବା ଉଦ୍ଦେଶ୍ୟରେ ନଗଦ ରାଶି ନେଣଦେଣକୁ କମାଇ ଦେଇଛି। ଏହାର ପ୍ରଭାବରେ କେତେକ ରାଜ୍ୟରେ ହଠାତ୍ ନଗଦ ରାଶିରେ ଘୋର ଅଭାବ ଦୃଶ୍ୟମାନ ହୋଇଛି। ଏହା ବ୍ୟତୀତ ୨୦୦୦ ଓ ୫୦୦ ଟଙ୍କାର ନୋଟ୍ ହଠାତ୍ କରି ବଜାରରୁ ଗାଏବ ହେବା ଏଭଳି ଅଭାବର ଅନ୍ୟତମ କାରଣ ବୋଲି ଦର୍ଶାଯାଇଛି। ସମଗ୍ର ଦେଶରେ ବ୍ୟାଙ୍କି ବ୍ୟବସ୍ଥାରେ ପରିବର୍ତ୍ତନକୁ ନେଇ ଆଶଙ୍କାରେ ରହିଛନ୍ତି ଦେଶବାସୀ। ଫଳରେ ଲୋକେ ନିଜ ଘରେ ବଡ଼ ମୂଲ୍ୟର ନୋଟ (୨୦୦୦ ଓ ୫୦୦ଟଙ୍କା)କୁ ଘରେ ଗଚ୍ଛିତ ରଖିବା ଉଚିତ ମଣୁଛନ୍ତି। ଅପରପକ୍ଷରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଦେଶରେ ଟଙ୍କାର ଅଭାବକୁ ଅସ୍ୱୀକାର କରିଛନ୍ତି।
ଅପରପକ୍ଷରେ ଏଫଆରଡିଆଇ ବିଲ୍ ଅନ୍ତର୍ଗତ ଜନତାଙ୍କ ଟଙ୍କାକୁ ସରକାର ଅର୍ଥବ୍ୟବସ୍ଥାକୁ ଚଳଚଞ୍ଚଳ କରିବା ନିମନ୍ତେ ବ୍ୟବହାର କରିବେ। ଏହା ଦ୍ୱାରା କ୍ଷତିରେ ଚାଲିଥିବା ବ୍ୟାଙ୍କ ମଧ୍ୟ ସମିଲ ରହିଛି। ତେବେ ଲୋକଙ୍କ ଟଙ୍କାକୁ ନେଇ ନିଜ ସ୍ଥିତି ସୁଧାରିବାକୁ ଯାଉଥିବା ବ୍ୟାଙ୍କ ଯଦି ବିଫଳ ହୁଏ ତେବେ ଲୋକଙ୍କ କଷ୍ଟଲବ୍ଧ ଟଙ୍କା ବୁଡ଼ିବାର ସମ୍ଭାବନାକୁ ନେଇ ଆତଙ୍କରେ ଏବେ ଦେଶବାସୀ। ବ୍ୟାଙ୍କି ନିୟମ ଅନୁଯାୟୀ ଜଣେ ବ୍ୟକ୍ତିଙ୍କ ଖାତାରେ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫେରସ୍ତ କରିବାର ଗ୍ୟାରେଣ୍ଟି ବ୍ୟାଙ୍କ ପାଖରେ ରହିଛି। ଯଦି ବ୍ୟାଙ୍କ ବୁଡ଼ି ଯାଏ ତେବେ ତା’ଠାରୁ ଅଧିକ ଟଙ୍କା ରଖିଥିବା ଗ୍ରାହକଙ୍କ ଟଙ୍କା ବୁଡ଼ିବାର ସମ୍ଭାବନା ଏଫଆରଡିଆଇ ବିଲ୍ରେ ଦେଖିବାକୁ ମିଳିଛି।