ମିଳିଲାନି ବରାଦି ଅବଢ଼ା

0

-ନୀତି ବିଳମ୍ବ; ସକାଳ ଧୂପ ଅପରାହ୍ଣରେ ଲାଗିଲା, -ଠାକୁର ଭୁଞ୍ଜିଲେ ଓଳିଏ; ଓପାସରେ ରହିଲେ ଭକ୍ତ, 

-ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ: ଜିଲାପାଳ

ପୁରୀ : ହାଇକୋର୍ଟଙ୍କ ନିର୍ଦେଶକ୍ରମେ ଖୋଲିଲା ଜଗମୋହନ। କେବଳ ପାଳିଆ ସେବକଙ୍କ ଗର୍ଭଗୃହ ଭିତରକୁ ପ୍ରବେଶ ଅନୁମତି ଥିବାରୁ କେତେକ ସେବକ ଏହାର ପ୍ରତିବାଦ କରିଥିଲେ। ଫଳରେ ସୋମବାର ଶ୍ରୀଜୀଉଙ୍କ ମଙ୍ଗଳଆଳତି ପରେ ଏହାକୁ କେନ୍ଦ୍ରକରି ଉତ୍ତେଜନା ପ୍ରକାଶ ପାଇଥିଲା। ପ୍ରଶାସନ ବିରୋଧରେ କେତେକ ସେବକ ମେଳି ହେବା ସହ ବିଭିନ୍ନ ସ୍ଳୋଗାନ ଦେଇଥିଲେ। ଏଥିଯୋଗୁଁ ଶ୍ରୀଜୀଉଙ୍କ ଦୈନନ୍ଦିନ ନୀତି ଏବଂ ସେବାପୂଜା ୪ ଘଣ୍ଟା ବିଳମ୍ବ ହୋଇଥିଲା। ଶ୍ରୀଜୀଉଙ୍କ ସେବାପୂଜାରେ ଏଭଳି ଅହେତୁକ ବିଳମ୍ବ ଯୋଗୁଁ ସୋମବାର ସନ୍ଧ୍ୟାସୁଦ୍ଧା ଭୋଗମଣ୍ଡପ ଉଠିପାରିନଥିଲା। ଲକ୍ଷାଧିକ ଟଙ୍କାର ମହାପ୍ରସାଦ ବିକ୍ରି ନହୋଇ ନଷ୍ଟହେବାର ଆଶଙ୍କା କରି ଏହାର ପ୍ରତିବାଦରେ ସୁଆର ମହାସୁଆର ସେବକମାନେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଧାରଣା ଦେଇଥିଲେ।
ଶ୍ରୀଜୀଉଙ୍କ ସମୟାନୁବର୍ତ୍ତୀ ନୀତି ସମ୍ପାଦନରେ ପ୍ରଶାସନର ଅବହେଳା ଯୋଗୁଁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ସୁଆର ମହାସୁଆର ନିଯୋଗ ସମ୍ପାଦକ କୃଷ୍ଣଚନ୍ଦ୍ର ସାମନ୍ତରା ଅଭିଯୋଗ କରିଛନ୍ତି। ସୋମବାର ବରାଦି ମହାପ୍ରସାଦ ପାଇଁ ଅନେକ ଲୋକ ସୁଆର ସେବକଙ୍କୁ ଅଗ୍ରୀମ ଦେଇଥିଲେ ହେଁ ଅବଢ଼ା ନେବା ପାଇଁ ଦକ୍ଷିଣ ଓ ଉତ୍ତରଦ୍ୱାରରେ ଅପେକ୍ଷା କରିଥିଲେ। ପୂର୍ବ ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ ଦିନ ୨ଟା ସୁଦ୍ଧା ଭୋଗମଣ୍ଡପ ଶେଷହେବା କଥା; କିନ୍ତୁ ଅପରାହ୍ଣ ୪ଟା ୧୫ରେ ସକାଳଧୂପ ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାସୁଦ୍ଧା ବରାଦି ଅବଢା ନ ବାହାରିବାରୁ ସୁଆର ସେବକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ଶତାଧିକ ସୁଆର ଆନ୍ଦୋଳନ କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ସୁଆର ସେବକଙ୍କ କ୍ଷତି ଭରଣା ନ କଲେ ଆଉ ମହାପ୍ରସାଦ ପ୍ରସ୍ତୁତ କରିବା ସମ୍ଭବପର ନୁହେଁ ବୋଲି ସଭାପତି ଦାମୋଦର ମହାସୁଆର କହିଛନ୍ତି। ରାତି ୧୦ଟା ସୁଦ୍ଧା ମନ୍ଦିର ପ୍ରଶାସନର କୌଣସି ଅଧିକାରୀ ଘଟଣାସ୍ଥଳକୁ ଯାଇ ସୁଆର ସେବକଙ୍କ ସହ ଆଲୋଚନା କରି ନଥିବା ଜଣାପଡିଛି।
ଅନ୍ୟପକ୍ଷରେ ମହାପ୍ରସାଦ ବାହାରିବାରେ ଅତ୍ୟଧିକ ବିଳମ୍ବ ଯୋଗୁଁ ଶ୍ରଦ୍ଧାଳୁ ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଅନ୍ନ ମହାପ୍ରସାଦ ନ ପାଇ ଦୂରାନ୍ତରୁ ଆସିଥିବା ଭକ୍ତମାନେ ଖାଲିହାତରେ ଫେରିଛନ୍ତି। ହାଇକୋର୍ଟଙ୍କ ନିର୍ଦେଶକ୍ରମେ ସୋମବାରଠାରୁ ଜଗମୋହନ ଦର୍ଶନ ବ୍ୟବସ୍ଥା ଆରମ୍ଭ ହୋଇଛି। ଗର୍ଭଗୃହରେ ସେବକଙ୍କ ପ୍ରବେଶ ଉପରେ କୋର୍ଟଙ୍କ କଟକଣା ଯୋଗୁଁ ସେବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏହାର ପ୍ରତିବାଦ କରି କେତେକ ସେବକ ନୀତି ସମ୍ପାଦନରେ ଅସହଯୋଗ କରିଥିଲେ। ଏଥିଯୋଗୁଁ ମହାପ୍ରଭୁଙ୍କ ନୀତି ପ୍ରାୟ ୪ଘଣ୍ଟା ବିଳମ୍ବ ହୋଇଥିଲା। ଜଣେ ପାଳିଆ ସେବକ ହଠାତ ଅସୁସ୍ଥ ହେବାସହ ଅନ୍ୟ ଜଣଙ୍କ ସମ୍ପର୍କୀୟଙ୍କ ମୃତ୍ୟୁ ଯୋଗୁଁ ଶ୍ରୀଜୀଉଙ୍କ ନୀତି ବିଳମ୍ବ ହୋଇଥିବା ସେବକଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଛି। ନୀତି ବିଳମ୍ବ ଯୋଗୁଁ ଦିନ ୧୧ଟାରେ ହେବାକୁଥିବା ସକାଳଧୂପ ଅପରାହ୍ଣ ସାଢେ ୪ଟାରେ ହୋଇଥିଲା। ଆଗାମୀ ୧୮ତାରିଖ ଅକ୍ଷୟ ତୃତୀୟାଠାରୁ ଶ୍ରୀଜୀଉଙ୍କ ୨୧ଦିନ ବ୍ୟାପୀ ଚନ୍ଦନଯାତ୍ରା ଅନୁଷ୍ଠିତ ହେବ। ତେଣୁ ଶୃଙ୍ଖଳିତ ନୀତି ସମ୍ପାଦନ ପ୍ରତି ପ୍ରଶାସନ ଗୁରୁତ୍ୱ ନଦେଲେ ସମସ୍ୟା ଅଧିକ ଜଟିଳ ହେବାର ଆଶଙ୍କା ରହିଛି।
ଶ୍ରୀମନ୍ଦିର ଜଗମୋହନରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସୋମବାର ଦେଖିଲେ ଜଗନ୍ନାଥପ୍ରେମୀ। ‘ଜୟ ଜଗନ୍ନାଥ’ ଧ୍ୱନିରେ ପ୍ରକମ୍ପିତ ହେଲା ମନ୍ଦିର ପରିସର। ପ୍ରାୟ ୨ବର୍ଷ ୨ମାସ ପରେ ଜଗମୋହନ ଭିତରେ ପ୍ରବେଶ ପାଇଁ ଭକ୍ତଙ୍କୁ ମିଳିଲା ଅନୁମତି। ସୋମବାର ଶ୍ରୀଜୀଉଙ୍କ ସକାଳଧୂପ ପରେ ଅପରାହ୍ଣ ୫ଟା ୧୦ରେ ଭକ୍ତଙ୍କ ପାଇଁ ଖୋଲାଗଲା ଜଗମୋହନ। ପ୍ରବଳ ଉତ୍କଣ୍ଠାର ସହ ଅପେକ୍ଷା କରିଥିବା ଭକ୍ତମାନେ ଭିତରକାଠ ପାଖକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ଶ୍ରଦ୍ଧାଳୁଙ୍କ ପାଇଁ ଜଗମୋହନ ଖୋଲାଯିବାବେଳେ ଜିଲାପାଳ ଅରବିନ୍ଦ ଅଗ୍ରୱାଲ, କେନ୍ଦ୍ରାଞ୍ଚଳ ପୁଲିସ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଆରକ୍ଷୀ ଅଧୀକ୍ଷକ ଡା. ସାର୍ଥକ କୁମାର ଷଡ଼ଙ୍ଗୀ ଏବଂ ପ୍ରଶାସକ (ନୀତି) ପ୍ରଦୀପ କୁମାର ଦାଶ ଓ ହାଇକୋର୍ଟରେ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଅଶୋକ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।ମହାପ୍ରସାଦ ବାହାରି ଭିତର ଶୋଧ ପରେ ବାହାରକାଠ କଢ଼ାଯାଇ ଭକ୍ତଙ୍କୁ ଜଗମୋହନକୁ ଛଡ଼ାଯାଇଥିଲା। ଶ୍ରଦ୍ଧାଳୁମାନେ ସାତପାହାଚ, ନାଟମଣ୍ଡପ ଏବଂ ଜୟବିଜୟ ଦ୍ୱାରଦେଇ ଜଗମୋହନକୁ ଯାଇଥିଲେ। ହାଇକୋର୍ଟଙ୍କ ନିର୍ଦେଶ ଶ୍ରୀମନ୍ଦିର ପ୍ରଶାସନ ସୋମବାର କାର୍ଯ୍ୟକାରୀ କରିଛି। ମଙ୍ଗଳବାରଠାରୁ ଶ୍ରୀଜୀଉଙ୍କ ମଙ୍ଗଳଆଳତି ପରେ ଜଗମୋହନ ଭିତରକୁ ଭକ୍ତଙ୍କୁ ଛଡ଼ାଯିବ।
ଅନ୍ୟପକ୍ଷରେ ଶ୍ରୀମନ୍ଦିର ଗର୍ଭଗୃହରେ କେବଳ ପାଳିଆ ସେବକ ପ୍ରବେଶ କରିପାରିବେ ବୋଲି ଓଡ଼ିଶା ହାଇକୋର୍ଟ ଦେଇଥିବା ନିର୍ଦେଶର ପୁନର୍ବିଚାର ପାଇଁ ଶ୍ରୀଜଗନ୍ନାଥ ସେନା ଦାବି କରିଛି। ଶ୍ରୀଜୀଉଙ୍କ ଦୈନନ୍ଦିନ ସେବାପୂଜା ପାଇଁ ଅଧିକ ସେବକଙ୍କ ଆବଶ୍ୟକତା ଥିବା ଶ୍ରୀମନ୍ଦିର ପ୍ରଶାସନ ଏଥିପାଇଁ କୋର୍ଟଙ୍କୁ ଅନୁରୋଧ କରିବା ଉଚିତ ବୋଲି ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ମତ ଦେଇଛନ୍ତି। ସୋମବାର ପ୍ରେସ୍‍ ବିଜ୍ଞପ୍ତିରେ ଶ୍ରୀ ପଟ୍ଟନାୟକ ଦର୍ଶାଇଛନ୍ତିଯେ, ଶ୍ରଦ୍ଧାଳୁଙ୍କ ଲାଗି ସାହାଣମେଲା ଦର୍ଶନ ସମ୍ପର୍କରେ ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପିରେ ଉଲ୍ଲେଖ ରହିଛି। ଯଦି ପାଳିଆ ସେବକ ଅସୁସ୍ଥ କିମ୍ବା ଅଶୌଚ ହୁଅନ୍ତି ତାଙ୍କ ସ୍ଥାନରେ ଅନ୍ୟ ସେବକ ଶ୍ରୀଜୀଉଙ୍କ ସେବା କରିବାର ପରମ୍ପରା ରହିଛି। ତେଣୁ ଓଡ଼ିଶା ହାଇକୋର୍ଟ ନିଷ୍ପତ୍ତିର ସମୀକ୍ଷା କରିବାକୁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି।

Leave A Reply