ନବୀନଙ୍କ ମହିଳା-କାର୍ଡ
କେନ୍ଦ୍ରାପଡ଼ାରେ ଆୟୋଜିତ ମିଶନ ଶକ୍ତି ସମାବେଶରେ ବିଜୁ ଜନତା ଦଳ (ବିଜେଡି) ମୁଖ୍ୟ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସଭା ନିର୍ବାଚନରେ ତାଙ୍କ ଦଳ ୩୩ ଶତାଂଶ ମହିଳାଙ୍କୁ ଟିକଟ୍ ପ୍ରଦାନ କରିବ ବୋଲି ଘୋଷଣା କରିଛନ୍ତି। ଆନ୍ତର୍ଜାତିକ ମହିଳା ଦିବସର ଦୁଇଦିନ ପରେ ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ମହିଳା ସଶକ୍ତୀକରଣ କ୍ଷେତ୍ରରେ କେତେ ସହାୟକ ହେବ, ତାହା ଭିନ୍ନକଥା; ତେବେ ସଂସଦରେ ମହିଳା ସଂରକ୍ଷଣ ବିଧେୟକ ଗୃହୀତ ହେବା ପୂର୍ବରୁ ହିଁ େସ ଏଭଳି ପଦକ୍ଷେପ ନେବା ନିଶ୍ଚିତଭାବେ ଅଭିନନ୍ଦନୀୟ। ଏହା କେବଳ ରାଜ୍ୟ ପାଇଁ ନୁହେଁ, ଦେଶପାଇଁ ମଧ୍ୟ ଏକ ବାର୍ତ୍ତାପ୍ରଦାନକାରୀ ହୋଇଥିବାରୁ ଜାତୀୟ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଛି, ଯାହା ସ୍ବାଭାବିକ। ୩୩ ଶତାଂଶର ହିସାବ ଅନୁଯାୟୀ ଓଡ଼ିଶାର ୨୧ଟି ଲୋକସଭା ଆସନ ଭିତରୁ ବିଜେଡି ଅତି କମ୍ରେ ୭ଟି ଆସନରେ ମହିଳାଙ୍କୁ ଟିକଟ୍ ଦେବ। ବର୍ତ୍ତମାନ ଲୋକସଭାରେ ଓଡ଼ିଶାର ମାତ୍ର ୩ ଜଣ ମହିଳା ସାଂସଦ ଅଛନ୍ତି। ସୂଚନାଯୋଗ୍ୟ, ଗତବର୍ଷ (୨୦୧୮) ନଭେମ୍ବରରେ ସଂସଦ ଓ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାଙ୍କୁ ୩୩ ଶତାଂଶ ସଂରକ୍ଷଣ ପ୍ରଦାନ କରାଯିବା ନେଇ ଓଡ଼ିଶା ବିଧାନସଭାରେ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା ଏବଂ ବିଜେଡି ପକ୍ଷରୁ ଦେଶର ପ୍ରମୁଖ ରାଜନୀତିକ ଦଳ ଓ ରାଜନେତାମାନଙ୍କୁ ଏହା ସପକ୍ଷରେ ମତ ଦେବାକୁ ପ୍ରବର୍ତ୍ତାଯାଇଥିଲା। ସେତେବେଳେ ମଧ୍ୟ ନବୀନ ଦେଶବାସୀଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଥିଲେ।
ଲୋକସଭା ଓ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହୋଇଥିବାବେଳେ ନବୀନଙ୍କ ଏହି ପଦକ୍ଷେପ ଖେଳ ବଦଳାଇଦେବାର ସାମର୍ଥ୍ୟ ରଖେ, ତାହା ଅନସ୍ବୀକାର୍ଯ୍ୟ। ଏହାଦ୍ବାରା ମହିଳାଙ୍କ ପ୍ରତି ତାଙ୍କ ଦଳ କେତେ ଯତ୍ନଶୀଳ, ସେ ବିଷୟରେ ନବୀନ କହି ଅନ୍ୟ ଦଳଙ୍କ ମୁହଁ ବନ୍ଦ କରିବାରେ ସକ୍ଷମ ହେବେ। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ତାଙ୍କ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସ ଓ ବିଜେପି ପାଖରେ ଏହି ନବୀନ-ବାଣର ମୁକାବିଲା କରିବା ଭଳି ଅସ୍ତ୍ର ଥିବାଭଳି ମନେହେଉ ନାହିଁ। ଏହାର କାରଣ, ଏହି ଦୁଇଟି ଦଳ ଓଡ଼ିଶା ପାଇଁ ଯଦି ନିଜ ପକ୍ଷରୁ ମହିଳାଙ୍କ ପାଇଁ ୩୩ ଶତାଂଶ ଆସନ ସଂରକ୍ଷଣ ଘୋଷଣା କରନ୍ତି, ତେବେ ସେମାନଙ୍କୁ ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ସେପରି କରିବାକୁ ହେବ। ଯଦି ନକରନ୍ତି, ତେବେ ସେମାନେ ସାଧାରଣରେ ‘ସୁବିଧାବାଦୀ’ ଧରାଯିବେ। ସେପରି କରିବା ବି ସେମାନଙ୍କ ପକ୍ଷେ ସହଜ ହେବନାହିଁ। ବିଜେଡି ଏକ ଆଞ୍ଚଳିକ ଦଳ ହୋଇଥିବାରୁ ଏହାକୁ କାର୍ଯ୍ୟକାରୀ କରିବା ଅପେକ୍ଷାକୃତ ସହଜ ହେବ। ବିଜେଡିର ସମସ୍ୟା ହେଉଛି ବର୍ତ୍ତମାନ ଯେଉଁମାନେ ସାଂସଦ ଅଛନ୍ତି, ସେମାନଙ୍କ ଭିତରୁ ଅନେକ ଜନଆସ୍ଥା ହରାଇଛନ୍ତି। ତେଣୁ ସେପରି ସାଂସଦମାନଙ୍କ ଟିକଟ କଟାଯାଇ ତାଙ୍କ ପରିବାରର ମହିଳାଙ୍କୁ ଟିକଟ ଦେବାକଥା ନବୀନ ଭାବୁଥାଇପାରନ୍ତି।
ନବୀନ କେବଳ ଲୋକସଭା ଆସନ ପାଇଁ ମହିଳାଙ୍କୁ ୩୩ ଶତାଂଶ ସଂରକ୍ଷଣ ଘୋଷଣା କରିଥିବାରୁ ସ୍ବାଭାବିକ ଭାବେ ପ୍ରଶ୍ନ ଉଠିଛି ଯେ ସେ ବିଧାନସଭା ଆସନ ପାଇଁ କ’ଣ କରିବେ? ସେଥିପାଇଁ ମଧ୍ୟ ମହିଳାଙ୍କ ନିମନ୍ତେ ୩୩ ଶତାଂଶ ସଂରକ୍ଷଣ ଘୋଷଣା କରିବେ କି? ସେ ଏ ସମ୍ପର୍କରେ କିଛି କହିନଥିବାରୁ ବିରୋଧୀ ଦଳଗୁଡ଼ିକୁ ସମାଲୋଚନାର ସୁଯୋଗ ମିଳିଯାଇଛି। ମହିଳା ସଂରକ୍ଷଣ ପ୍ରସଙ୍ଗରେ ବିଜେଡିର ଆନ୍ତରିକତାକୁ ନେଇ ସେମାନେ ଅଙ୍ଗୁଳି ନିର୍ଦେଶ କରିଛନ୍ତି; କାରଣ ଦେଶର ସବୁ ବିଧାନସଭାରେ ମଧ୍ୟ ମହିଳାଙ୍କୁ ଏକ-ତୃତୀୟାଂଶ ସ୍ଥାନ ସଂରକ୍ଷଣ କରାଯିବାକୁ ନବୀନ ଅନୁରୋଧ କରିଥିଲେ। ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଚିଠି ଲେଖି ଜଣାଇଥିଲେ। ବର୍ତ୍ତମାନ ଓଡ଼ିଶା ବିଧାନସଭାର ଆସନ ସଂଖ୍ୟା ୧୪୭ ହୋଇଥିବାବେଳେ ମହିଳା ସଦସ୍ୟଙ୍କ ସଂଖ୍ୟା ମାତ୍ର ୧୨ (୮ ଶତାଂଶ)। ଏଥିରୁ ସ୍ପଷ୍ଟ ଯେ ବିଜେଡି ସମେତ କୌଣସି ଦଳ ମହିଳାଙ୍କୁ ରାଜନୀତିକ ନେତୃତ୍ବ ପ୍ରଦାନ କରିବା ନେଇ ଗୁରୁତ୍ବ ଦେଇନାହାନ୍ତି। ତେଣୁ ଚାରିଟି କାର୍ଯ୍ୟକାଳ ସଂପୂର୍ଣ୍ଣ କରିବାକୁ ଯାଉଥିବା ମୁଖ୍ୟମନ୍ତ୍ରୀ ନବୀନ ଏ କ୍ଷେତ୍ରରେ କାହିଁକି ଚୁପ୍ ରହିଛନ୍ତି, ସେହି ପ୍ରଶ୍ନ ଏବେ ପଚରାଯାଉଛି। ଅତୀତରେ ନବୀନ ପଞ୍ଚାୟତ ଓ ପୌରସଂସ୍ଥାଗୁଡ଼ିକରେ ମହିଳା ସଂରକ୍ଷଣକୁ ୩୩ ଶତାଂଶରୁ ୫୦ ଶତାଂଶକୁ ବଢ଼ାଇଥିଲେ।
ସୂଚନାଯୋଗ୍ୟ, ୨୦୦୮ ମସିହାରେ ୟୁପିଏ ସରକାରଙ୍କ ଅମଳରେ ମହିଳାଙ୍କୁ ୩୩ ଶତାଂଶ ସଂରକ୍ଷଣ ପ୍ରଦାନ ପାଇଁ ୧୦୮ତମ ସମ୍ବିଧାନ ସଂଶୋଧନ ବିଧେୟକ ସଂସଦରେ ଉପସ୍ଥାପିତ ହୋଇଥିଲା। ୨୦୧୦ରେ ରାଜ୍ୟସଭାର ମଞ୍ଜୁରି ମଧ୍ୟ ହାସଲ କରିଥିଲା। ବିଜେପି ଏହାକୁ ନିଜର ନିର୍ବାଚନ ଇସ୍ତାହାରରେ ମଧ୍ୟ ଅନ୍ତର୍ଭୁକ୍ତ କରିଥିଲା; କିନ୍ତୁ କ୍ଷମତାକୁ ଆସିବା ପରେ ଏ ନେଇ ସରକାର ବା ଅନ୍ୟ କୌଣସି ଦଳ ଗୁରୁତ୍ବ ଦେଇନାହାନ୍ତି। ଅତୀତରେ ବିଜେପି ଓ କଂଗ୍ରେସ ବ୍ୟତୀତ ବାମଦଳ, ଏନ୍ସିପି, ଏଆଇଡିଏମ୍କେ ଓ ଡିଏମ୍କେ ଆଦି ଏହି ପ୍ରସଙ୍ଗରେ ନିଜର ସମର୍ଥନ ଜଣାଇଆସିଛନ୍ତି। ନବୀନଙ୍କ ଏହି ପଦକ୍ଷେପ ପରେ ଅନ୍ୟ ଦଳଗୁଡ଼ିକର ଆଭିମୁଖ୍ୟ କ’ଣ ହେଉଛି, ତା’ ଉପରେ ସମସ୍ତଙ୍କ ନଜର ରହିବ।