ବିଜେପି କର୍ମୀଙ୍କ ବାଇକ୍ ଶୋଭାଯାତ୍ରା

0

କଳାପଥର(ବାଙ୍କୀ) : ଆସନ୍ତା ସାଧାରଣ ନିର୍ବାଚନକୁ ନେଇ ରାଜ୍ୟରାଜନୀତି ସରଗରମ ଥିବା ବେଳେ ଓଡ଼ିଶାର ରାଜନୈତିକ ଇଲାକା ଭାବେ ପରିଚିତ ବାଙ୍କୀ ରାଜନୀତି ବି ସରଗରମ ହୋଇଉଠିଛି। ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ରୁଦ୍ଧଦ୍ୱାର ବୈଠକ ସହିତ ବିଭିନ୍ନ ସାଂଗଠନିକ କାର୍ଯ୍ୟକ୍ରମ ଏବଂ ରାଲି ଦ୍ୱାରା ବାଙ୍କୀ ନିର୍ବାଚନ ମାହୋଲକୁ ଉଷ୍ମ କରିଛନ୍ତି। ଏହି ପରିପ୍ରେକ୍ଷିରେ ବାଙ୍କୀ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଜେପି ତାର ପ୍ରାକ୍‍ ନିର୍ବାଚନୀ ଶକ୍ତିପ୍ରଦର୍ଶନ କରିଛି। ବାଙ୍କୀରେ ପୂର୍ବରୁ ବିଜେପିର ସ୍ଥିତି ଭଲ ନଥିବା ବେଳେ ଶନିବାରର ଶୋଭାଯାତ୍ରା କର୍ମୀଙ୍କ ମନରେ ଉତ୍ସାହ ଭରିବା ସହିତ ବିରୋଧିଙ୍କୁ ମଧ୍ୟ ଚକିତ କରିଛି। ବାଙ୍କୀ ବିଜେପିର ଏକ ବିଶାଳ ଶୋଭାଯାତ୍ରା ବାହାରି ବାଙ୍କୀର ବିଭିନ୍ନ ଅଞ୍ଚଳ ବୁଲିବା ସହିତ ମିଶନ ୧୨୦କୁ ସାକାର କରିବା ପାଇଁ ଲାଗିପଡ଼ିଛି। ରାଷ୍ଟ୍ରୀୟ କୃଷକ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭ୍ରାଂଶୁ ମୋହନ ପାଢୀ ଏବଂ ଯୁବ ବିଜେପି ନେତା ତୁଷାରକାନ୍ତ ଚକ୍ରବର୍ତ୍ତୀଙ୍କ ନେତୃତ୍ୱରେ ୧୫୦୦ରୁ ଊର୍ଦ୍ଧ୍ବ ବାଇକ୍ ଯୋଗେ ରାଲି ପ୍ରଦର୍ଶନ କରାଯାଇ ବାଙ୍କୀ ବିଜେପି ତାର ଶକ୍ତି ପ୍ରଦର୍ଶନ କରିଛି। ଏହି ଶୋଭାଯାତ୍ରାରେ ବାଙ୍କୀ ନିର୍ବାଚନ ମଣ୍ଡଳୀର ବାଙ୍କୀ ବ୍ଲକ, ଡମପଡ଼ା ବ୍ଲକ ଏବଂ ବାରଙ୍ଗ ବ୍ଲକର ବାଙ୍କୀ ଅଧିନ ବିଭିନ୍ନ ପଞ୍ଚାୟତର ବିଜେପି କାର୍ଯ୍ୟକର୍ତ୍ତା ଯୋଗଦେଇ ଆଗାମୀ ଦିନରେ ବାଙ୍କୀରେ ପଦ୍ମଫୁଟିବ ବୋଲି ଆଶାବାଦୀ ଅଛନ୍ତି। ବିଭିନ୍ନ ଶକ୍ତି କେନ୍ଦ୍ରରୁ ୫ହଜାରରୁ ଉଦ୍ଧ୍ୱ କାର୍ଯ୍ୟକର୍ତ୍ତା ଯୋଗଦେଇ ରାଲିକୁ ସଫଳ କରିବା ସହିତ ନରେନ୍ଦ୍ର ମୋଦୀଙ୍କ ସୁଶାସନ ଏବଂ ଜନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ। ପଶ୍ଚିମ ବାଙ୍କୀ ବିଜେପି ନେତା ମାନସ କୁମାର ସାହୁଙ୍କ ଆବାହକତ୍ୱରେ ମଣ୍ଡଳ ସଭାପତି ଦାଶରଥି ଦାଶଙ୍କ ନେତୃତ୍ୱରେ କଳାପଥର ଗୋଲେଇ ଛକର ଶତାଧିକ ବାଇକ୍ ରାଲି ବାହାରି ବାଙ୍କୀରେ ପହଞ୍ଚି ଥିଲା। ଯୁବ ନେତା ଶୁଭ୍ରାଂଶୁ ମୋହନ ପାଢି ବାଙ୍କୀ ବିଧାୟକଙ୍କ ଚିଟ୍‍ଫଣ୍ଡ୍‍ କେଳେଙ୍କାରି କଥା ଉଠାଇ ବିଧାୟକଙ୍କୁ ବାଙ୍କୀ ବାସୀ ବାଙ୍କୀର ସ୍ୱାଭିମାନଙ୍କୁ ପାଦରେ ଦଳିଚକଟି ଥିବାରୁ କ୍ଷମା ଦେବେନାହିଁ ବୋଲି ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ବାଙ୍କୀ ନିର୍ବାଚନ ମଣ୍ଡଳୀ ପ୍ରଭାରି ସ୍ମୃତି ପଟ୍ଟନାୟକଙ୍କୁ ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ଅଜୟ ସ୍ୱାଇଁ, ପଦ୍ମଜା ଦେବତା, ସୁବଳ ବେହେରା ପ୍ରମୁଖ ଯୋଗଦେଇ ରାଜ୍ୟସରକାରଙ୍କ ଅପରାଗତାକୁ ସମାଲୋଚନା କରିବା ସହିତ ଓଡ଼ିଶାର ଯୁବସମାଜ ଏବଂ ଚାଷୀ ବିଜେଡ଼ି ସରକାର ଦ୍ୱାରା ଉପେକ୍ଷିତ ହେଉଥିବା ପ୍ରକାଶ କରିଛନ୍ତି।

Leave A Reply