ସବୁକିଛି ଠିକ୍‌ଠାକ୍‌ ଚାଲିନି

0

ନୂଆଦିଲ୍ଲୀ : ମଧ୍ୟପ୍ରଦେଶ କଂଗ୍ରେସ ସରକାର ମଧ୍ୟରେ ସବୁ କିଛି ଠିକ୍‍ଠାକ୍‍ ଚାଲି ନାହିଁ। ଦଳର ବରିଷ୍ଠ ନେତା ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍‍ବିଜୟ ସିଂହ ଏବେକାର ରାଜ୍ୟ ସରକାରଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇବାରେ ଲାଗିଛନ୍ତି। ବିଜେପି ସରକାର ସମୟରେ ହୋଇଥିବା ମନ୍ଦସୌର ଗୁଳି କାଣ୍ଡ ଓ ନର୍ମଦା ନଦୀ କୂଳରେ ରୋପଣ କରାଯାଇଥିବା ଚାରା କିଣାରେ ଦୁର୍ନୀତି ହୋଇଥିବା ଦିଗ୍‍ବିଜୟ କହିଛନ୍ତି। ଏବେକାର କମଳନାଥ ସରକାରଙ୍କ ଗୃହମନ୍ତ୍ରୀ ଉଭୟ ଘଟଣାର ତଦନ୍ତ ରିପୋର୍ଟ ବିଧାନସଭାରେ ଉପସ୍ଥାପନ କରିଥିଲେ। ଉଭୟ ରିପୋର୍ଟରେ କୌଣସି ତ୍ରୁଟି ପରିଲକ୍ଷିତ ହୋଇ ନଥିବା ଓ ସେତେବେଳର ସରକାର ଯଥାର୍ଥ ପଦକ୍ଷେପ ନେଇଥିବା ଗୃହ ମନ୍ତ୍ରୀ ସଭାରେ କହିଥିଲେ। ତାଙ୍କର ଏହି ବିବୃତିକୁ ନେଇ ଦିଗ୍‍ବିଜୟ ଖପ୍ପା। ବିଜେପି ସରକାରକୁ ଏବେକାର କମଳନାଥଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ‘କ୍ଲିନ୍‍ଚିଟ୍‍’ ଦେଇଥିବା ଦିଗ୍‍ବିଜୟ ଅଭିଯୋଗ କରିଛନ୍ତି।
ଏହି ଘଟଣାକୁ ନେଇ କଂଗ୍ରେସ ମଧ୍ୟରେ ଦିଗ୍‍ବିଜୟ ଗୋଷ୍ଠୀ ଓ କମଳନାଥଙ୍କ ଗୋଷ୍ଠୀ ମଧ୍ୟରେ ବାଦବିବାଦ ଜାରି ରହିଛି। ମଧ୍ୟପ୍ରଦେଶରେ କଂଗ୍ରେସର ଏକାଧିକ କ୍ଷମତା କେନ୍ଦ୍ର ରହିଛି। ତନ୍ମଧ୍ୟରୁ ଦିଗ୍‍ବିଜୟ ଗୋଟିଏ ବୋଲି ରାଜ୍ୟର କେତେକ ରାଜନୈତିକ ବିଶ୍ଳେଷକ ମତ ଦିଅନ୍ତି। କମଳନାଥଙ୍କ ଦୈନନ୍ଦିନ କାର୍ଯ୍ୟକଳାପ ଉପରେ ହସ୍ତକ୍ଷେପ କରିବାକୁ ଦିଗ୍‍ବିଜୟ ବାରମ୍ବାର ଉଦ୍ୟମ ଚଳାଇଛନ୍ତି। ଦଳର ଏପରି କନ୍ଦଳକୁ ଦେଖି ରାଜ୍ୟରେ ଦିଗ୍‍ବିଜୟ ନା କମଳାନଥଙ୍କ ସରକାର ଚାଲିଛି-ଏ ସଂକ୍ରାନ୍ତରେ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ସ୍ପଷ୍ଟ କରନ୍ତୁ ବୋଲି ରାଜ୍ୟ ବିଜେପି ଦାବି କରିଛି। ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପିକୁ କ୍ଷମତାଚ୍ୟୁତ କରାଇ କଂଗ୍ରେସ ମଧ୍ୟପ୍ରଦେଶରେ ସରକାର ଗଠନ କରିଛି। ସରକାର ଗଠନର ସ୍ୱଳ୍ପ ଦିନ ବିତିଛିକି ନାହିଁ ଦଳରେ ଏପରି କନ୍ଦଳ ଦେଖା ଦେଲାଣି। ଏହାକୁ ଯଦି ସମାଧାନ କରାନଯାଏ ଆଗାମୀ ଲୋକସଭା ନିର୍ବାଚନ ଉପରେ ଏହାର କୁପ୍ରଭାବ ପଡ଼ିବ ବୋଲି କେତେକ ରାଜନୈତିକ ବିଶ୍ଳେଷକ ମତ ଦିଅନ୍ତି।
୨୦୧୪ ଲୋକସଭା ନିର୍ବାଚନରେ ରାଜ୍ୟର ୨୯ଟି ଲୋକସଭା ଆସନରୁ ବିଜେପି ୨୬ ଓ କଂଗ୍ରେସ ମାତ୍ର ୩ଟିରେ ବିଜୟୀ ହୋଇଥିଲା। ସେତେବେଳେ ଅବଶ୍ୟ ପରିସ୍ଥିତି ଭିନ୍ନ ଥିଲା। ୟୁପିଏ କାର୍ଯ୍ୟକାଳର ଦୁଇ ଅବଧି ଭୋଟରଙ୍କୁ କଂଗ୍ରେସ ଉପରୁ ମୁହଁ ଫେରାଇ ଆଣିବାକୁ ବାଧ୍ୟ କରିଥିଲା। ଏପେଟ ତତ୍‍କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିଜେପି ପ୍ରଧାନମନ୍ତ୍ରୀ ଭାବେ ଘୋଷଣା କରିଥିଲା। ତେଣୁ ଭୋଟର ନୂଆ ମୁହଁକୁ ଖୋଜୁଥିଲେ, ଯାହା ବିଜେପି ସଠିକ୍‍ ଭାବେ ଉପସ୍ଥାପିତ କରି ପାରିଥିଲା। ସେତେବେଳେ ଦେଶରେ ମୋଦୀଙ୍କ ହାୱା ଚାଲିଥିବା ବିଜେପି ସମର୍ଥକ କହନ୍ତି। ତେବେ କେତେକ ରାଜନୀତି ବିଶ୍ଳେଷକଙ୍କ ମତ ଅନୁଯାୟୀ ମୋଦୀଙ୍କ ହାୱା ନୁହେଁ ବରଂ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ-୨ ସରକାରଙ୍କ ବିଫଳତା ଉକ୍ତ ଦଳକୁ ମାତ୍ର ୪୪ରେ ଆଣି ପହଞ୍ଚାଇ ଦେଇଥିଲା। ଏବେ ରାଜ୍ୟ ଜନମତରେ ବ୍ୟାପକ ପରିବର୍ତ୍ତନ ଘଟିଛି। ଏକଥା ନିକଟରେ ସମ୍ପନ୍ନ ହୋଇଥିବା ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଛି। କଂଗ୍ରେସ ରାଜ୍ୟରେ କ୍ଷମତାକୁ ଫେରିବା ପରେ ଦଳୀୟ କର୍ମୀଙ୍କ ମନରେ ଉତ୍ସାହ ପରିଲକ୍ଷିତ ହୋଇଛି। ତେବେ କମଳନାଥ ଓ ଦିଗ୍‍ବିଜୟଙ୍କ ମଧ୍ୟରେ ଯଦି ଏପରି ବିବାଦ ଲାଗି ରହେ ଦଳ ଉପରେ ଏହାର କୁପ୍ରଭାବ ଆଗାମୀ ଲୋକସଭା ନିର୍ବାଚନ ଉପରେ ପକାଇବ।
ସେହିପରି ବିଜେପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଷ୍କଳଙ୍କ କହୁଥିବା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଭାବମୂର୍ତ୍ତି ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ବିଧାନସଭା ନିର୍ବାଚନରେ ପରାଜିତ ହେବା ଅର୍ଥ ଲୋକସଭା ନିର୍ବାଚନରେ ମଧ୍ୟ ବିଫଳତା ଲାଭ କରିବା-ଏହା ଭାବିବା ଭୁଲ ବୋଲି ବିଜେପିର ରାଜ୍ୟ ନେତୃବୃନ୍ଦ କହୁଛନ୍ତି। ଲୋକସଭା ଓ ବିଧାନସଭା ନିର୍ବାଚନରେ ପୃଥକ୍‍ପୃଥକ୍‍ ପ୍ରସଙ୍ଗରେ ବିରୋଧୀ ପରସ୍ପରକୁ ଘେରିଥା’ନ୍ତି। କେନ୍ଦ୍ରରେ ବିଗତ ୫ବର୍ଷର ସୁଶାସନ ସଂକ୍ରାନ୍ତରେ ଭୋଟରଙ୍କୁ ଅବଗତ କରାଯିବ ବୋଲି ବିଜେପି ନେତୃବୃନ୍ଦ ପ୍ରକାଶ କରିଛନ୍ତି। ରାଜ୍ୟରେ କଂଗ୍ରେସ ପାଇଁ ଆଉ ଏକ ସୂଚନା ହେଲା ଲୋକସଭା ନିର୍ବାଚନରେ ବହୁଜନ ସମାଜବାଦୀ ପାର୍ଟି(ବିଏସପି) କଂଗ୍ରେସ ସହ ମେଣ୍ଟ କରିପାରେ। ଏହି ଦଳ ନିଜ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶରେ କଂଗ୍ରେସ ସହ ମେଣ୍ଟ କରି ନଥିବାବେଳେ ମଧ୍ୟପ୍ରଦେଶରେ କଂଗ୍ରେସ ସହ ମେଣ୍ଟ କରିପାରେ। ରାଜ୍ୟର ରାଜନୈତିକ ପାଣିପାଗରେ କେଉଁ ପ୍ରକାର ପରିବର୍ତ୍ତନ ଘଟୁଛି ତାହା ଆଗାମୀ ଦିନରେ ହିଁ ଜଣାପଡ଼ିବ।

Leave A Reply