ମାଟ୍ରିକ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗ : ୮ ଜଣ ନିଲମ୍ବିତ
କଟକ : ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟକୁ ନେଇ ବୋର୍ଡ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ୪ଟି ପରୀକ୍ଷା କେନ୍ଦ୍ରର ଇନଭିଜିଲେଟର ଓ ଅଧୀକ୍ଷକ ମୋଟ ୮ ଜଣଙ୍କୁ ନିଲମ୍ବନ କରାଯାଇଛି । ବୋର୍ଡ ସଭାପତି ଜାହାନ ଆରା ବେଗମ୍ ଏହି ସୂଚନା ଦେଇଛନ୍ତି ।
ନୂଆପଡା ଜିଲ୍ଲାର ୨ଟି, ଢ଼େଙ୍କାନାଳ ଏବଂ କୋରାପୁଟ ଜିଲ୍ଲାର ଗୋଟିଏ ଲେଖାଏଁ ପରୀକ୍ଷା କେନ୍ଦ୍ରର ୪ ଜଣ ଇନଭିଜିଲେଟର ଓ ୪ଜଣ ଅଧୀକ୍ଷକଙ୍କୁ ନିଲମ୍ବନ କରାଯାଇଛି। ଏ ନେଇ ଥାନାରେ ଏତଲା ଦିଆଯିବ ବୋଲି ବୋର୍ଡ ସଭାପତି କହିଛନ୍ତି । ନୂଆପଡା ଜିଲ୍ଲା ବୋଡେନ ବ୍ଳକର କରଙ୍ଗମାଳ ଓ ଗୋପୀନାଥ ହାଇସ୍କୁଲ, କୋରାପୁଟ ଜିଲ୍ଲାର ବନ୍ଧୁଗାଁ ହାଇସ୍କୁଲ ଏବଂ ଢ଼େଙ୍କାନାଳର ସୁଦର୍ଶନ ବିଦ୍ୟାଭବନର ଇନଭିଜିଲେଟର ଓ ଅଧୀକ୍ଷକଙ୍କୁ ନିଲମ୍ବନ କରାଯାଇଛି । ଘଟଣାରେ ସଂପୃକ୍ତ ପିଲାଙ୍କୁ ଚିହ୍ନଟ କରାଯାଇ ପରୀକ୍ଷାରୁ ବାଦ ଦିଆଯିବ ବୋଲି ବୋର୍ଡ ସଭାପତି କହିଛନ୍ତି ।
ସୂଚନା ଯୋଗ୍ୟ ଶୁକ୍ରବାରଠାରୁ ରାଜ୍ୟରେ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି। ତେବେ ପ୍ରଥମ ଦିନ ମାତୃଭାଷା ଓଡ଼ିଆ ପରୀକ୍ଷା ହୋଇଥିବା ବେଳେ ସାମାଜିକ ଗଣମାଧ୍ୟମରେ ପ୍ରଶ୍ନପତ୍ର ଭାଇରାଲ ହୋଇଛି । ବୋର୍ଡ କର୍ତ୍ତୃପକ୍ଷ ଏହାକୁ ସ୍ବୀକାର କରିବା ସହିତ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।