କାଠୁଆରେ ନାବାଳିକାକୁ ମନ୍ଦିରରେ ସପ୍ତାହେ ଲୁଚାଇ ରଖି ବଳାତ୍କାର

0

ଜାମ୍ମୁ : ଜାମ୍ମୁ-କାଶ୍ମୀର ପୁଲିସ ପକ୍ଷରୁ ଜାମ୍ମୁର କାଠୁଆ ଜିଲାରେ ଘଟିଥିବା ବହୁଚର୍ଚ୍ଚିତ ନାବାଳିକା ଗଣବଳାତ୍କାର ଓ ହତ୍ୟା ମାମଲାରେ ଅଭିଯୋଗପତ୍ର ଦାଖଲ କରାଯାଇଛି। ବଖେରୱାଲ ସମ୍ପ୍ରଦାୟର ମାତ୍ର ଆଠ ବର୍ଷର ନାବାଳିକା ଆସିଫାକୁ ଅପହରଣ ପରେ ସପ୍ତାହେ କାଳ ରାସାନା ଗ୍ରାମ୍ୟ ମନ୍ଦିରରେ ଲୁଚାଇରଖି ୬ ଜଣ ପାପ୍ରି ଗଣବଳାତ୍କାର କରିବା ପରେ ଜଘନ୍ୟ ଭାବେ ହତ୍ୟା କରିଥିବା ଏଥିରେ ସ୍ପଷ୍ଟ କରାଯାଇଛି। ଅଭିଯୁକ୍ତମାନେ ସମ୍ପୃକ୍ତ ଅଞ୍ଚଳରୁ ଏହି ସଂଖ୍ୟାଲଘୁ ଦଳିତ ସମ୍ପ୍ରଦାୟର ଲୋକଙ୍କୁ ହଟାଇବା ପାଇଁ ଯୋଜନାବଦ୍ଧ ଭାବେ ଏପରି ଘଟଣା ଘଟାଇଥିବା ୧୮ପୃଷ୍ଠାର ଅଭିଯୋଗପତ୍ରରେ ଦର୍ଶାଯାଇଛି। ଏହି ସମ୍ପ୍ରଦାୟର ଲୋକେ ଗୋହତ୍ୟା ଓ ନିଶା କାରବାରରେ ସମ୍ପୃକ୍ତ ଥିବାରୁ ସେମାନଙ୍କୁ ଅଞ୍ଚଳରୁ ହଟାଇବା ଯୋଜନା କରାଯାଇଥିଲା। ଏଥିପାଇଁ ଦଙ୍ଗା ସୃଷ୍ଟି କରିବାର ଷଡ଼ଯନ୍ତ୍ର ମଧ୍ୟ ହୋଇଥିଲା ବୋଲି ଏଥିରେ ଦର୍ଶାଯାଇଛି।
ଏହି ଘଟଣାରେ ମନ୍ଦିରର ତତ୍ତ୍ୱାବଧାରକ ସାଞ୍ଜି ରାମ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିଲା। ସ୍ଥାନୀୟ ଏସ୍‍ପିଓ(ସ୍ୱତନ୍ତ୍ର ପୁଲିସ ଅଧିକାରୀ) ଦୀପକ ଖଜୁରିଆ ଓ ସୁରେନ୍ଦ୍ର ବର୍ମା, ସେମାନଙ୍କ ସାଙ୍ଗ ପର୍ବେଶ କୁମାର, ଜଣେ ନାବଳକ ଓ ସାଞ୍ଜିର ପୁଅ ବିଶାଲ ଜଙ୍ଗୋତ୍ରା ସାମିଲ ଥିବା ଅଭିଯୋଗପତ୍ରରେ ଉଲ୍ଲେଖ ରହିଛି। କେବଳ ସେତିକି ନୁହେଁ; ସ୍ଥାନୀ ଥାନାର ହେଡ୍‍ କନ୍‍ଷ୍ଟେବଳ ତଥା ମାମଲାର ତଦନ୍ତକାରୀ ଅଧିକାରୀ ତିଳକ ରାଜ ଓ ସବ୍‍ଇନ୍ସପେକ୍ଟର ଆନନ୍ଦ ଦତ୍ତ ଘଟଣାର ପ୍ରମାଣ ନଷ୍ଟ ସହ ମାମଲାକୁ ଚପାଇ ଦେବା ପାଇଁ ୪ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଏଥିରେ ଉଲ୍ଲେଖ ରହିଛି। ସମସ୍ତ ୮ଜଣ ଅଭିଯୁକ୍ତ ସମ୍ପ୍ରତି ଗିରଫ ହୋଇ ପୁଲିସ ହାଜତରେ ଅଛନ୍ତି। ଆଶ୍ଚର୍ଯ୍ୟର ବିଷୟ ହେଉଛି, ଅଭିଯୁକ୍ତମାନଙ୍କ ସପକ୍ଷରେ ବୁଧବାର ସ୍ଥାନୀୟ ଆଇନଜୀବୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜାମ୍ମୁ-ପଠାନ୍‍କୋଟ ରାଜପଥ ଅବରୋଧ କରିଥିଲେ।
ଉଲ୍ଲେଖଯୋଗ୍ୟ ଯେ ଜଙ୍ଗଲରେ ଘୋଡ଼ା ଚରାଉଥିବାବେଳେ ନାବାଳିକାକୁ ଅପହରଣ କରାଯାଇଥିଲା ଓ ଏହାର ୬ଦିନ ପରେ ଜାନୁଆରୀ ୧୧ରେ ରାସାନା ଜଙ୍ଗଲରୁ ତାର ମୃତଦେହ ଠାବ କରାଯାଇଥିଲା। ନାବାଳକ ଅଭିଯୁକ୍ତ ଜଣକ ଏହି ଅପରାଧରେ ପ୍ରମୁଖ ଭୂମିକା ତୁଲାଇଥିଲା। ଜଙ୍ଗୋତ୍ରା ଓ ଖଜୁରିଆ ସହ ମିଶି ସେ ନାବାଳିକାକୁ ଅପହରଣ ଏବଂ ବାରମ୍ବାର ବଳାତ୍କାର କରିବା ପରେ ପଥରରେ ତାର ମୁଣ୍ଡକୁ ଛେଚି ହତ୍ୟା କରିଥିଲେ। ଘଟଣାକୁ ଲୁଚାଇବା ପାଇଁ ସେମାନେ ଅନ୍ୟମାନଙ୍କ ସହୟତା ନେଇଥିଲେ।

Leave A Reply