ମହାନଦୀ ଆନ୍ତଃରାଜ୍ୟ କମିଟି ବୈଠକ ୧୬ରେ

0

ଭୁବନେଶ୍ୱର : ଦିନକୁ ଦିନ ଝାଞ୍ଜି ଖରାରେ ମହାନଦୀର ପାଣି ଶୁଖି ଯାଉଥିବାବେଳେ ଏହାକୁ ନେଇ ଏବେ ରାଜ୍ୟ ରାଜନୀତିରେ ଉଷ୍ମତା ଭରି ଯାଇଛି। ମହାନଦୀକୁ ନେଇ କେନ୍ଦ୍ର-ରାଜ୍ୟ ଯୁଦ୍ଧ ଘନୀଭୂତ ହୋଇଛି। କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରାଳୟ ପକ୍ଷରୁ ଚଳିତମାସ ୧୬ତାରିଖରେ ଆନ୍ତଃରାଜ୍ୟ କମିଟି ବୈଠକରେ ଓଡ଼ିଶାକୁ ଡକା ଯାଇଥିବାବେଳେ କେନ୍ଦ୍ରୀୟ ଜଳ ଆୟୋଗଙ୍କ ପକ୍ଷରୁ ଆସନ୍ତା ୧୨ ତାରିଖରେ ଏକ ବୈଠକ ଡକା ଯାଇଛି। ଖରାଦିନେ ଗୋଟିଏ ସପ୍ତାହରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦୁଇଟି ପୃଥକ ବୈଠକକୁ ନେଇ ବିଭିନ୍ନ ଦଳ ପକ୍ଷରୁ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଜେଡ଼ି ଏହାକୁ କେନ୍ଦ୍ରର ଛତିଶଗଡ଼ ପ୍ରୀତି କହୁଥିବାବେଳେ ବିଜେପି ସଂଘୀୟ ବ୍ୟବସ୍ଥା ପାଳନ କରାଗଲେ ଓଡ଼ିଶାବାସୀ ଲାଭାନ୍ୱିତ ହୋଇପାରନ୍ତେ ବୋଲି କହିଛି। ୧୨ ତାରିଖ ବୈଠକ ବାତିଲ ହୋଇ ଯାଇଥିବାବେଳେ ୧୬ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତଃରାଜ୍ୟ କମିଟି ବୈଠକ କିଭଳି ମହାନଦୀ ଶୁଷ୍କତାକୁ ରୋକିପାରିବ ସେନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୂଚନା ଅନୁଯାୟୀ କେନ୍ଦ୍ର ଜଳସମ୍ପଦ ମନ୍ତ୍ରାଳୟର ଯୁଗ୍ମଶାସନ ସଚିବ ସଞ୍ଜୟ କୁଣ୍ଡୁ ଓଡ଼ିଶା ସରକାରଙ୍କୁ ବିଭିନ୍ନ ଜଳବିବାଦ ପ୍ରସଙ୍ଗର ସମାଧାନ ନେଇ ଏକ ପତ୍ର ଲେଖିଛନ୍ତି। ସେଥିରେ ଶ୍ରୀ କୁଣ୍ଡୁ ଦର୍ଶାଇଛନ୍ତି ଯେ କଲକାତା ଅଲିପୁରସ୍ଥିତ କୋଟେଲ ତାଜ୍‍ ବେଙ୍ଗଲରେ ମହାନଦୀ ଜଳବିବାଦ ସମାଧାନର ପ୍ରଥମ ଆନ୍ତଃରାଜ୍ୟ ଆଞ୍ଚଳିକ ସମ୍ମିଳନୀ ୧୬ତାରିଖରେ ହେବ। ଏଥିରେ ସାମିଲ ହେବାପାଇଁ ମହାନଦୀ ଅବବାହିକାରେ ଥିବା ଓଡ଼ିଶା ସମେତ ବିହାର, ଛତିଶଗଡ, ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗ ସରକାରଙ୍କୁ ଡକରା ଯାଇଛି। ବୈଠକରେ ଯୋଗଦେବାପାଇଁ ସବୁ ରାଜ୍ୟର ଜଳସମ୍ପଦ ମନ୍ତ୍ରୀ, ସଚିବ ଏବଂ ମୁଖ୍ୟଯନ୍ତ୍ରୀଙ୍କୁ ଯୋଗଦେବାକୁ କୁହାଯାଇଛି। ଯଦି କୌଣସି ରାଜ୍ୟ ସେମାନଙ୍କ କିଛି ମତାମତ ଦେବାର ଥାଏ ତେବେ ମନ୍ତ୍ରାଳୟକୁ ଅବଗତ କରାଇବାପାଇଁ ଶ୍ରୀ କୁଣ୍ଡୁ ଦର୍ଶାଇଛନ୍ତି। କେନ୍ଦ୍ର ପକ୍ଷରୁ ଏହି ବୈଠକ କାର୍ଯ୍ୟକ୍ରମକୁ ନେଇ କିଛିଦିନ ଧରି ଶୀତଳ ପଡି ଯାଇଥିବା ମହାନଦୀ ପ୍ରସଙ୍ଗ ପୁଣି ଥରେ ଉଷ୍ମତା ଦେଖାଦେଇଛି।
ଏସମ୍ପର୍କରେ ରାଜ୍ୟ ସଭା ସାଂସଦ ପ୍ରତାପ ଦେବ କହିଛନ୍ତି ଯେ ଛତିଶଗଡ଼ ନିର୍ବାଚନ ପାଖେଇ ଆସୁଛି, ତେଣୁ ସେଠାରେ ଦଳକୁ କିଭଳି ସହାୟତା କରିହେବ ସେଥିପାଇଁ କେନ୍ଦ୍ରର ଏହା ଏକ ନୂଆ ଷଡଯନ୍ତ୍ର। ଯେଉଁ ସମୟରେ କେନ୍ଦ୍ର ସରକାର ମହାନଦୀ ସମସ୍ୟାର ସମାଧାନ କରିବା କଥା କଲେ ନାହିଁ। ଛତିଶଗଡ଼ ସରକାରକୁ ବ୍ୟାରେଜ୍‍ ନିର୍ମାଣ କରିବାକୁ ଖୋଲା ଛାଡିଦେଲେ। ଏବେ ବିଭିନ୍ନ ଆଳରେ ବୈଠକ ଡାକିବା କେବଳ ଓଡ଼ିଶାର ସ୍ୱାର୍ଥକୁ ଜଳାଞ୍ଜଳି ଦେବା ଉଦ୍ଦେଶ୍ୟରେ ବୋଲି ଶ୍ରୀ ଦେବ କହିଛନ୍ତି। ଅନ୍ୟପକ୍ଷରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି ଯେ ମହାନଦୀ ପ୍ରସଙ୍ଗ ଏବେ ଟ୍ରାଇବୁନାଲ ଅଧୀନସ୍ଥ। ଏହାବାଦ୍‍ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯେଉଁ ଆନ୍ତଃରାଜ୍ୟ କମିଟି ବୈଠକ ଡକା ଯାଇଛି ତାହା କୌଣସି ସୁଫଳ ଦେବନାହିଁ। ତଥାପି ରାଜ୍ୟ ସରକାର ବୈଠକରେ ଯୋଗଦେଇ
ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ଲଢ଼ିବା ଦରକାର ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।
ସେହିପରି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି ଯେ ସଂଘୀୟ ବିଧିବ୍ୟବସ୍ଥା ଅନୁଯାୟୀ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜଳବିବାଦ ସମାଧାନ ନେଇ ଯେଉଁ ବୈଠକ ଆହୁତ ହୋଇଛି ତାହାଦ୍ୱାରା ଓଡ଼ିଶାବାସୀ ଲାଭାନ୍ୱିତ ହୋଇପାରିବେ। ମାତ୍ର ଏଦିଗରେ ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟ କରା ନଯାଇ ବିଜେଡ଼ି ମତ ରଖିବା ଠିକ୍‍ ନୁହେଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

Leave A Reply