ଉନ୍ନାଓ ବଳାତ୍କାର ମାମଲା : ଏନ୍‌ଏଚ୍‌ଆରସିଙ୍କ ୨୪ଘଣ୍ଟିଆ ରିପୋର୍ଟ ତଲବ

0

ଉନ୍ନାଓ : ଉତ୍ତରପ୍ରଦେଶର ରାଜନୈତିକ ମହଲରେ ଉନ୍ନାଓ ବଳାତ୍କାର ମାମଲା ଝଡ଼ ସୃଷ୍ଟି କରିଥିବାବେଳେ ଏହାର ତଦନ୍ତ ନିମନ୍ତେ ପୁଲିସ ପକ୍ଷରୁ ମଙ୍ଗଳବାର ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ଗଠନ କରାଯାଇଛି। କୌଣସି ଅଭିଯୁକ୍ତଙ୍କୁ ବର୍ତ୍ତିବାକୁ ଦିଆଯିବ ନାହିଁ; ବିଧାୟକଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କୁ ଜେରା କରାଯିବ ବୋଲି ଉତ୍ତରପ୍ରଦେଶ ପୁଲିସ ଏଡିଜି ଆନନ୍ଦ କୁମାର କହିଛନ୍ତି। ମାତ୍ର ପୁଲିସ ସରକାରୀ କାଗଜପତ୍ରରେ ଅଭିଯୁକ୍ତ ବିଧାୟକଙ୍କ ନାମ ଉଲ୍ଲେଖ କରୁ ନ ଥିବା ପୀଡ଼ିତା ଅଭିଯୋଗ କରିଛନ୍ତି। ଏଣୁ ଘଟଣାର ସିବିଆଇ ତଦନ୍ତ କରିବାକୁ ପୀଡ଼ିତା ଏବଂ ତାଙ୍କ ପରିବାର ଲୋକେ କହିଛନ୍ତି। ସିବିଆଇ ତଦନ୍ତ ତଥା ପୀଡ଼ିତାଙ୍କୁ କ୍ଷତିପୂରଣ ପ୍ରଦାନ ଦାବିରେ ଏଲ୍‌. ଏମ୍‌ ଶର୍ମା ନାମକ ଜଣେ ବ୍ୟକ୍ତି ସୁପ୍ରିମକୋର୍ଟରେ ଏକ ଜନହିତକର ମାମଲା ରୁଜୁ କରିଛନ୍ତି। ମାମଲାଟି ଗତ ଜୁନ୍‌ ମାସର ହୋଇଥିବାବେଳେ ଅଭିଯୋଗ ଉପରେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଅନ୍ୟପଟେ ପୀଡ଼ିତାଙ୍କ ପିତାଙ୍କୁ ନିସ୍ତୁକ ମାଡ଼ ମରାଯାଇଛି; ଯାହାର ୫ ଦିନ ପରେ ହାଜତରେ ତାଙ୍କର ମୃତ୍ୟୁ ଘଟିଛି। ଏ ଦୃଷ୍ଟିରୁ ଏହି ମାମଲାର ସିବିଆଇ ତଦନ୍ତ ହେବା ଉଚିତ ବୋଲି ଉକ୍ତ ଜନସ୍ୱାର୍ଥ ମାମଲାରେ ଦର୍ଶାଯାଇଛି।
ଏହାଛଡ଼ା ପୀଡ଼ିତାଙ୍କ ବାପା ପପୁ ସିଂହଙ୍କ ହାଜତ ମୃତ୍ୟୁ ଘଟଣାରେ ଉତ୍ତରପ୍ରଦେଶ ସରକାରଙ୍କୁ ଜାତୀୟ ମାନବାଧିକାର ଆୟୋଗ (ଏନ୍‌ଏଚ୍‌ଆରସି) ନୋଟିସ ଜାରି କରିଛନ୍ତି। କେଉଁ ପରିସ୍ଥିତିରେ ହାଜତରେ ପପୁଙ୍କ ମୃତ୍ୟୁ ହେଲା ଏବଂ ପୀଡ଼ିତାଙ୍କ ଏତଲାକୁ କାହିଁକି ପୁଲିସ ଗୁରୁତ୍ୱ ଦେଇ ନଥିଲା; ସେ ସମ୍ପର୍କରେ ରିପୋର୍ଟ ମଗାଯାଇଛି। ରାଜ୍ୟ ମୁଖ୍ୟ ସଚିବ ଓ ଡିଜି ୨୪ ଘଣ୍ଟା ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନୋଟିସରେ କୁହାଯାଇଛି। ମୃତକଙ୍କ ସ୍ୱାସ୍ଥ୍ୟ ସଂକ୍ରାନ୍ତ ରିପୋର୍ଟ ମଧ୍ୟ ଏନ୍‌ଏଚ୍‌ଆରସି ତଲବ କରିଛନ୍ତି। ସମ୍ପୂର୍ଣ୍ଣ ଘଟଣାର ତଦନ୍ତକୁ ତ୍ୱରାନ୍ୱିତ କରିବା ସହ ପୀଡ଼ିତାଙ୍କ ପରିବାରକୁ ଯେମତି କୌଣସି ମତେ ହଇରାଣ ହରକତ କରା ନଯାଏ ସେଥିପ୍ରତି ଧ୍ୟାନ ଦେବାକୁ ଆୟୋଗ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି।

Leave A Reply