କିଲିମାଞ୍ଜୋରୋ ପର୍ବତ ଆରୋହଣ କରିବେ ସୌଭାଗ୍ୟ ଓ ସାଗରିକା

ଡେସ୍କ: ଓଡ଼ିଶାର ସୌଭାଗ୍ୟ ରଥ ଏବଂ ଡଃ ସାଗରିକା ମିଶ୍ର ଆଫ୍ରିକାର ସର୍ବୋଚ୍ଚ ଶୃଙ୍ଗ କିଲିମାଞ୍ଜୋରୋ ଆରୋହଣ ପାଇଁ ବାହାରିଛନ୍ତି। ବିଶ୍ବର ସବୁଠାରୁ ଉଚ୍ଚ ଆଗ୍ନେୟଗରି ଭାବେ ଜଣାଶୁଣା କିଲିମଞ୍ଜାରୋ ପର୍ବତର ଉଚ୍ଚତା ୧୯ ହଜାର ୩୪୧ ଫୁଟ (୫,୮୯୫ ମିଟର)। କିଲିମଞ୍ଜାରୋ ମାଉଣ୍ଟ ଏବଂ ମାଉଣ୍ଟ ଏଭରେଷ୍ଟ ମଧ୍ୟରେ ପାଖାପାଖି ୧୦ ହଜାର ଫୁଟର ପାର୍ଥକ୍ୟ ରହିଛି।

ଆଇରନ୍ ମ୍ୟାନ ଭାବେ ପରିଚିତ ସୌଭାଗ୍ୟ ମୋସି ଠାରେ କିଲିମାଞୋରୋ ଆନ୍ତର୍ଜାତିକ ମାରାଥନରେ ମଧ୍ୟ ଭାଗ ନେବେ ବୋଲି ଜଣାପଡିଛି। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଟ୍ରାନ୍ସମିଶନ ଏକଜିକ୍ୟୁଟିଭ ଭାବେ କାର୍ଯ୍ୟରତ ସୌଭାଗ୍ୟ ଆଫ୍ରିକାର ସର୍ବୋଚ୍ଚ ପର୍ବତ ମାଉଣ୍ଟ କିଲିମଞ୍ଜାରୋ ଅଭିମୁଖେ ଯାତ୍ରା କରିବା ପୂର୍ବରୁ ଆକାଶବାଣୀର ମହାନିର୍ଦ୍ଦେଶକ ଡକ୍ଟର ପ୍ରଜ୍ଞା ପାଲିଓ୍ଵାଲ ଗୌର ଓ ପ୍ରସାର ଭାରତୀର ସିଇଓ ଗୌରବ ଦ୍ୱିବେଦୀଙ୍କୁ ସାକ୍ଷାତ କରିଥିଲେ।

୧୯୮୯ ମସିହାରେ ନୟାଗଡ଼ରେ ଜନ୍ମ ଗ୍ରହଣ କରିଥିବା ସୌଭାଗ୍ୟ ୨୦୧୯ରେ ଜର୍ମାନୀର ହାମ୍ବର୍ଗରେ ୩.୮ କିଲୋମିଟର ସନ୍ତରଣ, ୧୮୦ କିଲୋମିଟର ସାଇକେଲ ଯାତ୍ରା ଏବଂ ୪୨.୨ କିଲୋମିଟର ଦୌଡ଼ ଶେଷ କରି ଓଡ଼ିଶାର ତୃତୀୟ ଆଇରନ୍ ମ୍ୟାନ୍ ଟ୍ରାଏଥଲେଟ୍ ହୋଇଥିଲେ। ନିର୍ଦ୍ଧାରିତ ସମୟ ୧୫:୫୦ ଥିବା ବେଳେ ସେ ୧୫:୨୭:୫୯ରେ ସଫଳତାର ସହ ଶେଷ କରିଥିଲେ।

ଓଡ଼ିଶାର ପ୍ରଥମ ବିବାହିତ ଯୋଡ଼ି ଭାବେ ‘ମାଉଣ୍ଟ କିଲିମାଞ୍ଜାରୋ’ ଶିଖରରେ ପାଦ ଥାପିବାକୁ ଲକ୍ଷ୍ୟ ରଖିଛନ୍ତି ସୌଭାଗ୍ୟ କୁମାର ରଥ ଓ ଡ. ସାଗରିକା ରଥ। ପାହାଡ଼ ଚଢ଼ା ତଥା ଦୁଃସାହସିକ ଅଭିଯାନରେ ଉଭୟ ସୌଭାଗ୍ୟ ଓ ସାଗରିକାଙ୍କର ଦୀର୍ଘ ବର୍ଷର ଅଭିଜ୍ଞତା ରହିଛି। ସୌଭାଗ୍ୟ ପୂର୍ବରୁ ୟୁରୋପ ମହାଦେଶର ସର୍ବୋଚ୍ଚ ଗିରିଶୃଙ୍ଗ ମାଉଣ୍ଟ୍ ଅଲବ୍ରସ୍ ଆରୋହଣ କରି ସାରିଛନ୍ତି। ସାଗରିକା ପ୍ରାଣୀ ଚିକିତ୍ସକ ଭାବେ ସମ୍ବଲପୁର ଜିଲ୍ଲା ରେଙ୍ଗାଳୀ ବ୍ଲକ୍‌ରେ କାର୍ଯ୍ୟ କରୁଛନ୍ତି। ଉଭୟ ଗତକାଲି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ ତାଞ୍ଜାନିଆ ଅଭିମୁଖେ ଯାତ୍ରା କରିଛନ୍ତି।

Comments are closed.