ଗଧ ବେକରେ ହୀରା

ଭୁବନେଶ୍ବର : ଏ ମଣିଷ ଜୀବନ ପାଇବା କାହିଁ କେତେ ଜନ୍ମ ତପସ୍ୟାର ଫଳ। ଏ ମଣିଷ ଶରୀର ଏକ ଅମୂଲ୍ୟ ରତ୍ନଟ୍ଟ କିନ୍ତୁ ଆମେମାନେ ସେହି ଅମୂଲ୍ୟ ରତ୍ନଟିକୁ ଏ ଜନ୍ମରେ ଚିହ୍ନି ପାରୁନାହୁଁ।

ଜଣେ କୁମ୍ଭାର ଥିଲା। ହାଣ୍ଡି ତିଆରି କରିବା ପାଇଁ ମାଟି ଖୋଳି ନିଜ ଗଧ ପିଠି ଉପରେ ଲଦି ସେ ଯାଉଥିଲା। ରାସ୍ତାରେ ବଡ଼ ହୀରା ପଥରଟିଏ ପଡ଼ିଥିଲା। କୁମ୍ଭାର ତଳୁ ଗୋଟାଇ ଆଣିଲା। ଖୁବ୍‌‌ ସୁନ୍ଦର ହୀରା। ଅମୂଲ୍ୟ ପଥରଟ୍ଟ କିନ୍ତୁ କୁମ୍ଭାର ତ ହୀରା ପଥର ଚିହ୍ନି ନଥିଲା। କୁମ୍ଭାରର ସମ୍ପର୍କ ସମଗ୍ର ଜୀବନ କେବଳ ମାଟି ସହ। ମାଟି ହିଁ ତା’ର ବନ୍ଧୁ। ମାଟି ହିଁ ତା’ର ଭାଷା। ତେଣୁ ପ୍ରଥମେ ସେ ହୀରା ପଥରକୁ ଅଦରକାରୀ ପଥର ଖଣ୍ଡେ ଭାବି ଫୋପାଡ଼ି ଦେଲା। ହେଲେ ଦେଖିଲା ସୂର‌୍ୟ୍ୟଙ୍କ କିରଣରେ ସେଇଟା ଝଲମଲ କଲା। ଭାବିଲା ଚକଚକ୍‌‌ ପଥର ଖଣ୍ଡକୁ ନିଜର ପ୍ରାଣ ପ୍ରିୟ ଗଧ ବେକରେ ଝୁଲେଇ ଦେଲେ ତା’ ବେକ ସୁନ୍ଦର ଦିଶିବ। ସେୟା ହିଁ କଲା। ଗଧ ବେକରେ ଝୁଲେଇ କୁମ୍ଭାର ଆନନ୍ଦରେ ଆଗେଇ ଚାଲିଲା। ରାସ୍ତାରେ ଜହୁରୀଟିଏ ଯାଉଥିଲା। ସେ ଗଧବେକରେ ହୀରା ପଥରକୁ ଦେଖିଦେଲା। ଆଶ୍ଚର‌୍ୟ୍ୟରେ ଆଖି ତା’ର ଝଲସି ଉଠିଲା। ଜୀବନରେ ଏଡ଼େ ବଡ଼ ହୀରା ସେ ଏହା ଆଗରୁ କେବେ ବି ଦେଖିନଥିଲା। ତା’ ପୁଣି ଗଧ ବେକରେ ? କଥା ତ ସ୍ପଷ୍ଟ ହୋଇଗଲା। ଜହୁରୀ ଜାଣିଗଲା ଯେ, କୁମ୍ଭାର ମୂର୍ଖ। ସେ ପଥର ଅମୂଲ୍ୟ ହୀରା ବୋଲି ତାକୁ ମାଲୁମ ନାହିଁ। ଜହୁରୀ କୁମ୍ଭାର ପାଖକୁ ଆସି ତାକୁ ପଚାରିଲା – ଏ ପଥର ଖଣ୍ଡକୁ କେତେ ପଇସାରେ ମୋତେ ବିକି ପାରିବୁ ? କୁମ୍ଭାର ବି ଆଶ୍ଚର‌୍ୟ୍ୟ। ଗଧ ବେକରେ ଝୁଲୁଥିବା ସାମାନ୍ୟ ଏକ ପଥରଖଣ୍ଡକୁ କିଣିବାକୁ ଗ୍ରାହକଟିଏ ଯେ ମିଳିଯିବ ଏ କଥା କୁମ୍ଭାର ସ୍ୱପ୍ନରେ ସୁଦ୍ଧା ଭାବି ପାରି ନଥିଲା। କୁମ୍ଭାର କହିଲା – ଠିକ୍‌‌ ଅଛି ଭାଇ, ଯଦି ତୁମ ମନକୁ ଏ ପଥରଖଣ୍ଡିକ ପାଇଛି, ତେବେ ପାଞ୍ଚ ଟଙ୍କା ଦେଇ ତୁମେ କିଣି ନେଇପାର। ସେହି ଗୋଟିଏ ଟଙ୍କା ମଧ୍ୟ କୁମ୍ଭାର, ବହୁତ ସାହସ କରି କହିଥିଲା। ପାଞ୍ଚ ଟଙ୍କା ତ ତା’ ପାଇଁ ସାରାଦିନ ପରିଶ୍ରମର ଫଳ। ପଥର ଉପରେ ଜହୁରୀର ଲୋଲୁପ ଦୃଷ୍ଟି ଦେଖି କୁମ୍ଭାର ବଡ଼ ସାହସର ସହ ମାଗିଦେଲା ପାଞ୍ଚ ଟଙ୍କା। ହେଲେ ଜହୁରୀ ବିରକ୍ତିର ଅଭିନୟ କରି କହିଲା – କ’ଣ କହିଲୁ ପଥର ଖଣ୍ଡିଏର ମୂଲ୍ୟ ପାଞ୍ଚ ଟଙ୍କା ? ଏକ ଟଙ୍କାରେ ଦେବୁ ଯଦି ଦେ, ନହେଲେ ନାହିଁ।

ଲୋଭର କୌଣସି ସୀମା ନାହିଁ। ଲକ୍ଷାଧିକ ଟଙ୍କାର ହୀରା। ହେଲେ ପାଞ୍ଚ ଟଙ୍କାରେ ବି କିଣିବାକୁ ଜହୁରୀର ଲୋଭ ହେଲା। ଭାବିଲା କୁମ୍ଭାର ପାଇଁ ଏକ ଟଙ୍କା ବହୁତ। କିନ୍ତୁ କୁମ୍ଭାର ରୋକଠୋକ୍‌‌ କହିଦେଲା- ଏକ ଟଙ୍କାରେ ଆଦୌ ବିକିବି ନାହିଁ। ତା’ଠାରୁ ଭଲ ମୋ ଗଧ ବେକରେ ଝୁଲିବା। ଘରକୁ ଗଲେ ମୋ ପିଲାମାନେ ସେହି ପଥରରେ ଖେଳିବେ। ଏକ ଟଙ୍କାରେ ଦେବିନାହିଁ। ଜହୁରୀ କହିଲା- ଠିକ୍‌‌ ଅଛି। ଦୁଇ ଟଙ୍କାରେ ମୋତେ ଦେଇଦେ। କୁମ୍ଭାର ତେବେ ବି ରାଜି ନହେବାର ଦେଖି ଜହୁରୀ ଜାଣିଶୁଣି ଆଠ ଦଶ ହାତ ଆଗକୁ ଚାଲିଗଲା। ଭାବିଲା ପଛରୁ କୁମ୍ଭାର ତାକୁ ଡାକିବ। ହେଲେ କୁମ୍ଭାର ଦୁଇ ଟଙ୍କାରେ ମଧ୍ୟ ବିକିବାକୁ ପ୍ରସ୍ତୁତ ନଥିଲା। ସେ ମଧ୍ୟ ତା’ ରାସ୍ତାରେ ଚାଲିଲା। କିଛି ସମୟରେ ପରେ ଜହୁରୀ ଭାବିଲା କୁମ୍ଭାର ତ ତାକୁ ପଛରୁ ଡାକିଲା ନାହିଁ। ଛାଡ଼ ସେହି ପାଞ୍ଚ ଟଙ୍କାରେ ଯାଉଛି କିଣି ଆଣିବି। ଏହା ଠିକ୍‌‌ କରି ସେ ଯେତେବେଳେ ଆସି କୁମ୍ଭାର ପାଖରେ ପହଞ୍ଚିଲା, ସେତେବେଳକୁ ସଉଦା କିଣାବିକା ସରି ଯାଇଥିଲା। ଆଉ ଜଣେ କେହି ଜହୁରୀ କୁମ୍ଭାରଠାରୁ ସେହି ହୀରା ପଥରକୁ ପାଞ୍ଚ ଟଙ୍କା ଦେଇ କିଣି ନେଇ ଯାଇଥିଲା। ଏ କଥା ଶୁଣିବା ମାତ୍ରେ ହିଁ ଛାତି ପିଟିଦେଲା ପ୍ରଥମ ଜହୁରୀ। କୁମ୍ଭାରକୁ କହିଲା – ଆରେ ମୂର୍ଖ, ମହାମୂର୍ଖ ! ଲକ୍ଷ ଟଙ୍କାର ହୀରାକୁ ମାତ୍ର ପାଞ୍ଚ ଟଙ୍କାରେ ବିକିଦେଲୁ? କୁମ୍ଭାର ହସିକରି କହିଲା – ମୁଁ ତ ମୂର୍ଖ ତା’ ସମସ୍ତେ ଜାଣନ୍ତି। କିନ୍ତୁ ତୁମେ ତ ପଣ୍ଡିତ ହୋଇ ଲକ୍ଷ ଟଙ୍କାର ହୀରାକୁ ପାଞ୍ଚ ଟଙ୍କାରେ ମଧ୍ୟ କିଣି ପାରିଲ ନାହିଁ। ମୁଁ ତ ମୂର୍ଖ। ସେଇଟା ହୀରା ବୋଲି ମୋତେ ଜଣାନଥିଲାଟ୍ଟ କିନ୍ତୁ ତୁମକୁ ତ ଜଣାଥିଲା ? ତୁମେ କଲ କ’ଣ ? ତେଣୁ ତୁମର ମୂର୍ଖତା ମୋ ମୂର୍ଖାମି ଠାରୁ ଆହୁରି ଅଧିକ ନୁହେଁ କି ?

ଆମ୍ଭେମାନେ ପ୍ରତ୍ୟେକ ଏଇମିତି। କୁମ୍ଭାର ପରି। ଜହୁରୀ ପରି। କୁମ୍ଭାର ପରି ଏ ଅମୂଲ୍ୟ ମଣିଷ ଜୀବନକୁ ଠିକ୍‌‌ ଭାବେ ଚିହ୍ନି ପାରୁନାହୁଁ। ଆଉ ଜହୁରୀ ପରି ଯିଏ କିଏ ବା ଚିହ୍ନିବାକୁ ଚେଷ୍ଟା କରୁଛି, ତେବେ ଠିକ୍‌‌ ମୂଲ୍ୟାଙ୍କନ କରି ପାରୁ ନାହିଁ। ଆଉ ଫଳରେ ଏ ମହାର୍ଘ ଜୀବନ ବୃଥାରେ ନଷ୍ଟ ହୋଇଯାଉଛି। ସମଗ୍ର ଜୀବନ ବୃଥା ପ୍ରତିଯୋଗିତା ପଛରେ ଧାଇଁ ଧାଇଁ ଶେଷ ହୋଇଯାଉଛି। ଧନ ଠୁଳ କରିବାର ପ୍ରତିଯୋଗିତା, ଜ୍ଞାନ ଠୁଳ କରିବାର ପ୍ରତିଯୋଗିତା। ଅହଙ୍କାରର ପ୍ରତିଯୋଗିତା। କାହାରିକୁ ଯଦି ପଚାରିବ ଆରେ ଭାଇ, ସମୟ କିପରି ବିତୁଛି ? ସେ କହିବ – ହଁ, ଜୀବନ ଯାହିତାହି ଭାବରେ କଟିଯାଉଛି। କିଏ ତାସ ଖେଳି, କିଏ ମଦ ପିଇ, କିଏ ସିନେମା ଦେଖି, କିଏ ହୋଟେଲ ଯାଇ, କିଏ ନାରୀ ପଛରେ, କିଏ କ୍ଲବରେ ଯାହିତାହି ଭାବରେ କଟିଯାଉଛି। ବାସ୍ତବରେ ସମୟ ବିତୁନି ଜୀବନ ଖଣ୍ଡ ବିଖଣ୍ଡିତ ହେବାରେ ଲାଗିଛି। ହଁ ସାଧାରଣ ମଣିଷ ତ କୁମ୍ଭାର ପରି ଯାହାକୁ ହୀରା ଚିହ୍ନି ଆସେ ନାହିଁ ବୋଲି ତ ଗଧ ବେକରେ ଝୁଲାଇଦିଏ। ହେଲେ ସେହି ସବୁ ପଣ୍ଡିତମାନେ ? ଜ୍ଞାନୀମାନେ କ’ଣ କରନ୍ତି ? ଯେଉଁମାନେ ଖୁବ୍‌‌ ଲମ୍ବା ଚଉଡ଼ା ପ୍ରବଚନ ଦେଇ ଜାଣନ୍ତି। ମୋଟା ମୋଟା ଗ୍ରନ୍ଥ ରଚନା କରି ଜାଣନ୍ତି। ଜୀବନ ଧର୍ମ ସମ୍ପର୍କରେ ବହୁତ କିଛି ପାଣ୍ଡିତ୍ୟ ଦେଖେଇ ଜାଣନ୍ତି ? ଏଠାରେ ଜ୍ଞାନୀ ଆଉ ଅଜ୍ଞାନ ଭିତରେ କୌଣସି ମୌଳିକ ତଫାତ ନାହିଁ। ପ୍ରତ୍ୟେକ ସମୟ କାଟୁଛନ୍ତି। ସନ୍ଥକବି ସୁନ୍ଦରଦାସ ବାରମ୍ବାର କହିଛନ୍ତି – ଏ ମଣିଷ ଶରୀର ବଡ଼ ସୁନ୍ଦର ଆଉ ଅମୂଲ୍ୟ। ତୁମେ ବର୍ତ୍ତମାନ ହୁଏତ ବୁଝିପାରୁନାହଁ। ଏହାକୁ ନଷ୍ଟ କର ନାହିଁ। ମୁଁ ମଧ୍ୟ ତୁମମାନଙ୍କ ପରି ଦିନେ ଥିଲି। ଏଇମିତି କେତେ କେତେ ଜନ୍ମ ଜୀବନ କୁମ୍ଭାର ହୀରା ହଜାଇ ଦେଲା ପରି ହଜେଇ ଦେଇଛି। ହେଲେ ତୁମେମାନେ ଏପରି କରନାହିଁ। ଏ ଅମୂଲ୍ୟ ଜୀବନକୁ ଅକାରଣରେ ହଜେଇ ଦିଅନାହିଁ। ତୁମ ଭିତରେ ଜାଗରଣ ହେଉ। ସମସ୍ର ସୂର‌୍ୟ୍ୟାଲୋକରେ ତୁମ ଅନ୍ଧକାର ଦୂର ହେଉ। ତୁମ ଭିତରେ ଏଭଳି ଅମୃତର ଧାରା ପ୍ରବାହିତ ହେଉ, ଯାହା ସାମ୍ନାରେ ମୃତ୍ୟୁ ମଧ୍ୟ ଭୟ ପାଇବ। ଏ ଜୀବନ ଧନ୍ୟ ହେବ। ଶାଶ୍ୱତ ସହ ସଂଯୋଗ ହୋଇ ନିର୍ବାଣର ଗୁଞ୍ଜରଣ ସୃଷ୍ଟି ହେଉ ଏହି ଜୀବନରେ।

ବିବୁଧରଞ୍ଜନ
ତଳମାଳିସାହି, ପୁରୀ

Comments are closed.