ସ୍କୁଲ ଓ ଗଣଶିକ୍ଷା ବିଭାଗର ଅଜବ ନୀତି, ଚାଲୁଥିବା ସ୍କୁଲକୁ ବନ୍ଦ ନିର୍ଦେଶ

ଉତ୍ତର ଭୁବନେଶ୍ୱର : ଶ୍ରେଣୀଗୃହରେ ତାଲା ପଡ଼ିଥିବାବେଳେ ସପ୍ତାହେ ହେଲା ବାରଣ୍ଡାରେ ବସୁଛନ୍ତି ଛାତ୍ରଛାତ୍ରୀ। ପୂର୍ବରୁ କୌଣସି ସୂଚନା ନ ଥିବାରୁ ଏହି ପିଲାମାନେ ଅନ୍ୟ କେଉଁଠି ନାମଲେଖାଇ ନଥିବାବେଳେ ବିଦ୍ୟାଳୟକୁ ପୂର୍ବପରି ଆସୁଛନ୍ତିଟ୍ଟ କିନ୍ତୁ ନା ଶ୍ରେଣୀଗୃହରେ ବସି ଶିକ୍ଷାଲାଭ କରିପାରୁଛନ୍ତି ନା ମଧ୍ୟାହ୍ନଭୋଜନ ପାଉଛନ୍ତି। ଏପରି ଚିତ୍ର କୌଣସି ଉପାନ୍ତ ଅଞ୍ଚଳର ନୁହେଁ। ରାଜଧାନୀରେ ଥିବା ରେଲୱେ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ବିଦ୍ୟାଳୟର ଷଷ୍ଠ ଓ ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକ ଏବେ କ’ଣ କରିବେ କିଛି ବୁଝି ପାରୁନାହାନ୍ତି।

ପୂର୍ବ ସରକାର ଛାତ୍ରଛାତ୍ରୀ ସଂଖ୍ୟା କମ୍‌ ଥିବା ସ୍କୁଲଗୁଡିକୁ ବନ୍ଦ କରିଦେଇଥିଲେ। ବର୍ତ୍ତମାନର ସରକାର ପୁଣିଥରେ ବନ୍ଦ ଥିବା ସ୍କୁଲଗୁଡିକୁ ଖୋଲିବା ପାଇଁ ଘୋଷଣା କରିଛନ୍ତି। ଏପରିସ୍ଥଳେ ଚାଲୁଥିବା ସ୍କୁଲକୁ ବନ୍ଦ କରାଯିବା ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି ଆସିବା ପରେ  ଛାତ୍ରଛାତ୍ରୀ ଓ ଅଭିଭାବକ ହରଡ଼ଘଣାରେ ପଡ଼ିଛନ୍ତି। ଛାତ୍ରଛାତ୍ରୀଙ୍କୁ ଶ୍ରେଣୀ ଗୃହ ଭିତରକୁ ନ ଛାଡ଼ିବା ପାଇଁ କକ୍ଷରେ ତାଲା ପକାଯାଇଥିବାରୁ ନିରୁପାୟ ହୋଇ ସେମାନେ ବାରଣ୍ଡାରେ ବସିବାର ଦୃଶ୍ୟ ଅଭିଭାବକଙ୍କୁ ବ୍ୟଥିତ କରିଛି। ଏହାସହିତ ମଧ୍ୟାହ୍ନ ଭୋଜନରୁ ବାଦ ଦିଆଯାଇଥିବା ବେଳେ ସ୍କୁଲରେ ନାମଲେଖା ବନ୍ଦ କରିବାକୁ ମଧ୍ୟ ନିର୍ଦେଶ ରହିଛି।

ସୂଚନା ଅନୁସାରେ ୧୯୯୧ ମସିହାରେ ଏହି ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିବାବେଳେ ୧୯୯୪ ମସିହାରେ ସରକାରୀ ଅନୁଦାନପ୍ରାପ୍ତ ହୋଇଥିଲା। ନିରନ୍ତର ଭାବେ ଏହି ସ୍କୁଲଟି ଚାଲି ଆସିଥିବା ବେଳେ ଏଠାରେ ପ୍ରଥମରୁ ସପ୍ତମ ପର‌୍ୟ୍ୟନ୍ତ ଶ୍ରେଣୀ ରହିଛି। ଷଷ୍ଠ ଓ ସପ୍ତମ ଶ୍ରେଣୀରେ ଗତ ଶିକ୍ଷା ବର୍ଷରେ ୧୩୦ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରିଥିବା ବେଳେ ସେମାନଙ୍କ ଆବଶ୍ୟକତା ଅନୁସାରେ ଏଠାରେ ମାତ୍ର ୨ଜଣ ଶିକ୍ଷକ ଥିବା ଜଣାପଡିଛି। ଏଭଳି ସ୍ଥିତିରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍କୁଲଟିକୁ ବନ୍ଦ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ  ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଯିବା ପାଇଁ ଯୋଜନା କରାଯାଇଛି।  ଗତ ୧ ତାରିଖରୁ ଏଭଳି ନିର୍ଦେଶ ବ୍ଲକ ଶିକ୍ଷାଧିକାରୀ ଓ ଜିଲା ଶିକ୍ଷାଧିକାରୀ ସ୍କୁଲ ଶିକ୍ଷକଙ୍କୁ ଜଣାଇବା ପରେ ଚିଠି ପଢି ସମସ୍ତେ ହତବାକ ହୋଇ ପଡ଼ିଛନ୍ତି। ଏହି ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ଏବଂ ଷଷ୍ଠରେ ପଢି ଆସିଥିବା ଓ ବର୍ତ୍ତମାନ ସପ୍ତମକୁ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ବୋଲି ସେମାନେ କହିଛନ୍ତି। ଛାତ୍ରଛାତ୍ରୀଙ୍କ କହିବା କଥା ଅନ୍ୟ କୌଣସି ସ୍ଥାନରେ ଅର୍ଥାତ ୩ କିଲୋମିଟର ପରିସୀମା ଭିତରେ ସେମାନଙ୍କ ନାଁ ଲେଖାଇ ଦିଆଗଲେ ସେଠାରେ ପାଠ ପଢିବେଟ୍ଟ କିନ୍ତୁ ଯେକୌଣସି ସ୍କୁଲକୁ ଯିବାକୁ ହେଲେ ୩କିଲୋମିଟରରୁ ଅଧିକ ହୋଇଥିବା ବେଳେ ସେଠାରେ ସିଟ ନଥିବା କହି ଫେରାଇ ଦେଉଛନ୍ତି। ଏବେ ସେମାନେ କରିବେ କ’ଣ ବୋଲି ପ୍ରଶ୍ନ କରିଛନ୍ତି।

ଅଭିଭାବକ ଏନେଇ ଚିନ୍ତାରେ ଥିବାବେଳେ ଗତ ସପ୍ତାହ ହେଲା ପିଲାମାନେ ଶ୍ରେଣୀ ଗୃହ ଭିତରକୁ ଯାଇ ନ ପାରି ବାରଣ୍ଡାରେ ବସିଥିବା ଓ ସେମାନଙ୍କୁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥାରୁ ବାଦ ଦିଆଯାଇଥିବା ଅତ୍ୟନ୍ତ ଦୁଃଖଦାୟକ ବୋଲି କହିଛନ୍ତି। ବିଦ୍ୟାଳୟର ଛାତ୍ରଛାତ୍ରୀ, ସ୍ଥାନୀୟ ବସ୍ତିବାସିନ୍ଦା, ମୂଲିଆ, ଖଟିଖିଆ ଗରିବ ପରିବାରର ହୋଇଥିବାରୁ ଏମାନଙ୍କୁ କିଏ ନ୍ୟାୟ ଦେବ ବୋଲି ଅଭିଭାବକ ପ୍ରଶ୍ନ କରିଛନ୍ତି। ସ୍ଥାନୀୟ ବିଧାୟକ ସୁଶାନ୍ତ କୁମାର ରାଉତଙ୍କୁ କିଛି ଅଭିଭାବକ ଭେଟି ଅଭିଯୋଗ କରିଥିବା ବେଳେ ସେ କହିଛନ୍ତି ଯେ, ସରକାର ଏଭଳି ଏକ ପୁରାତନ ସ୍କୁଲ ତଥା ୧୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନଦେଖି କାହିଁକି ବନ୍ଦ କରୁଛନ୍ତି ଏବଂ ଯେମିତି ପୂର୍ବରୁ ଚାଲିଥିଲା ସେପରି ଚାଲିବା ପାଇଁ ଶିକ୍ଷା ବିଭାଗକୁ ସେ ଚିଠି ଲେଖିଥିବା କହିଛନ୍ତି। ଏ ସଂକ୍ରାନ୍ତରେ ବ୍ଲକ ଶିକ୍ଷାଧିକାରୀ ଓ ଜିଲା ଶିକ୍ଷାଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ବି ସମ୍ଭବ ହୋଇ ପାରିନାହିଁ। ବର୍ତ୍ତମାନ ପିଲାମାନଙ୍କ ଭବିଷ୍ୟତ କିପରି ହେବ ତାହାର ଉତ୍ତର କାହାରି ପାଖରେ ନଥିବା ବେଳେ ପୂର୍ବତନ ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ବେରା କହିଛନ୍ତି ଯେ, ସରକାର ଏଭଳି ନିଷ୍ପତ୍ତିକୁ ବଦଳାଇ ଏହାକୁ ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭାବେ ଚଲାଇଲେ ଛାତ୍ରଛାତ୍ରୀ ଉପକୃତ ହେବେ। ଦାୟିତ୍ୱରେ ଥିବା ଶିକ୍ଷୟିତ୍ରୀ ଆମାତୁଲ୍ଲା କରିମ ଏ ସଂକ୍ରାନ୍ତରେ ସରକାର ଓ ଶିକ୍ଷାଧିକାରୀଙ୍କୁ ପ୍ରସ୍ତାବ ଦିଆଯାଇଥିବା କହିଛନ୍ତି।

Comments are closed.