ସମ୍ବଲପୁରରେ ସ୍ଥାପିତ ହେବ ଡପ୍ଲର ରାଡାର
ସମ୍ବଲପୁର: ସମ୍ବଲପୁରରେ ବହୁ ପ୍ରତିକ୍ଷିତ ଡପ୍ଲର ରାଡାରର କାର୍ଯ୍ୟକ୍ଷମ ପାଇଁ ଶୁଭାରମ୍ଭ ରବିବାର ହୋଇଯାଇଛି। ଏହି ଶୁଭ ଉଦଘାଟନକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ରୂପେ ଉଦଘାଟନ କରିଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ, ଡପ୍ଲର ରାଡାର ଏହ ଉପକରଣ ଯାହା ରେଡିଓ ତରଙ୍ଗ ପ୍ରେରଣ କରିଥାଏ ଏବଂ ସେହି ବସ୍ତୁଗୁଡିକୁ ଫେରୁଥିବା ସଙ୍କେତ ଗୁଡିକର ବିଶ୍ଲେଷଣ କରି ବସ୍ତୁ ଗୁଡିକକୁ ଚିହ୍ନଟ କରିବା ପାଇଁ ବ୍ୟବହୃତ ହୋଇଥାଏ। ରାଡାର ପ୍ରଣାଳୀ ବସ୍ତୁର ଦୂରତା, ବେଗ ଓ ଦିଗ ନିର୍ଦ୍ଧାରଣ କରିପାରେ। ସାଧାରଣତଃ ପାଣିପାଗ ବିଜ୍ଞାନ, ବିମାନ ଚଳାଚଳ, ସାମାରିକ ଓ ଦିଗ ନିରୁପଣ ପରି ବିଭିନ୍ନ କ୍ଷେତ୍ରରେ ବ୍ୟବହୃତ ହୋଇଥାଏ। ଏହା ଦ୍ୱାରା ରାଜ୍ୟର ପାଣିପାଗ ନିରୀକ୍ଷଣ କ୍ଷମତା ବୃଦ୍ଧି ହେବ। ଏହି ରାଡାର ପ୍ରତିଷ୍ଠା ଦ୍ୱାରା କୃଷି, ଖଣି, ଶିଳ୍ପ ଓ ବିମାନ ଚଳାଚଳ ଭଳି ବିଭିନ୍ନ କ୍ଷେତ୍ରକୁ ଯଥେଷ୍ଟ ସହାୟକ ହେବ। ଏହା ଦ୍ୱାରା ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ଼଼, ବରଗଡ଼଼, ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୁଳ ଓ ନୂଆପଡ଼ା ଭଳି ଗୁରୁତ୍ୱପୁର୍ଣ୍ଣ ଆଭ୍ୟନ୍ତରିଣ ଅଞ୍ଚଳ ଏବେ ମଧ୍ୟ ଅନ୍ତର୍ଭୁକ୍ତ ହୋଇ ପାରିବ। ବନ୍ୟା ପୂର୍ବାନୁମାନ, ତଳିଆ ଅଞ୍ଚଳର ସୁରକ୍ଷା ସମ୍ବନ୍ଧରେ ଉନ୍ନତି ଆଣିବା ଏବଂ ଭିତ୍ତିଭୂମିର ବିକାଶ ସହିତ ହୀରାକୁଦ ଡ୍ୟାମର ପ୍ରଭାବଶାଳୀ ଜଳ ପରିଚାଳନା, ଜଳ ସେଚନ ଓ ଜଳ ବିଦ୍ୟୁତ ଉତ୍ପାଦନ ପାଇଁ ଜଳର ପରିଚାଳନା କ୍ଷେତ୍ରରେ ମଧ୍ୟ ସହାୟ ହେବ ବୋଲି ଶ୍ରୀ ପୂଜାରୀ କହିଛନ୍ତି।
ଏହି ଅବସରରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କତ୍ତୃପକ୍ଷ, କାର୍ଯ୍ୟକାରୀ ନିର୍ଦ୍ଦେଶକ କମଳ ଲୋଚନ ମିଶ୍ର କହିଛନ୍ତି ଯେ, ବିପର୍ଯ୍ୟୟ ପରିଚାଳନା ସର୍ବ ଭାରତୀୟ ସ୍ତର ନୁହେଁ, ସାରା ବିଶ୍ୱରେ ସୁଖ୍ୟାତି ଅର୍ଜନ କରିଛି। ଦେଶରେ ସର୍ବ ପ୍ରଥମ ବିପର୍ଯ୍ୟୟ ପରିଚାଳନା କତ୍ତୃପକ୍ଷ ଓଡ଼ିଶାରେ ନିର୍ମାଣ ହୋଇଥିଲା। ବିପର୍ଯ୍ୟୟ ପରିଚାଳନାରେ ପ୍ରାକ ସୂଚନା ବହୁତ ଗୁରୁତ୍ୱପୁର୍ଣ୍ଣ ଅଟେ। ବିପର୍ଯ୍ୟୟ ସମ୍ପର୍କରେ ସୂଚନା ବହୁ ଆଗରୁ ଲୋକଙ୍କ ନିକଟରେ ପହୁଞ୍ଚାଇବାକୁ ପଡ଼ିଥାଏ, ଯାହା ଦ୍ୱାରା ଲୋକେ ନିରାପଦ ସ୍ଥାନକୁ ଯାଇପାରିବେ। ବୈଷୟିକ ଯୁଗରେ ଏହି ଜ୍ଞାନ କୌଶଳ ଉପରେ ବିଶେଷ ନିର୍ଭର କରିବାକୁ ପଡୁଛି। ଭାରତୀୟ ପାଣିପାଗ ବିଭାଗ ବିଶେଷ ରୂପେ ବିପର୍ଯ୍ୟୟ ସମ୍ପର୍କରେ ବହୁ ପୂର୍ବରୁ ସୂଚନା ପ୍ରଦାନ କରୁଛନ୍ତି। ପାଣିପାଗ ବିଭାଗ ପକ୍ଷରୁ ବିଶେଷତଃ ଉପଗ୍ରହ ଓ ରାଡାର ମାଧ୍ୟମରେ ସୂଚନା ନେଇଥାନ୍ତି। ସମ୍ବଲପୁରରେ ଡପ୍ଲର ରାଡାର ସ୍ଥାପନ ହେବାକୁ ଯାଉଛି। ଓଡ଼ିଶାରେ ଆଉ ୨ଟି ସ୍ଥାନ ଯଥା ପାରାଦ୍ୱୀପ ଓ ଗୋପାଳପୁରରେ ଏହି ରାଡାର କାର୍ଯ୍ୟକ୍ଷମ ଥିବା ବେଳେ ଏବେ ବାଲେଶ୍ୱରରେ ଆଉ ଏକ ରାଉର ମଧ୍ୟ ସ୍ଥାପିତ ହେଉଛି। ସମ୍ବଲପୁରରେ ସ୍ଥାପିତ ହେବାକୁ ଥିବା ରାଡାର ସି ବେଣ୍ଡ ରାଡାର ଅଟେ। ଏହା ବାଦଲ ଓ ଅନ୍ୟାନ୍ୟ ପାଣିପାଗ ସମ୍ପର୍କିତ ବାଧାକୁ ଦୂର କରି ୨୫୦ କିମି ଦୂର ପର୍ଯ୍ୟନ୍ତ ବ୍ୟାସାର୍ଦ୍ଧ ଅଞ୍ଚଳରେ ଏହା କାମ କରିବ। ଏହା ଦ୍ୱାରା ଅତି ବୃଷ୍ଟି, କରକାପାତ, ବଜ୍ରପାତ ଆଦି ବିଭିନ୍ନ ତଥ୍ୟ ଜଣାପଡ଼ିବ। ଏହି ରାଡାର ଦ୍ୱାରା ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାର ସମସ୍ତ ଜିଲା ସହିତ ପଡୋଶୀ ରାଜ୍ୟର କିଛି ଅଞ୍ଚଳ ଗୁଡିକରୁ ତଥ୍ୟ ସଂଗ୍ରହ କରିବ। ଏଥିରୁ ସଂଗୃହୀତ ତଥ୍ୟ ଗୁଡିକୁ ପାଣିପାଗ ବିଭାଗର ସୁପର କମ୍ପ୍ୟୁଟରକୁ ପଠାଇବୁ ଏବଂ ସେଠାରେ ତଥ୍ୟ ଗୁଡିକ ପ୍ରୋସେସ ହେବା ପରେ ସଠିକ ତଥ୍ୟ ଜନତାଙ୍କ ନିକଟରେ ପହୁଞ୍ଚାଇ ହେବ। ୫ ମିଟର ଉଚ୍ଚତା ବିଶିଷ୍ଟ ରାଡାର ସ୍ଥାପିତ ହେବ। ରାଡାର ସମ୍ପୁର୍ଣ୍ଣ କାର୍ଯ୍ୟକ୍ଷମ ହେବା ପାଇଁ ୬ ମାସ ଲାଗିବ। ରାଡାର ପାଇଁ ୫ ମହଲା ବିଶିଷ୍ଟ କୋଠା ନିର୍ମାଣ ଶେଷ ହୋଇଥିବା ବେଳେ ଉପରେ ଲାଗିବାକୁ ଥିବା ରାଡାରର ଡୋମ ନକ୍ସାରେ କିଛିଟା ପରିବର୍ତ୍ତନ ହୋଇଥିବାରୁ ଏହା କାର୍ଯ୍ୟକ୍ଷମ ହେବାକୁ ୬ ମାସ ଲାଗିବ। ଏଥି ପାଇଁ ୨୦୧୩ – ୧୪ ମସିହାରେ ୧୧ ହଜାର ୧ ଶହ ବର୍ଗ ଫୁଟର କୋଠା ୧.୫୨ କୋଟି ଟଙ୍କାରେ ନିର୍ମିତ ହୋଇଥିଲା। ନୂତନ ଭାବରେ କୋଠାର ବଳକା କାମ ଓ ରାଡାର ଡୋମ ନିର୍ମାଣ ପାଇଁ ୪.୨୦ କୋଟି ଟଙ୍କାର ରାଜିନାମା କରାଯାଇଛି। ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ୬ ମାସର ସମୟ ସୀମା ଧାର୍ଯ୍ୟ କରାଯାଇଥିବା ବେଳେ ବିଦ୍ୟୁତ ଯୋଗାଣ, ସିସିଟିଭି, ଆସବାପତ୍ର ଆଦି ପାଇଁ ୮୪ ଲକ୍ଷ ଟଙ୍କାର ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ ମିଶ୍ର କହିଛନ୍ତି। ଏହି କାର୍ଯ୍ୟକ୍ରମରେ ସମ୍ବଲପୁରର ବିଧାୟକ ଜୟନାରାୟଣ ମିଶ୍ର, ପୂର୍ବତନ ବିଧାୟକ ନାଉରୀ ନାଏକ, ଜିଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦରଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ରହିଥିଲେ।
Comments are closed.