ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିସରରେ ଆୟୋଜିତ ହେଉଥିବା ଓଡିଶା ପରିବେଶ କଂଗ୍ରେସର ଆଜି ଦ୍ଵିତୀୟ ଦିବସରେ ‘ପିଲାଙ୍କ ପରିବେଶ କଂଗ୍ରେସ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ସମାବେଶରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍କୁଲ ଓ କଲେଜରୁ ୩୦୦ରୁ ଉର୍ଦ୍ଧ୍ଵ ଛାତ୍ର ଛାତ୍ରୀ ସହ ସେମାନଙ୍କ ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ ଯୋଗଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। ସୁଧୀର ରାଉତଙ୍କ ସଭାପତିତ୍ଵରେ ଆୟୋଜିତ ସଭାରେ ମୂଖ୍ୟବକ୍ତା ଭାବେ ଗ୍ରୀନ ନୋବେଲ୍ ବିଜେତା ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା ଯୋଗ ଦେଇ ପିଲାମାନଙ୍କୁ ସ୍ବିଡେନ୍ର ବିଶ୍ଵ ବିଖ୍ୟାତ ଶିଶୁ ପରିବେଶ କର୍ମୀର ଉଦାହରଣ ଦେବା ସହ ଏ ପୃଥିବୀ ହେଉଛି ପିଲାମାନଙ୍କର ତେଣୁ ସେମାନେ ବିପର୍ଯ୍ୟସ୍ତ ପରିବେଶ ବିଷୟରେ ଅବଗତ ହୋଇ ଏହାର ସୁରକ୍ଷା ଦିଗରେ କାର୍ଯ୍ୟ କରିବାକୁ ହେବ ବୋଲି ମତପୋଷଣ କରିବା ସହ ମାଟି ପାଣି ପବନକୁ ସୁରକ୍ଷିତ ରଖିଲେ ସେମାନଙ୍କ ଭବିଷ୍ୟତ ସୁରକ୍ଷିତ ରହିପାରିବ ବୋଲି କହିଥିଲେ। ମୂଖ୍ୟ ଅତିଥି ଭାବେ ଭୁବନେଶ୍ଵର ସର୍ବଭାରତୀୟ ଆୟୁବିଜ୍ଞାନର ପ୍ରାକ୍ତନ ନିର୍ଦ୍ଦେଶକ ପ୍ରଫେସର ଅଶୋକ ମହାପାତ୍ର, ଯୋଗ ଦେଇ ବିଭିନ୍ନ ରୋଗ ସହ ବିପର୍ଯ୍ୟସ୍ତ ପରିବେଶ କିପରି ଭାବେ ଦାୟୀ ସେ ବିଷୟରେ ଆଲୋଚନା କରି ଦୀର୍ଘ ଓ ନିରାମୟ ଜୀବନ ପାଇଁ ପରିବେଶର ସୁରକ୍ଷାର ଆବଶ୍ୟକତା ବିଷୟରେ ଉଲ୍ଲେଖ କରିଥିଲେ। ଇ ତେଜେଶ୍ଵର ରାଓ, ପ୍ରଫେସର ତମୋଘ୍ନା ଆଚାର୍ଯ୍ୟ, ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ, ଜୟ କୃଷ୍ଣ ପାଣି ଗ୍ରାହୀ, ଶ୍ୟାମସୁନ୍ଦର ଖାଡ଼ଙ୍ଗା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହାପରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପରିବେଶ ଭିତ୍ତିକ ଚିତ୍ର କଳା, ବତ୍କୃତା, ରଚନା, କୁଇଜ୍, କଣ୍ଠ ସଙ୍ଗୀତ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ୨୬ ଜଣ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ଶିକ୍ଷାବିତ ତଥା ପରିବେଶବିତ୍ ଛାତ୍ରଛାତ୍ରୀମାନଙ୍କୁ ପରିବେଶ ଯୋଦ୍ଧା ହେବା ପାଇ ଶପଥ ପାଠ କରାଇଥିଲେ।
Comments are closed.