ପିପିଲି ସଂକୁଳ ସ୍ତରୀୟ ବାର୍ଷିକ କ୍ରୀଡା ପ୍ରତିଯୋଗିତା
ପିପିଲି :ଶିକ୍ଷା ବିକାଶ ସମିତିର ପୂର୍ବ ସଂଭାଗ ପୁରୀ ବିଭାଗ ଅନ୍ତର୍ଗତ ପିପିଲି ସଂକୁଳ ସ୍ତରୀୟ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଶୁକ୍ରବାର ଦିନ ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଇନ୍ଦିରା ମଇଦାନ ଠାରେ ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପିପିଲି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଖେଲାର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଗୁଡିଆପୋଖରୀ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ସତ୍ୟବାଦୀ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, କଣାସ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ତ୍ରିଲୋଚନପୁର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଡେଲାଙ୍ଗ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଦାଣ୍ଡମୁକୁନ୍ଦପୁର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଓ ସାରଙ୍ଗଯୋଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରତିଯୋଗୀମାନେ ଭାଗ ନେଇଥିଲେ।
ପିପିଲି ଆଇଆଇସି ସୌମେନ୍ଦୁ ଶେଖର ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ପିପିଲି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନାଚାର୍ଯ୍ୟ ଶଶୀଭୂଷଣ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଶ୍ରୀ ତ୍ରିପାଠୀଙ୍କ ସମେତ ସଂକୁଳ ପ୍ରମୁଖ ରବି ନାରାୟଣ ଷଡଙ୍ଗୀ, ବିଦ୍ୟାମନ୍ଦିର ପରିଚାଳନା କମିଟିର ସଭାପତି ତଥା ପିପିଲି ଶାନ୍ତି କମିଟିର ଅଧ୍ୟକ୍ଷ ବିକ୍ରମ କେଶରୀ ସିଂହ, ସଂପାଦକ ତଥା ବରିଷ୍ଠ ଆଇନଜୀବୀ ରମାକାନ୍ତ ସାହୁ, ଯୁଗ୍ମ ସଂପାଦକ ରମାକାନ୍ତ ନାୟକ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶ ଦିଗରେ କ୍ରୀଡାର ଆବଶ୍ୟକତା ଓ ଉପକାରିତା ସଂପର୍କରେ ଆଲୋକପାତ କରିଥିଲେ।
ଏହି କ୍ରୀଡା ପ୍ରତିଯୋଗିତାରେ ଶିଶୁ ବର୍ଗ, ବାଲ୍ ବର୍ଗ ଓ କିଶୋର ବର୍ଗରେ ମୋଟ୍ ୫୮ଟି ପ୍ରତିଯୋଗିତାରେ ୨ଶହରୁ ଊର୍ଦ୍ଧ୍ବ ପ୍ରତିଯୋଗୀ ଭାଗ ନେଇଥିଲେ। ସମସ୍ତ ବିଭାଗରେ ପ୍ରଥମସ୍ଥାନ ଅଧିକାର କରିଥିବା କୃତୀ ପ୍ରତିଯୋଗୀମାନେ ପୁରୀ ବିଭାଗ ସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଭାଗ ନେବାକୁ ମନୋନିତ ହୋଇଥିଲେ। ବିଦ୍ୟାମନ୍ଦିରର ବରିଷ୍ଠ ଆଚାର୍ଯ୍ୟା ଅନ୍ନପୂର୍ଣ୍ଣା ଜେମା, ବିଦୁଲତା ପ୍ରଧାନ, ସରୋଜିନୀ ସାହୁ, ପୁଷ୍ପାଞ୍ଜଳୀ ମହାପାତ୍ର, ବିଜୟଲକ୍ଷ୍ମୀ ପଣ୍ଡା, ବରିଷ୍ଠ ଆଚାର୍ଯ୍ୟ କାଶୀନାଥ ଗିରି, ହୃଶୀକେଶ ବଳବନ୍ତରାୟ, ମାନସ ବାରିକ, ପ୍ରସନ୍ନ ସ୍ୱାଇଁ ପ୍ରମୁଖ ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ।
Comments are closed.